‘ବ୍ରିକ୍ସ’ ପକ୍ଷରୁ ପହଲଗାମ ଆକ୍ରମଣକୁ ନିନ୍ଦା
ଭୁବନେଶ୍ୱର: ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତକୁ ବଡ଼ କୂଟନୈତିକ ସଫଳତା ମିଳିଛି । ‘ବ୍ରିକ୍ସ’ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରାଯାଇଛି । ଏହା ସହିତ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସେଥିରେ ଭାରତର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବ୍ରିକ୍ସ ପକ୍ଷରୁ ସମର୍ଥନ କରାଯାଇଛି । ବ୍ରିକ୍ସ ପକ୍ଷରୁ ଜାରି ମିଳିତ ଘୋଷାଣାନାମାରେ କୁହାଯାଇଛି ଯେ, ଆମେ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରୁଛୁ । ଆତଙ୍କବାଦର ସବୁପ୍ରକାର ରୂପ ଓ ସୀମାପାର ଆତଙ୍କବାଦ, ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ଓ ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା ନେଇ ମୁକାବିଲା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆମେ ମଧ୍ୟ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନିଶ୍ଚିତ କରିବାକୁ ଦାବି କରୁଛୁ ଓ ଆତଙ୍କବାଦର ମୁକାବିଲା ଦିଗରେ ଦୋମୁହାଁ ନୀତିକୁ ଖାରଜ କରୁଛୁ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜାତିସଂଘ ଫ୍ରେମୱର୍କ ଅଧିନରେ ଅନ୍ତର୍ଜାତୀୟ ଆତଙ୍କବାଦ ସଂପର୍କିତ ବ୍ୟାପକ ସନନ୍ଦକୁ ଶୀଘ୍ର ଚୂଡ଼ାନ୍ତ ଏବଂ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ଆହ୍ୱାନ କରୁଛି । ଏହା ସହିତ ଜାତିସଂଘ ଦ୍ୱାରା ଘୋଷିତ ସମସ୍ତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିକ୍ସ ଆହ୍ୱାନ ଜଣାଇଛି । ଅନ୍ୟ ପକ୍ଷରେ ବ୍ରିକ୍ସ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ପାଇଁ ଦୃଢ ଦାବି ଜଣାଇଛି ।