ବଢ଼ିବ ତାତି
ଚଳିତବର୍ଷ ପାଣିପାଗରେ ଅସ୍ୱାଭାବିକ ଭାବରେ ପରିବର୍ତ୍ତନ ଘଟିଥିବା ଦେଖାଯାଉଛି । ଗତ ବର୍ଷ ଶେଷ ଆଡ଼କୁ ଏବଂ ଚଳିତବର୍ଷ ପ୍ରଥମ ଭାଗରେ ରାଜ୍ୟରେ ଅପ୍ରତ୍ୟାଶିତ ଭାବରେ ବର୍ଷା ହୋଇଯାଇଛି । ଏପରିକି ଧାନ ଫସଲ ଅମଳ ସମୟରେ ଲଗାଣ ବର୍ଷା ଫସଲକୁ ନଷ୍ଟ କରି ଦେଇଛି । ବର୍ଷା ଛାଡ଼ିବା ପରେ ଧାନ ଅମଳ ସମୟରେ ଚାଷୀମାନେ ଭଲ ଫସଲ ପାଇବାର ଆଶା ରଖିଥିଲେ । ହେଲେ ପୁଣି ବର୍ଷା ଫଳରେ ସେ ଆଶା ମଉଳିଗଲା । ଜାନୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଧାନ ବିଲରେ ପାଣି ରହିଲା ଏବଂ ଜମି ଓଦା ଥିଲା । ଏବେ ଜମି ଶୁଖି ଆସିବା ବେଳକୁ ହଠାତ୍ ଖରା ମାଡ଼ିଆସିଲା । ଖରାର ପ୍ରକୋପ ଦିନକୁ ଦିନ ବଢୁଛି । ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀରେ ତାପମାତ୍ରା ୨୫ରୁ ୩୭ ଡ଼ିଗ୍ରୀ ପର୍ଯ୍ୟନ୍ତ ହୋଇଗଲାଣି । ବର୍ତ୍ତମାନ ରାଜ୍ୟରେ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୩୭ ଡ଼ିଗ୍ରୀରେ ପହଞ୍ଚିଲାଣି । ୧୩ଟି ସହରରେ ତାପମାତ୍ରା ୩୪ ଡ଼ିଗ୍ରୀ ଉପରେ ରହୁଛି । ଜି. ଉଦୟଗିରି, ଦାରିଙ୍ଗିବାଡ଼ି, କୋରାପୁଟ ସହର ଭଳି ଥଣ୍ଡା ସ୍ଥାନ ଭାବରେ ପରିଚିତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ଏବେଠାରୁ ଲୋକଙ୍କ ଘରେ ଏସି ବ୍ୟବହାର କରାଗଲାଣି । ଏଭଳି ପାଣିପାଗଜନିତ ପରିବର୍ତ୍ତନର କାରଣ ଜଣାପଡୁନାହିଁ । ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ପାଣିପାଗ ଜନିତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆମେରିକାର କାଲିଫର୍ଣ୍ଣିଆ ଏବଂ ଟେକ୍ସାସ୍ ଅଞ୍ଚଳରେ ପ୍ରାୟ ୨୦ ଦିନ ଧରି ଜଙ୍ଗଲରେ ଅଗ୍ନିକାଣ୍ଡ ଲାଗି ରହିବା ଫଳରେ ଏ ପ୍ରକାରର ପରିସ୍ଥିତି ଉପୁଜିଥିବା ପାଣିପାଗ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏ ପ୍ରକାରର ମତର ଯଥାର୍ଥତା ମଧ୍ୟ ରହିଛି । ରାଜ୍ୟରେ ଅସ୍ୱାଭାବିକ ଭାବରେ ତାପମାତ୍ରା ବୃଦ୍ଧିର କାରଣ ବିଶ୍ୱ ପାଣିପାଗର ପରିବର୍ତ୍ତନ ଘଟିଥିବା ଅସମ୍ଭବ ନୁହେଁ । ଏବେ ଜାନୁଆରୀ ଶେଷ, ଫେବୃଆରୀ ଆରମ୍ଭରେ ରାଜ୍ୟର କେତୋଟି ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଖରା ଆରମ୍ଭ ନହେଉଣୁ ରାଜ୍ୟରେ ଜଙ୍ଗଲରେ ନିିଆଁ ଲାଗିବା ରାଜ୍ୟର ପରିବେଶ ପାଇଁ ଏକ ଅଶୁଭ ସଙ୍କେତ । ଗତ କିଛିବର୍ଷ ହେଲା ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା କମିଥିବା କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ବି ଖରାଦିନେ ହଜାର ହଜାର ଘଟଣା ଘଟୁଛି । ଜଙ୍ଗଲରେ ନିଆଁ ଲାଗିବା ଘଟଣା ଯେତିକି ବଢୁଛି ରାଜ୍ୟର ତାପମାତ୍ରା ମଧ୍ୟ ସେହି ଅନୁସାରେ ବଢୁଛି । ଫେବୃଆରୀ ମାସ ପ୍ରଥମ ସପ୍ତାହରେ ପାହାଡ଼ିଆ ଅଞ୍ଚଳରେ ବି ତାପମାତ୍ରା ୧୫ ଡ଼ିଗ୍ରୀ କିମ୍ବା ତା'ଠାରୁ ସାମାନ୍ୟ ତଳେ ରହୁଛି । ଏଣେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଛି । ଘନ କୁହୁଡ଼ି ପରେ ସୂର୍ଯ୍ୟକିରଣର ତାପମାତ୍ରା ଅତିମାତ୍ରାରେ ବୃଦ୍ଧି ପାଉଛି । ଲୋକମାନଙ୍କୁ ଅଂଶୁଘାତ ଭଳି ପରିସ୍ଥିତି ସମ୍ପର୍କରେ ଏବେ ଠାରୁ ସଚେତନ କରାଯିବାର ଆବଶ୍ୟକତା ଦେଖା ଦେଲାଣି । ଲୋକମାନେ ଏବେ ଠାରୁ ସତର୍କ ନହେଲେ ତାପମାତ୍ରା ଯେତେବେଳେ ୪୪ ଡ଼ିଗ୍ରୀରେ ପହଞ୍ଚିଯିବ, ସେତେବେଳେ ସେମାନେ ବାହାରକୁ ଯିବା ଭଳି କାମ ସବୁ ରଖିଲେ ସାଧାରଣ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖା ଦେବ ।
ଆଉ ଗୋଟିଏ କଥା ହେଲେ ସହରାଞ୍ଚଳର ବିଭିନ୍ନ ରାସ୍ତାଘାଟ ଗୁଡ଼ିକରେ ପେଭର୍ ବ୍ଲକ୍ ପକାଇବା କାମ ଜୋରସୋରରେ ଚାଲିଛି । ଏହି ପେଭର୍ ବ୍ଲକ୍ ଗୁଡ଼ିକ ମଧ୍ୟ ତାପମାତ୍ରା ବୃଦ୍ଧିର କାରଣ ପାଲଟିବ । ପେଭର୍ ବ୍ଲକ୍ ବଦଳରେ ରାସ୍ତାରେ ଯଦି ଅନ୍ୟ କିଛି ପରିବେଶ ଉପଯୋଗୀ ବ୍ୟବସ୍ଥା କରି ସଡ଼କ ନିର୍ମାଣ ଏବଂ ଫୁଟ୍ପାଥ୍ ନିର୍ମାଣ କରାଯାଆନ୍ତା, ତାହା ହେଲେ ହୁଏତ କିଛି ପରିମାଣରେ ତାପମାତ୍ରା କମିଯାଆନ୍ତା । ସେହିପରି ରାସ୍ତା ଚଉଡ଼ା ନାମରେ ବିନା ବିଚାରରେ ଗଛପତ୍ର ସବୁ କାଟି ଦିଆଯାଇଛି । ସେସବୁ ଦ୍ୱାରା ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଆଦୌ ସମ୍ଭବ ନୁହେଁ । ଯେତିକି ବଡ଼ ବଡ଼ ଗଛ କଟାଗଲାଣି ତାର ପ୍ରତିବଦଳ ଗଛ ସୃଷ୍ଟି ହେବାକୁ ଅନୂନ୍ୟ ୧୫ ବର୍ଷ ଲାଗିବ । ରାସ୍ତାକଡର ବଡ଼ ବଡ଼ ଗଛଗୁଡିକୁ ବଞ୍ଚେଇ ରାସ୍ତା ନିର୍ମାଣର କୌଶଳ ପ୍ରୟୋଗ ନକରିଲେ ଆଗକୁ ତାପମାତ୍ରା ବୃଦ୍ଧିଜନିତ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ।