ଦୁର୍ଗାପୂଜା ଭିଡ଼, କଡ଼ାକଡ଼ି ହେଉ ଟ୍ରାଫିକ ନିୟନ୍ତ୍ରଣ

ନୂଆପଡ଼ା,୨୯ା୯ : ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଜଗନ୍ନାଥ ଛକ ଓ ନେହେରୁ ମଣ୍ଡପର ପୂଜା ମେଢରେ ମା’ ମହିଷାମର୍ଦ୍ଦିନୀ ଭକ୍ତମାନଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେଉଛନ୍ତି । ଶାରଦୀୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲୁଥିବା ବେଳେ ଚଳଚଞ୍ଚଳ ରହିଛି ସିନାପାଲି ଅଞ୍ଚଳ । ଦୂରଦୁରାନ୍ତରୁ ଭକ୍ତ ଆସି ସିନାପାଲିରେ ରୁଣ୍ଡ ହେଉଛନ୍ତି । ଯାହାଫଳରେ ରାସ୍ତା ଘାଟରେ ପ୍ରବଳ ଭିଡ଼ ଜମୁଛି । ପାର୍ବଣ ବଜାର ବେଶ ଜମୁଥିବା ବେଳେ ଦୋକାନ ସମ୍ମୁଖରେ ପାର୍କିଙ୍ଗ ପାଇଁ ଜାଗା ଅଭାବ ଯୋଗୁଁ ଗାଡ଼ିଗୁଡିକ ରାସ୍ତା ଉପରେ ରହୁଛି । ଯାହା ଫଳରେ ରାସ୍ତାରେ ଯାନବାହାନ ଚଳପ୍ରଚଳରେ ବାଧା ଉପୁଜୁଛି । ଲୋକେ ଦୋକାନ ସମ୍ମୁଖରେ, ରାସ୍ତା ଉପରେ ଗାଡ଼ି ପାର୍କିଙ୍ଗ କରିଥିବା ଯୋଗୁଁ , ଜରୁରୀକାଳୀନ ସେବା ଅଗ୍ନିଶମ ବିଭାଗର ଗାଡ଼ି ରାସ୍ତାରେ ଯାଇନପାରି କିଛି ସମୟ ଅଟକି ରହିଥିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଅଗ୍ନିଶମ ବିଭାଗ ଗାଡ଼ିର ପରି ଗୁରୁ୍କବପୂର୍ଣ୍ଣ ଗାଡ଼ିର କିଛିକ୍ଷଣ ବିଲମ୍ବ ପାଇଁ କହାର ଜୀବନ ହାନି ମଧ୍ୟ ହୋଇପାରେ । କିଭଳି ଟ୍ରାଫିକ ନିୟନ୍ତ୍ରଣ ହେବ ତା ଉପରେ ବିଶେଷ ଧ୍ୟାନ ଦେବା ଅବଶ୍ୟକ ହୋଇପଡ଼ିଛି । ଏହି ସବୁ ପରିସ୍ଥିତି ଉପରେ ଦୃଷ୍ଟିଦେଇ ପୁଲିସ ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ତତ୍ପରତା ଦେଖାଇବାକୁ ପଡ଼ିବ ।