ଲୋପ ପାଇବାକୁ ବସିଲାଣି କୁମ୍ଭାରଙ୍କ ବେଉସା

ନୂଆପଡା : ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ । ଏନ୍ତୁଡି ଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ମାଟି ଦରକାରୀ ଜିନିଷ ଭାବରେ ଲୋଡ଼ା । ପୂର୍ବେ ମନୁଷ୍ୟ ମାଟିରେ ବସୁଥିଲା, ଖେଲୁଥିଲା, ଖାଉଥିଲା ଏବଂ ଶୋଉଥିଲା । ଆଧୁନିକ ଯୁଗର ପଦାର୍ପଣ ଏବଂ ସମୟର ପରିବର୍ତ୍ତନ ଯୋଗୁଁ ମଣିଷର ପରିବର୍ତ୍ତନ ଘଟି ମାଟି ପାତ୍ର, ହାଣ୍ଡି, ମାଠିଆ, ସୁରେଇ ସହ ବିଭିନ୍ନ ମାଟି ସାମଗ୍ରୀ ତିଆରି କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରୂପେ ବ୍ୟବହାର କଲା । ଏହିପରି ସାମଗ୍ରୀ ତିଆରି କରିବା ଯୋଗୁଁ ଗୋଟିଏ ଜାତି ବା ଗୋଷ୍ଠୀ ଗଢ଼ି ଉଠିଲା, ସେମାନେ କୁମ୍ଭାର ନାମରେ ନାମିତ ହେଲେ । ମାଟି କାର୍ଯ୍ୟ ତାଙ୍କ ବେଉଷା ହୋଇ ରୋଜଗାର ପନ୍ଥା ବାହାରି ପରିବାର ଚଲିଯାଉଥିଲେ । ଶହ ଶହ ବର୍ଷ ଧରି କୌଳିିକ ବୃତ୍ତିରେ ନିୟୋଜିତ କୁମ୍ଭାରମାନେ ଆଜିର ଆଧୁନିକତା ଏବଂ ବୈଜ୍ଞାନିକ ଯୁଗରେ ଅଲୋଡା ପାଲଟି ଗଲେଣି । ସମୟର ପରିବର୍ତ୍ତନ ସହ ମଣିଷ ଚଳଣିର ପରିବର୍ତ୍ତନ ଘଟି ମାଟି ସାମଗ୍ରୀ ପରିବର୍ତ୍ତେ ପ୍ଲାଷ୍ଟିକ, ଲୁହା, ଆଲୁମିନିୟମ୍, ଟିଣ ସାମଗ୍ରୀ ସହ ଅନ୍ୟନ୍ୟ ସାମଗ୍ରୀର ବୃଦ୍ଧି ଘଟିଛି । ଫଳରେ ଆଜିର ଦୁନିଆରେ କୁମ୍ଭାରମାନଙ୍କ ମାଟି ସାମଗ୍ରୀ ଲୋକଙ୍କୁ ଲୋଡା ପଡୁନାହିଁ ।
ନୂଆପଡା ଜିଲ୍ଲାର ଖଡିଆଳ ଏବଂ ବୋଡେନ ବ୍ଲକର ଶତାଧିକ କୁମ୍ଭାର ପରିବାର ଏହି ବୃତ୍ତିରେ ନିୟୋଜିତ ଥିଲେ । ଖଡିଆଳ ବ୍ଲକର ମାଣ୍ଡୋସିଲ, ଢଙ୍କସର, ରାନୀମୁଣ୍ଡା, ଚିନ୍ଦାଗୁଡା, ବଙ୍କାପୁର, ତୁକଲା, ଦମାପଲା, ଡୋଟୋ, ଅନକାପୁର, ହୀରାପୁର ଓ ଅନ୍ୟ ଗ୍ରାମର କୁମ୍ଭାର ଲୋକେ ଏହି ବୃତ୍ତିରେ ନିୟୋଜିତ ରହି ଭଲ ରୋଜଗାର କରୁଥିଲେ । ମାତ୍ର ବଜାର ଚାହିଦା ହ୍ରାସ, ଜାଳେଣି କାଠର ଅଭାବ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସେମାନଙ୍କ ବ୍ୟବସାୟରେ ପ୍ରଭାବିତ କଲା । ଏପରିକି ଏହି କାର୍ଯ୍ୟ ଦ୍ୱାରା ଉପଯୁକ୍ତ ପାରିଶ୍ରମିକ ପାଇପାରିଲେ ନାହିଁ । ଫଳରେ ଏହି ଜାତିର ଅନେକ ଲୋକେ ଏହି ବେଉଷାକୁ ଛାଡ଼ିବା ଅନ୍ୟ କାର୍ଯ୍ୟମାନଙ୍କରେ ଲାଗି ଗଲେଣି । ହାଣ୍ଡି, ମାଠିଆ, ପାତ୍ର ନିର୍ମାଣ କାର୍ଯ୍ୟ ଅତି କଷ୍ଟ ଦାୟକ କାର୍ଯ୍ୟ ଅଟେ । ପ୍ରଥମେ ଜମିରୁ ଭଲ ମାଟି ସଂଗ୍ରହ କରାଯାଇ ଭଲ ଭାବରେ ୩/୪ ଦିନ ଧରି ଓଦା କରାଯାଇ ଚକଟି କୁମ୍ଭାର ଚକରେ ଦିଆଯାଇ ବିଭିନ୍ନ ଆକୃତିରେ ବିଭିନ୍ନ ଜିନିଷ ଗଢା଼ ଯାଇଥାଏ । ଏହାକୁ ଖରାରେ ଶୁଖାଯାଇ ଧିରେ ଧିରେ ଏକ କାଠ ହାତୁଡିରେ ବାଡାଇ ସଠିକ ମାଟି ପାତ୍ରର ରୂପ ଦେଲା ପରେ ତାକୁ ଭାଟିରେ ନିଆଁ ମାଧ୍ୟମରେ ପୋଡା ଯାଇଥାଏ । ଏହାପରେ ଭାଙ୍ଗି ନ ଯିବା ଭଳି ସତର୍କତା ଅବଲମ୍ବନ କରି ବଜାରକୁ ବିକ୍ରି ପାଇଁ ନିଆଯାଇଥାଏ । ଏତେସବୁ କଷ୍ଟ ସଙ୍ଗେ ମଧ୍ୟ ଆଜିର ଦୁନିଆରେ ମାଟି ପାତ୍ର ପ୍ରତି ଖାଉଟିଙ୍କ ପୂର୍ବ ଭଳି ଆକର୍ଷଣ ରହୁନାହିଁ । ଏଥି ଯୋଗୁଁ କୁମ୍ଭାରଙ୍କ କୌଳିକ ବୃତ୍ତି ଭୁଶୁଡିବାରେ ଲାଗିଛି । ଗ୍ରାମାଞ୍ଚଳର ଅନେକ କୁମ୍ଭାରମାନେ କୌଲିକ ବୃତ୍ତି ଛାଡି ଅନ୍ୟର ଚାଷ ଜମିରେ ମୂଳ ଲାଗିଲେଣି ତ ଆଉ କେହି କେହି ସୁଦୂର ରାୟପୁର, ଦୁର୍ଗ, ନାଗପୁର, ସୁରତ, ମୁମ୍ବାଇ ସହ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଭିନ୍ନ ଅଂଚଳକୁ ଦାଦନ ଖଟିବାକୁ ଗଲେଣି । ଅନ୍ୟପକ୍ଷର ଭାରତ ସରକାରଙ୍କ ଶିଳ୍ପ ଓ ଗବେଷଣା ପରିଷଦ ମାଟି ବା ଟେରାଫିଲରର ଜଳ ପରିଷ୍କାର ଅଟେ ଏବଂ ଏହା ଦେହ ପକ୍ଷେ ଉପକାରକ ବୋଲି କହୁଛନ୍ତି । ସରକାର ପ୍ରଶିକ୍ଷଣ ଏବଂ ପ୍ରୋସାହନର ବ୍ୟବସ୍ଥା ଅଧିକ ମାତ୍ରାରେ କଲେ ଏହି ଜୀବିକକୁ ବଞ୍ଚାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି । ରାଜ୍ୟ ସରକାର କୁମ୍ଭାରମାନଙ୍କ ସମସ୍ୟାର ସମାଧାନ ସହ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରି ଆତ୍ମ ନିର୍ଭରଶୀଳ କରିବାକୁ ସାଧାରଣରେ ଦାବି ହେଉଛି ।