ଆଜିଠୁ ତାପମାତ୍ରା ବଢ଼ିବ

ଭୁବନେଶ୍ୱର: ରାଜ୍ୟରେ ଗତ ୩ଦିନ ମଧ୍ୟରେ ୯ ଡିଗ୍ରୀ ଯାଏ ତାପମାତ୍ରା କମିଥିଲା। ତେବେ ସୋମବାରଠାରୁ ପରବର୍ତ୍ତୀ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବାବେଳେ ରବିବାର ୮.୮ ଡିଗ୍ରୀ ସେଲସିୟସ୍‌କୁ ହ୍ରାସ ପାଇଛି। ଅର୍ଥାତ୍‌ ୩ଦିନରେ ପ୍ରାୟ ୯.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିଛି। ସେହିପରି ଝାରସୁଗୁଡାରେ ୧୮.୩ ଡିଗ୍ରୀ ସେଲସିୟସ୍‌ରୁ ୯.୭ ଡିଗ୍ରୀ ସେଲସିୟସ୍‌କୁ ଅର୍ଥାତ୍‌ ପ୍ରାୟ ୮.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ହ୍ରାସ ପାଇଛି। ଅନ୍ୟପକ୍ଷରେ ରବିବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ପରିଲଖିତ ହୋଇଛି। ଅନୁଗୋଳରେ ଶନିବାର ୩୪.୭ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରବିବାର ଏହା ୩୨.୭ ଡିଗ୍ରୀକୁ ହ୍ରାସ ପାଇଛି। ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳୁଛି। ଆସନ୍ତା ୨ ଦିନ ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ତେବେ ସୋମବାର କୋରାପୁଟ, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଆଦି ଜିଲାକୁ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।