ବ୍ଲକ କାର୍ଯ୍ୟାଳୟରେ ଆମରଣ ଅନଶନ
ନାଉଗାଁ : ନାଉଗାଁ ବ୍ଲକ୍ ଅନ୍ତର୍ଗତ ବଛାଳୋ ପଞ୍ଚାୟତରେ ସରକାରୀ ଯୋଜନାରେ ହେଉଥିବା କାର୍ଯ୍ୟରେ ଅନିୟମିତତାକୁ ନେଇ ପଞ୍ଚାୟତବାସୀଙ୍କ ସମେତ ୧୬ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ମାନେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଏମାନଙ୍କ ଅଭିଯୋଗ ଅନୁସାରେ ସରକାରଙ୍କ ଦ୍ୱାରା ବଛାଳୋ ପଞ୍ଚାୟତକୁ ମଞ୍ଜୁର ହୋଇଥିବା ବ୍ୟାଙ୍କ ଗୃହର ନିର୍ମାଣ ନିମନ୍ତେ ସରକାରଙ୍କ ନିୟମାବଳି ଅନୁଯାୟୀ ଗ୍ରାମ ପଞ୍ଚାୟତର ମାସିକ ୨୬ତମ ସାଧାରଣ ବୈଠକରେ ସ୍ଥାନ ନିରୂପଣ କରାଯାଇଥିଲା । କିନ୍ତୁ ବ୍ଲକ୍ ପକ୍ଷରୁ ସମିତି ସଭ୍ୟ ଓ ସରପଞ୍ଚଙ୍କ ଅଜଣାତରେ ଏହି ଜନଉପକାରୀ ମୋ ସେବା ବ୍ୟାଙ୍କ ଗୃହଟିକୁ ଏହି ସ୍ଥାନରେ କରା ନଯାଇ ଅନ୍ୟତ୍ର ଏକ ସ୍ଥାନରେ କରାଯାଉଥିବାରୁ ଏବେ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଯାହାକୁନେଇ ଏହାର ପ୍ରତିବାଦରେ ଜିଲ୍ଲାପାଳ ଜଗତସିଂହପୁର, ସିଡି, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଜଗତସିଂହପୁର, ନାଉଗାଁ ବ୍ଲକ ଅଧ୍ୟକ୍ଷା ଓ ନାଉଗାଁ ବ୍ଲକ ମଣ୍ଡଳ ଉନୟନ୍ନ ଅଧିକାରୀଙ୍କୁ ସରପଞ୍ଚ ଲିଖତ ଅଭିଯୋଗ କରିଥିଲେ । ହେଲେ ଆଜିପର୍ଯ୍ୟନ୍ତ ଏଥିପ୍ରତି କୌଣଷି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଫଳରେ ସରପଞ୍ଚ ଓ ସଭ୍ୟଙ୍କ ଅଜଣାତରେ ଯଦି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ କରାଯାଏ ତାହା ଏକ ରାଜନୈତିକ ମଧୁଚନ୍ଦ୍ରିକା ବିଷୟ ବୋଲି ଗ୍ରାମବାସୀ ଅଭିଯୋଗ କରୁଥିବା ସହିତ ଏହି ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବା ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ବସି ରହିଛନ୍ତି । ପଞ୍ଚାୟତର ସଭ୍ୟ, ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ପଞ୍ଚାୟତବାସୀ ସମର୍ଥନ ଜଣାଇ ଏହି ଅନଶନରେ ସାମିଲ ହୋଇଥିବା ସହିତ ନାଉଗାଁ ବ୍ଲକ୍ ୧୬ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ, ସଭ୍ୟା ମଧ୍ୟ ଏହି ଅନଶନରେ ଯୋଗଦେଇ ସମର୍ଥନ ଜଣାଇଛନ୍ତି । ବ୍ଲକ୍ରେ ସ୍ଥାୟୀ ବିଡିଓ ନଥିବା କାରଣରୁ ଜଗତସିଂହପୁର ବିଡିଓ ଆଶୁତୋଷ ମିଶ୍ର ଦାୟତ୍ୱ ତୁଲାଇ ଥିବାବେଳେ, ସପ୍ତାହକୁ ମାତ୍ର ଦିନେ ଦୁଇ ଦିନ ଆସୁଛନ୍ତି । ଯାହାଦ୍ୱାରା ଏହି ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନାଉଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।