ଅମୀୟ କରିବେ କ’ଣ? ମିଳିଲାନି ବିଧାନସଭା ଟିକେଟ୍

ଯାଜପୁର: ଭେଟନାର ନେତା ହେଲେ ଅମୀୟ ମଲିକ । କଂଗ୍ରେସରୁ ଦୁଇଥର ଏବଂ ବିଜେପିରୁ ଦୁଇଥର କରି ୪ଥର ଯାଜପୁର ଲୋକସଭା ଆସନରୁ ନିର୍ବାଚନ ଲଢିଛନ୍ତି । କିନ୍ତୁ ୪ଥର ଯାକ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି । ୨୦୦୪ରେ ପ୍ରଥମ କରି କଂଗ୍ରେସ ଦଳରୁ ଲୋକସଭା ନିର୍ବାଚନ ଲଢିଥିବା ଅମୀୟ ୪ଲକ୍ଷରୁ ଅଧିକ ଭୋଟ ପାଇଥିଲେ ହେଁ ବିଜେଡ଼ିର ମୋହନ ଜେନାଙ୍କ ଠାରୁ ମାତ୍ର ୫୦ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ । କିନ୍ତୁ ୨୦୦୯ରେ ତାଙ୍କର ଲୋକପ୍ରିୟତା ଖସି ଆସିଥିଲା । କଂଗ୍ରେସରୁ ଦ୍ୱିତୀୟବାର ପ୍ରାର୍ଥୀ ହୋଇ ୩ଲକ୍ଷ ଭୋଟ ପାଇବାକୁ ସମର୍ଥ ହୋଇଥିଲେ । ପରେ ଅମୀୟ ବିଜେପିରେ ଯୋଗଦାନ କରିବାରୁ ଦଳ ତାଙ୍କୁ ପଦ୍ମଚିହ୍ନରେ ଲଢିବାକୁ ସୁଯୋଗ ଦେଇଥିଲା । ହେଲେ ଅମୀୟଙ୍କ ମାତ୍ର ଦେଢଲକ୍ଷ ଭୋଟ ମିଳିଥିଲା ତଥାପି ବିଜେପି ଅମୀୟଙ୍କ ଉପରେ ଭରଷା କରିଥିଲା । ୨୦୧୯ରେ ବିଜେପିର ହାୱା ବହୁଥିବାରୁ ଅମୀୟ ବିଜୟ ଲାଭ କରିବେ ବୋଲି ବିଶ୍ୱାସ ରଖିଥିଲେ । ବିଜେପିରୁ ଦ୍ୱିତୀୟଥର ନିର୍ବାଚନ ଲଢିଥିଲେ ତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା । ଏକଲକ୍ଷ ଭୋଟରେ ବିଜେଡ଼ିର ଶର୍ମିଷ୍ଠା ସେଠୀଙ୍କ ଠାରୁ ହାରିଯିବା ପରେ ଜିଲା ରାଜନୀତିରୁ ଦୂରେଇ ଯାଇଥିଲେ । ଏପରିକି ପଞ୍ଚାୟତ ନିର୍ବାଚନରେ ତାଙ୍କର ସୋରଶବ୍ଦ ନଥିଲା । ନିର୍ବାଚନ ପାଖେଇ ଆସିବାରୁ ଅମୀୟ ପୁଣି ସକ୍ରିୟ ହୋଇପଡ଼ିଥିଲେ । କିନ୍ତୁ ଅମୀୟ ଆଉ ଲୋକସଭା ନୁହେଁ ବିଧାନସଭା ଲଢିବାକୁ ପାଗ ଭିଡ଼ିଥିଲେ । ସଂରକ୍ଷିତ ବିଞ୍ଝାରପୁର ବିଧାନସଭାରୁ ଲଢିବାକୁ ସଭାସମିତି କଲେ । ମାତ୍ର ବବିତା ମଲିକ ନଛୋଡ଼ବନ୍ଧା ଥିଲେ । ବିଞ୍ଝାରପୁର ପାଇଁ ଅମୀୟ-ବବିତାଙ୍କ ମଧ୍ୟରେ ଏକ ପ୍ରକାର ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଥିଲା । ୨୦୨୪ରେ ଅମୀୟଙ୍କୁ ଲୋକସଭା ନିର୍ବାଚନ ଲଢିବାକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତା ପ୍ରବର୍ତାଇଥିଲେ । ହେଲେ ଅମୀୟ ଲୋକସଭା ନୁହେଁ ବିଧାନସଭା ଲଢିବାକୁ ଏକ ପ୍ରକାର ଅଟଳ ଥିଲେ । ଗଲା କିଛି ଦିନ ଧରି ଅମୀୟ ଦିଲୀରେ ଡ଼େରାପକାଇ ରହିଥିଲେ ହେଁ ଆଜି ପ୍ରାର୍ଥୀ ତାଲିକାରେ ବବିତାଙ୍କ ନାଁ ପ୍ରକାଶିତ ହେଲା । ଅମୀୟ ଲୋକସଭା ଟିକେଟ ନେବାକୁ ମନା କରି ବିଧାନସଭାକୁ ଅପେକ୍ଷା କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏଣୁ ଅମୀୟ ଏବେ କରିବେ କ’ଣ ତାହା ହିଁ ଆଲୋଚନାର ବିଷୟ ହୋଇଛି । ତାଙ୍କ ସମର୍ଥକ ଅମୀୟ କ’ଣ କରିବେ ତାହା ପ୍ରକାଶ କରି ପାରୁନଥିବା ବେଳେ ତାଙ୍କ ଫେରିବା ପର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । କିନ୍ତୁ ଯାହା ରାଜନୈତିକ ମହଲରେ ଆଲୋଚନା ହେଉଛି ଯଦି ଅମୀୟ କୈାଣସି ଦଳରୁ ବିଧାନସଭା ଲଢିବାକୁ ଇଛା କରନ୍ତି, ତେବେ ତାଙ୍କୁ ତାଙ୍କ ପୁରୁଣା ଦଳ ସେ ସୁଯୋଗ ଦେଇପାରେ ।