ଆତ୍ମବିଶ୍ୱାସରେ ବିଭୋର ସୁକିନ୍ଦା

ଯାଜପୁର/ଯଖପୁରା :  ନିର୍ବାଚନକୁ ନେଇ ରାଜ୍ୟ ଉଠୁଚି ପଡୁଛି । ରାଜନୈତିକ ଦଳ ମାନଙ୍କ ପ୍ରଚାରରେ ଗାଁଠୁ ସହର ପର୍ଯ୍ୟନ୍ତ ଉଠୁଛି ପଡୁଛି । ଗଣତନ୍ତ୍ରର ମହା ପର୍ବରେ ସମସ୍ତ ଭୋଟର୍ ସାମିଲ ହେବାକୁ ସବୁ ଦଳର ପ୍ରାର୍ଥୀ ନିବେଦନ କରି ସେମାନଙ୍କ ସପକ୍ଷରେ ମତଦାନ କରିବାକୁ ନିବେଦନ କରୁଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଶେଷ ହୋଇଛି । ଜୁନ ୧ତାରିଖରେ ହେବାକୁ ଥିବା ଭୋଟ ପୂର୍ବରୁ କିନ୍ତୁ କ’ଣ ହେବ ଫଳାଫଳ ତାକୁ ନେଇ ରାଜନୈତିକ ଦଳ କଳନା ଆରମ୍ଭ କରି ଦେଇଛନ୍ତି । ବିଜେପି ରାଜ୍ୟରୁ ୧୭ ଲୋକସଭା ସହ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠ ଆସନ ଅକ୍ତିଆର କରିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି । ବିଜେଡ଼ି ରାଜ୍ୟରେ ପୁଣି ବିଜେଡ଼ି ସରକାର ବୋଲି ବିଶ୍ୱାସ ଦେଉଛି । ଫଳାଫଳ ଘୋଷଣା ପରେ ତ ଏହା ଜଣାପଡ଼ିବ କିନ୍ତୁ ବିଜେପି ଅନେକ ନିର୍ବାଚନ ମଣ୍ଡଳୀରେ ଜିତିବାର ଆତ୍ମ ବିଶ୍ୱାସ ଦେଖାଇଛି । ଯାହା ସୁକିନ୍ଦା ବିଜେପିରେ ବି ଦେଖିବାକୁ ମିଳୁଛି । ବିଜେଡ଼ି ଗଡ଼ ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଖଣି ଓ ଶିଳ୍ପାଞ୍ଚଳ ଅନ୍ତଭୃକ୍ତ ସୁକିନ୍ଦା ଦଶନ୍ଧୀ ଦଶନ୍ଧୀ ଧରି ଘଡ଼ାଇ ପିତାପୁତ୍ରଙ୍କ ଅକ୍ତିଆରରେ ରହିଛି । ୧୯୯୦ରୁ ୨୦୦୯ ଯାଏ ପାଞ୍ଚଥର ପ୍ରଫୁଲ ଚନ୍ଦ୍ର ଘଡ଼ାଇ ସୁକିନ୍ଦା ଗଡ଼ ଜୟ କରିଥିବା ବେଳେ ତାଙ୍କ ପୁତ୍ର ପ୍ରୀତିରଂଜନ ଘଡ଼ାଇ ୨୦୧୪ରୁ ୨୦୧୯ ଯାଏ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଯଦି ଇତିହାସ ଦେଖିବା ତେବେ ଡ଼.ପ୍ରଫୁଲ ଚନ୍ଦ୍ର ଘଡ଼ାଇ ହିଁ କଂଗ୍ରେସ ଗଡ଼ରେ ନବେ ଦଶକରୁ ଅଣ କଂଗ୍ରେସ ପତାକା ଉଡ଼ାଇବାରେ ସକ୍ଷମ ହୋଇଥିଲେ । ଯାହା ଆଜି ଏକ ଖୁମ୍ବ ସଦୃଶ ହୋଇପଡ଼ିଥିବା ବେଳେ ଏହାକୁ ଗଡ଼ାଇବା ପାଇଁ କଂଗ୍ରେସ କରିଆସିଥିବା ବାରମ୍ବାର ଉଦ୍ୟମ ଫେଲ ମାରିଥିବା ବେଳେ ଏବେ ବିଜେପି ଉଦ୍ୟମ ଜାରୀ ରଖିଛି । ବିଜେପି ବିଧାନ ସଭା କ୍ଷେତ୍ରରୁ ବିଜୟ ଲକ୍ଷ୍ୟକୁ ସାକାର କରିବାକୁ ପ୍ରସ୍ତୁତି ଚଲାଇଛି । ପ୍ରାର୍ଥୀପତ୍ର ଘୋଷଣା ଠୁ ଆରମ୍ଭ କରି ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ସୁକିନ୍ଦାରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୀତିକୁ ପାଖରୁ ଦେଖିଲେ ବର୍ତମାନ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ବିଜେଡି ଓ ବିଜେଡି ମଧ୍ୟରେ ଶକ୍ତି ପ୍ରଦର୍ଶନ ଭୋଟର୍ଙ୍କ ମଧ୍ୟରେ ଉକôଣ୍ଠା ଭରି ଦେଇଛି । ନିର୍ବାଚନୀ ନେଇ ସୁକିନ୍ଦାରେ ଚା ଖଟି ଠାରୁ ଆରମ୍ଭ କରି ଛକ ବଜାରରେ ଆଲୋଚନା ହେଉଛି । ଉଭୟ ଦଳଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ପ୍ରତି ଦିନ ଦଳ ବଦଳ ପର୍ବ ହେଉଛି । ବିରାଟ ଶୋଭାଯାତ୍ରାରେ ଆୟୋଜନ କରାଯାଉଛି । ବିଜେପି ପାର୍ଟି ନବୀନ ସରକାରଙ୍କ ବିଫଳତାକୁ ବଖାଣୁଛି । ରାଜ୍ୟରେ ଏଥର ପରିବର୍ତନ ନିଶ୍ଚିନ୍ତ ବୋଲି ଲୋକଙ୍କୁ ବୁଝାଉଛନ୍ତି । କେନ୍ଦ୍ରୀୟ ଦଳର ବାରମ୍ବାର ଆଗମନ ବିଜେପି କର୍ମୀ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ଆଉ ଶୀର୍ଷ ସ୍ତରୀୟ ନେତୃତ୍ୱଙ୍କ ଭାଷଣ ଓ ପ୍ରତିଶ୍ରୁତିକୁ ଦେଖି ସୁକିନ୍ଦାର ବିଜେପି ନେତା ଠାରୁ କର୍ମୀ ମଧ୍ୟରେ ଆତ୍ମବିଶ୍ୱାସରେ  ବିଭୋର ହୋଇପଡିଛନ୍ତି । ସୁକିନ୍ଦାରେ ନିଶ୍ଚିନ୍ତ ଫୁଲ ଫୁଟିବ ବୋଲି କହି ବୁଲୁଛନ୍ତି । ଯାହାକୁ ନେଇ ସୁକିନ୍ଦା ବିଜେଡି ଦ୍ୱନ୍ଦରେ ରହିଛି । ସୁକିନ୍ଦା ବିଜେପି କର୍ମୀଙ୍କ ଉତ୍ସାହ ଦେଖି ବିଜେଡି ଶିବିର ଚଳଚଞ୍ଚଳ ହୋଇଉଠିଛି । ପରିବର୍ତନ ନିଶ୍ଚିତ ଭାବି ବିଜେପି କର୍ମୀ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ବିଜେଡି ଗଡ ବଜାୟ ରଖିବା ଲକ୍ଷ୍ୟରେ ରହିଛି । ଦୀର୍ଘ ୩୫ ବର୍ଷ ଧରି ଅଣ କଂଗ୍ରେସ ଗଡ ଭାବେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପରିଚିତ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ନିଜର ଗୋଟି ଚାଳନାରେ ପ୍ରତିପକ୍ଷଙ୍କୁ ମାତ ଦେଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ନିଜ ଦଳ ସପକ୍ଷରେ ରଖିଛନ୍ତି । ମାତ୍ର ୨୦୨୪ ସାଧାରଣ ନିର୍ବାଚନ ବିଜେଡି ପାଇଁ ଏତେ ସହଜ ହେଲା ପରି ମନେ ହେଉନାହିଁ । ଶିଳ୍ପାଞ୍ଚଳ ଠାରୁ ଆରମ୍ଭ କରି ଖଣି ଅଞ୍ଚଳରେ ଶ୍ରମିକମାନଙ୍କ ମଧ୍ୟରେ ଅଶାନ୍ତି କିଛି ମାତ୍ରାରେ ବିଜେଡିକୁ ପ୍ରଭାବିତ କରୁଥିବାର ଶୁଣିବାକୁ ମିଳୁଛି । ଫଳରେ ବିଜେପି ଗୋଳିଆ ପାଣିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଅଛି । ଅଶାନ୍ତି ଲୋକଙ୍କୁ ନିଜ ପକ୍ଷକୁ ନେବା ଚେଷ୍ଟାରେ ରହିଛି । ବିଜେଡି ସେହି କ୍ଷେତ୍ରରେ ନିଜ କର୍ମୀଙ୍କୁ ଯେନ ତେନ ଉପାୟରେ ବାନ୍ଧି ରଖିବା ଲକ୍ଷ୍ୟରେ ରହିଛି । ବିଜେଡିର ବିକାଶ ମୂଳକ କାର୍ଯ୍ୟ ସହିତ ନବୀନ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସୁକିନ୍ଦାବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ମାତ୍ର ବିଜେପି ପାର୍ଟିର ଅତ୍ୟଧିକ ଆତ୍ମ ବିଶ୍ୱାସକୁ ନେଇ ଲୋକଙ୍କ ପାଖକୁ ଯାଉଛି । ଅତ୍ୟଧିକ ଆତ୍ମବିଶ୍ୱାସ ସୁକିନ୍ଦା ବିଜେପିର ପରାଜୟ କାରଣ ସାଜିବନି ତ? ଯାହା ବିଗତ ନିର୍ବାଚନରେ କଂଗ୍ରେସ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦେଖିବାର ଅଛି  ବିଜେଡି ସୁକିନ୍ଦା ଗଡ ବଜାୟ ରଖୁଛି ନା ସୁକିନ୍ଦାରେ ପରିବର୍ତନର ସ୍ୱର ଶୁଭୁଛି । ସୂଚନା ଥାଉକି ଚଳିତ ନିର୍ବାଚନରେ ସୁକିନ୍ଦା ବିଧାନସଭା ଆସନରୁ ପ୍ରଦୀପ ବଳ ସାମନ୍ତ (ଭାରତୀୟ ଜନତା ପାର୍ଟି), ପ୍ରୀତିରଂଜନ ଘଡାଇ (ବିଜୁ ଜନତା ଦଳ), ବିଭୂ ଭୂଷଣ ରାଊତ (କଂଗ୍ରେସ), ସିଲି ମଲ୍ଳ୍ିକ (ବହୁଜନ ସମାଜ ପାର୍ଟି), ଦୟାଲରତନ ମହାନ୍ତି (ଆଜସୁ), ଦିପକ କୁମାର ନାୟକ (ଭାରତୀୟ ବିକାଶ ପରିଷଦ), ଲିଲି ମହାନ୍ତ, ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ(କମୁନିଷ୍ଟ),  କୁଳମଣି ପାତ୍ର, ଗୁଣମଣି ଶା, ରଣଜିତ କୁମାର ଜାମୁଦା, ରାଖାଲ ପରିଡା, ସନ୍ଦିପ ଚକ୍ର (ସ୍ୱାଧୀନ) ମଇଦାନରେ ରହିଛନ୍ତି । ଯେଉଁମାନେ ଜୁନ ପହିଲାରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ ୨ଲକ୍ଷ ୮ହଜାର ୨୬୯ ମତଦାତା ସେମାନଙ୍କ ନେତା ଚୟନ କରିବେ ।