ବେଦ ପ୍ରବଚନ
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର :
ବେଦ ହେଉଛି ମାନବ ସଭ୍ୟତାର ପ୍ରଥମ ଶାସ୍ତ୍ର । ମାନବ ସଭ୍ୟତାର ଏହି ପ୍ରାଚୀନତମ ଗ୍ରନ୍ଥରେ ବିଶ୍ୱବ୍ରହ୍ମାଣ୍ଡର ଉତ୍ପତ୍ତି, କ୍ରମୋନ୍ନତି ଓ ଅନ୍ତର୍ଦୃଷ୍ଟି ସମ୍ବନ୍ଧୀୟ ଜ୍ଞାନ ଦିବ୍ୟଧାରାରେ ପରିବେଷିତ । ଏହି ପରମ ଗ୍ରନ୍ଥ ଅକ୍ଷୟ ବିଚାରର ମାନସରୋବର । ନିତ୍ୟ ଓ ନିଖିଳ ଜ୍ଞାନର ଅମୃତ ଭଣ୍ଡାର ବେଦରେ ବ୍ରହ୍ମ ସାକ୍ଷାତ୍କାରର ପରମତତ୍ତ୍ୱ ଓ ଚରମ ଉପଲବଧି ମହର୍ଷିମାନଙ୍କ ଦ୍ୱାରା ଅଭିବ୍ୟକ୍ତ । ଧ୍ୟାନ ଓ ସାଧନା ମାଧ୍ୟମରେ ସେମାନେ ଏହି ପରମତତ୍ତ୍ୱ ଉପଲବଧି କରିଥିବାରୁ ସେମାନଙ୍କୁ “ମନ୍ତ୍ରଦ୍ରଷ୍ଟା’ କୁହାଯାଇଛି । ବୈଦିକ ମନ୍ତ୍ରସମୂହକୁ ସେମାନେ ତିନିଗୋଟି ଶୈଳୀରେ ଅର୍ଥାତ୍ ପଦ୍ୟ, ଗଦ୍ୟ ଓ ସଙ୍ଗୀତ ଧାରାରେ ଅଭିବ୍ୟକ୍ତ କରି ଯାଇଛନ୍ତି, ଯାହାକୁ ଯଥାକ୍ରମେ ଋକ, ଯଜୁସ ଓ ସାମନ କୁହାଯାଇଛି । ସେହି ତ୍ରିଗୁଣ ମନ୍ତ୍ର ସମୂହ ‘ବେଦତ୍ରୟୀ’ ନାମରେ ଖ୍ୟାତ । ପାରମ୍ପରିକ ରୀତିରେ ବଂଶାନୁକ୍ରମେ ମହର୍ଷିମାନଙ୍କର ପୁତ୍ର, ପୋ÷ତ୍ର ଓ ପପୋ÷ତ୍ରାଦି ସେହି ବେଦତ୍ରୟୀର ମନ୍ତ୍ର ସମୂହକୁ ସ୍ମୃତିରେ ସାଇତି ରଖୁଥିବାରୁ ବେଦର ଅନ୍ୟ ନାମ ‘ଶ୍ରୁତି’ । ସମୟକ୍ରମେ ବେଦତ୍ରୟୀ ମନ୍ତ୍ର ସମୂହର ସଂରକ୍ଷଣର ଆବଶ୍ୟକତା ଅନୁଭୂତ ହେଲା । ସଂସ୍କୃତ ମହାଭାରତରୁ ପ୍ରମାଣ ମିଳେ ତ୍ରେତୟାଯୁଗରେ ‘ଅପାନ୍ତରତମା’ ନାମକ ଜନୈକ ଋଷି ବେଦର ସଂରକ୍ଷଣ ଓ ବିଭକ୍ତିକରଣର ପ୍ରୟାସ କରିଥିଲେ । ପରବର୍ତ୍ତୀ ଦ୍ୱାପର ଯୁଗରେ ମହର୍ଷି କୃଷ୍ଣ ଦ୍ୱୈପାୟନ ବାଦରାୟଣ ବେଦକୁ ଋକ୍, ଯଜୁ, ସାମ ଓ ଅଥର୍ବ ଚାରିଭାଗରେ ବିଭକ୍ତିକରଣ ପୂର୍ବକ ଲିପିବଦ୍ଧ କରି ବେଦବ୍ୟାସ ନାମରେ ପ୍ରସିଦ୍ଧି ଲାଭ କଲେ । ମୁଁ ଉପନୟନ ପରେ ବେଦପାଠ ଓ ସ୍ୱାଧ୍ୟାୟ ଆରମ୍ଭ କରିଥିଲି । ପରବର୍ତ୍ତୀ କାଳରେ ଡକ୍ଟର ଅଯୋଧ୍ୟା ଦାସ, ଡକ୍ଟର ସର୍ବାନନ୍ଦ ସରସ୍ୱତୀ ଓ ସ୍ୱାମୀ ତି୍ରଭୁବନାନନ୍ଦ ସରସ୍ୱତୀଙ୍କ ନିକଟରେ କାଶୀରେ ବେଦ ଅଧ୍ୟୟନ କଲି । ସେଠାରେ ମୁଁ ଭେଙ୍କଟ ମାଧବ, ସ୍କନ୍ଦ ସ୍ୱାମୀ, ମହୀଧର, ସାୟଣାଚାର୍ଯ୍ୟ, ଦୟାନନ୍ଦ ଓ ମାକ୍ସମୁଲାର ପ୍ରଭୃତିଙ୍କ ବେଦଭାଷ୍ୟ ପଢ଼ିବାର ସୋ÷ଭାଗ୍ୟ ଲାଭ କଲି । ଜନମାନସରୁ ବେଦ ବିସ୍ମୃତ ହୋଇଯାଇଥିବାରୁ ପୂଜ୍ୟ ଗୁରୁଦେବ ମୋତେ ବେଦର ପ୍ରଚାର ପ୍ରସାର କରିବାକୁ ଆଦେଶ ପ୍ରଦାନ କଲେ । ପୂଜ୍ୟ ଗୁରୁଦେବଙ୍କ ଆଦେଶ ଶିରୋଧାର୍ଯ୍ୟ କରି ମୁଁ ପାଞ୍ଚଦଶନ୍ଧି ଧରି ପ୍ରଚାର, ପ୍ରସାର ଓ ପ୍ରବଚନରେ ବ୍ରତୀ, ଶ୍ରୋତା ସମାଜକୁ ବେଦର ସ୍ୱରୂପ ଓ ସନେ୍ଦଶର ସୂଚନା ପ୍ରଦାନ କରି ମୁଁ ପ୍ରଭୂତ ଆନନ୍ଦ ଲାଭ କରିଛି ।
ବେଦର ବିଭକ୍ତିକରଣ ଓ ଯାନ୍ତ୍ରିକ ପ୍ରକ୍ରିୟାରେ ଚାରିଜଣ ବେଦବିତ୍ଙ୍କ ଆବଶ୍ୟକତା ରହିଅଛି । ସେମାନେ ହେଉଛନ୍ତି ହୋତା, ଅଧ୍ୱର୍ଯୁ୍ୟ, ଉଦ୍ଗାତା ଓ ବ୍ରହ୍ମା । ହୋତା ବା ଆହ୍ୱାନକର୍ତ୍ତା ମନ୍ତ୍ରୋଚ୍ଚାରଣ ପୂର୍ବକ ଦେବତାମାନଙ୍କୁ ଆହ୍ୱାନ କରନ୍ତି । ହୋତ୍ର କାର୍ଯ୍ୟନିମିତ୍ତ ଆବଶ୍ୟକ ମନ୍ତ୍ରସମୂହର ସଙ୍କଳନ ଋକ୍ବେଦରେ କରାଯାଇଛି । ମନ୍ତ୍ରମାନଙ୍କ ଉପରେ ସ୍ୱର ଲଗାଇ ମଧୁର ସ୍ୱରରେ ମନ୍ତ୍ରଗାନ କରିବା ଉଦ୍ଗାତାଙ୍କର କାର୍ଯ୍ୟ । ଏହି କାର୍ଯ୍ୟ ନିମିତ୍ତ ସାମବେଦର ସଙ୍କଳନ କରାଯାଇଛି । ବୈଦିକ ଯଜ୍ଞର ବିବିଧ ଅଙ୍ଗ ତଥା ଉପାଙ୍ଗଭୂତ ଅନୁଷ୍ଠାନମାନଙ୍କର ବିଧିବଦ୍ଧ ସଂପାଦନ କରିବା ଅଧ୍ୱର୍ଯ୍ୟଙ୍କ କାର୍ଯ୍ୟ । ଏହି ଅଧ୍ୱର୍ଯ୍ୟଙ୍କ କାର୍ଯ୍ୟ ଲାଗି ଯଜୁର୍ବେଦ ସଂହିତାର ଉପଯୋଗ କରାଯାଏ । ବୈଦିକ ଯଜ୍ଞର ସକଳ ବିଭାଗକୁ ବିଧିବତ୍ ନିରୀକ୍ଷଣ କରିବା ବ୍ରହ୍ମାଙ୍କର କାର୍ଯ୍ୟ, ବ୍ରହ୍ମା ସକଳ ବେଦର ଜ୍ଞାତା ହେଲେ ହେଁ ବେଦତ୍ରୟୀ ମନ୍ତ୍ର ସହିତ ସଂପୃକ୍ତ ନୁହନ୍ତି । କେତେକ ସ୍ୱତନ୍ତ୍ର ଅଥର୍ବଣ ଓ ଅଙ୍ଗରସ ଋଷି ଉପଲବଧି କରିଥିଲେ, ଯାହାର ଏକତ୍ର ସଙ୍କଳନ ଅଥର୍ବ ବେଦ । ମହର୍ଷି ବ୍ୟାସଦେବ ଚାରିବେଦକୁ ସଙ୍କଳନ କରି ନିଜର ଚାରି ପ୍ରମୁଖ ଶିଷ୍ୟଙ୍କୁ ଶିକ୍ଷା ଦେଇଥିଲେ, ଯଥା:- ପୌଲଙ୍କୁ ଋକ୍ବେଦ, ଜୈମିନିଙ୍କୁ ସାମବେଦ, ବୈଷମ୍ୟୟନଙ୍କୁ ଯଜୁର୍ବେଦ ଓ ସୁମନ୍ତଙ୍କୁ ଅଥର୍ବ ବେଦ ଶିକ୍ଷା ଦେଲେ । ଏହାପରେ ବେଦର ଅଧ୍ୟୟନ, ଅଧ୍ୟାପନା, ଅନୁଶୀଳନ, ପ୍ରଚାର ଓ ପ୍ରସାର ପ୍ରଭୃତି ଘଟିଲା । ଇତିମଧ୍ୟରେ ପାଞ୍ଚହଜାର ବର୍ଷରୁ ଊଦ୍ଧ୍ୱର୍ ଅତୀତ ହୋଇଯାଇଛି । କାଳର କରାଳ ଗତିରେ ବେଦର ବହୁଳାଂଶ ସଂପ୍ରତି ଅନୁପଲବ୍ଧ । ପ୍ରାୟ ଦୁଇହଜାର ବର୍ଷ ପୂର୍ବେ ମହର୍ଷି ପତଞ୍ଜଳିଙ୍କ ରଚିତ ମହାଭାଷ୍ୟ ଅନୁସାରେ ଋକ୍ବେଦର ୨୧ ଶାଖା, ସାମବେଦର ୧୦୦୦ ଶାଖା, ଯଜୁର୍ବେଦର ୧୦୦ ଶାଖା ଓ ଅଥର୍ବ ବେଦର ୯ ଶାଖା ଥିଲା । ସର୍ବମୋଟ ୧୧୩୦ ଶାଖା ମଧ୍ୟରୁ ବର୍ତ୍ତମାନ ମାତ୍ର ଦଶବାରଟି ମିଳୁଅଛି ।
ବେଦ ଭାରତୀୟ ଧର୍ମ ଓ ଦର୍ଶନର ପ୍ରାଣ । ଭାରତୀୟ ଧର୍ମରେ ଯେଉଁ ଜୀବନୀ ଶକ୍ତି ଦୃଷ୍ଟିଗୋଚର ହୁଏ, ତାର ମୂଳକାରଣ ହେଉଛି ବେଦ । ଧର୍ମକୁ ସାକ୍ଷାତ କରିବା ନିମିତ୍ତ ମହର୍ଷିମାନଙ୍କ ଦ୍ୱାରା ଅନୁଭୂତ ପରମ ତତ୍ତ୍ୱମାନଙ୍କର ପରିଚାଳକ ହେଉଛି ବେଦ । ଇଷ୍ଟପ୍ରାପ୍ତି ଓ ଅନିଷ୍ଟର ପରିହାରର ଅଲୋ÷କିକ ଉପାୟ ବତାଇବା ପାଇଁ ବେଦ ହିଁ ପରମଗ୍ରନ୍ଥ । ପ୍ରତ୍ୟକ୍ଷର ଅଗମ୍ୟ ଓ ଅନୁମାନଦ୍ୱାରା ଅନୁଭାବିତ ଉପାୟମାନଙ୍କୁ ବୋଧ କରାଇବାରେ ବେଦର ବେଦତା ଜଣାପଡେ । ଶାଙ୍କର ଭାଷ୍ୟରେ କୁହାଯାଇଛି, ‘ପ୍ରୁତଶ୍ଚନଃ ପ୍ରମାଣମତୀନ୍ଦ୍ର ୟାର୍ଥ ବି ଜ୍ଞାନୋହାଭୋ÷’ । ବେଦର ଦୁଇଟି ବିଭାଗ ରହିଛି, ଯଥା:- ମନ୍ତ୍ର ଓ ବ୍ରାହ୍ମଣ । ସେଥିନିମିତ୍ତ କୁହାଯାଇଛି, ‘ମନ୍ତ୍ର ବ୍ରାହ୍ମଣାତ୍ମକୋ ବେଦଃ” । କୋ÷ଣସି ଦେବତା ବିଶେଷର ସ୍ତୁତିରେ ପ୍ରଯୁକ୍ତ ହେବା, ଅର୍ଥସ୍ମାରକ ବାକ୍ୟକୁ ମନ୍ତ୍ର କୁହାଯାଏ । ଯଜ୍ଞାନୁଷ୍ଠାନର ବିସ୍ତୃତ ବର୍ଣ୍ଣନାତ୍ମାକ ଗ୍ରନ୍ଥକୁ ବ୍ରାହ୍ମଣ କୁହାଯାଏ । ମନ୍ତ୍ର ସମୁଦାୟକୁ ସଂହିତା କୁହାଯାଏ । ସଂହିତା ଚାରିଗୋଟି, ଯଥା:- ଋଗ୍ବେଦ ସଂହିତା, ସାମବେଦ ସଂହିତା, ଯଜୁର୍ବେଦ ସଂହିତା ଓ ଅଥର୍ବବେଦ ସଂହିତା । ମହର୍ଷି ବେଦବ୍ୟାସ ଯଜ୍ଞର ଆବଶ୍ୟକତା ଦୃଷ୍ଟିରୁ ଏହି ସଂହିତା ଚତୁଷ୍ଟୟ ସଙ୍କଳନ କରିଥିଲେ ବୋଲି ପୂର୍ବରୁ ଦ୍ୱିତୀୟ ପରିଚ୍ଛେଦରେ ଉଲ୍ଲେଖ କରାଯାଇଛି । ବେଦର ତିନୋଟି ବିଭାଗ ରହିଛି, ଯଥା:- ସଂହିତା, ବ୍ରାହ୍ମଣ ଓ ଆରଣ୍ୟକ । ମନ୍ତ୍ରସମୂହ ହେଉଛି ସଂହିତା । ବ୍ରାହ୍ମଣ ଗ୍ରନ୍ଥରେ ଯାଗଯଜ୍ଞାଦିର ଅନୁଷ୍ଠାନ ଲାଗି ଅତି ବିସ୍ତୃତ ଓ ପରିନିଷ୍ଠିତ ବର୍ଣ୍ଣନ କରାଯାଇଛି । ବ୍ରାହ୍ମଣ ନାମକରଣର କାରଣ ଏହି ଯେ, ଏହାର ପ୍ରଧାନ ବିଷୟ ‘ବ୍ରହ୍ମନ୍’ । ଆରଣ୍ୟକର ସ୍ଥାନ ବ୍ରାହ୍ମଣ ପରେ । ଅରଣ୍ୟରେ ପଠନୀୟ ହେବାରୁ ଏହାର ନାମ ଆରଣ୍ୟକ । ଆରଣ୍ୟକ ଗ୍ରନ୍ଥମାନଙ୍କରେ ବାନପ୍ରସ୍ଥ ଆଶ୍ରମର କ୍ରିୟାକଳାପର ବର୍ଣ୍ଣନା ବିଦ୍ୟମାନ । ବିଶେଷତଃ, ଯାଗବିଧାନର ଆଧ୍ୟାତ୍ମିକ ରହସ୍ୟମାନଙ୍କର ମୀମାଂସା ଏହି ଗ୍ରନ୍ଥମାନଙ୍କରେ ଉପଲବଧ ହୁଏ । ଆରଣ୍ୟକମାନଙ୍କର ଅନ୍ତିମ ଭାଗ ହିଁ ‘ଉପନିଷଦ’ । ଉପନିଷଦମାନଙ୍କରେ ଅଧ୍ୟାତ୍ମ ବିଷୟକ ମହତ୍ତ୍ୱପୂର୍ଣ୍ଣ ବିଷୟମାନଙ୍କୁ ବିଦ୍ବତ୍ତାପୂର୍ଣ୍ଣ ରୀତିରେ ବିବେଚନ କରାଯାଇଛି । ଉପନିଷଦକୁ ବେଦାନ୍ତ କୁହାଯାଏ । ଏହି ନାମକରଣର ଦୁଇଟି କାରଣ ରହିଛି । ବେଦର ‘ଅନ୍ତ’ରେ ଏହାର ଧ୍ୟାନ କରାଯାଇଛି ଓ ଏହା ବେଦର ଅନ୍ତିମ ଭାଗ ଅଟେ । ଏହି କାରଣରୁ ଏହାକୁ ବେଦାନ୍ତ ବା ଉପନିଷଦ କୁହାଯାଇଛି । ଦ୍ୱିତୀୟ କାରଣ ହେଉଛି, ଏଥିରେ ବେଦମାନଙ୍କର ନିଶ୍ଚିତ ପ୍ରତିପାଦ୍ୟ ସିଦ୍ଧାନ୍ତ ବିବେଚିତ ହୋଇଅଛି । ଏହି କାରଣରୁ ଅଧ୍ୟାତ୍ମଶାସ୍ତ୍ର ବିନାୟକ ଗୂଢସମସ୍ୟାମାନ ନିର୍ଣ୍ଣୟ କରିବା ନିମିତ୍ତ ଉପନିଷଦର ମହତ୍ତ୍ୱ ରହିଛି ।
ପ୍ରତିପାଦିତ ବିଷୟ ଦୃଷ୍ଟିରୁ ବେଦର ଦୁଇଟି ବିଭାଗ, ଯଥା- କର୍ମକାଣ୍ଡ ଓ ଜ୍ଞାନକାଣ୍ଡ । ସଂହିତା, ବ୍ରାହ୍ମଣ ଓ ଆରଣ୍ୟକ ସମୂହରେ କର୍ମର ବିବେଚନା ହୋଇଥିବାରୁ ଏଗୁଡିକୁୁ କର୍ମକାଣ୍ଡ ଭିତରେ ଅନ୍ତର୍ଭୁକ୍ତ କରାଯାଇଛି । ଉପନିଷଦ ସମୂହରେ ଜ୍ଞାନର ବିବେଚନା ହୋଇଥିବାରୁ ତାହାକୁ ଜ୍ଞାନକାଣ୍ଡର ଅନ୍ତର୍ଭୁକ୍ତ କରାଯାଇଛି । ଭାରତୀୟ ଦର୍ଶନମାନଙ୍କର ମୂଳ ସିଦ୍ଧାନ୍ତ ଏହି ଉପନିଷଦମାନଙ୍କରେ ପ୍ରତିପାଦିତ କରାଯାଇଛି । କର୍ମପ୍ରଧାନ ହେଲେ ମଧ୍ୟ ସଂହିତା ବିଭାଗରେ ବିପୁଳ ଅଧ୍ୟାତ୍ମବାଦର ରହସ୍ୟ ଉଦ୍ଘାଟିତ ହୋଇଅଛି । ପ୍ରଥମେ ମୁଁ ଶ୍ରୋତାମାନଙ୍କୁ ସଂହିତା ଓ ଆରଣ୍ୟକ ଭାଗରେ ଉପଲବଧ ଦାର୍ଶନିକ ବିଷୟ ସମୂହ ପରିବେଷଣ କରିଥିଲି । ବୈଦିକ ସାହିତ୍ୟର ଯେଉଁ ଅଂଶ ପ୍ରକାଶିତ ହୋଇଛି, ତାହା ଅଧିକ ହେଲେ ହେଁ ଅପ୍ରକାଶିତ ଅଂଶର ମାତ୍ରା ମଧ୍ୟ ନୂ୍ୟନ ନୁହେଁ । ଦୁଃଖର ବିଷୟ, କାଳର କରାଳଗତିରେ ବେଦର ଅନେକ ଶାଖା ଲୁପ୍ତ ହୋଇଯାଇଛି । ବେଦର ମୋଟ ୧୧୩୦ ଶାଖା ମଧ୍ୟରୁ ଏକ ଶତାଂଶ ମିଳିଛି ତଥା ୯୯ଭାଗ ଲୁପ୍ତ । ବର୍ତ୍ତମାନ କେବଳ ଦଶବାରଟି ଶାଖା ମିଳୁଅଛି । ବିଷୟ ଦୃଷ୍ଟିରୁ ସମସ୍ତ ସଂହିତାମାନଙ୍କ ମଧ୍ୟରେ ଋଗବେଦ ସଂହିତା ମହତ୍ତ୍ୱପୂର୍ଣ୍ଣ ଓ ପ୍ରଥମ ବୋଲି ସ୍ୱୀକୃତ ହୋଇଛି । ଋଗବେଦର ସୂକ୍ତମାନଙ୍କର ସଂଖ୍ୟା ସମସ୍ତ ମିଶି ୧୦୨୮ । ଋଗ୍ବେଦର ବିଭାଗ ଦୁଇ ପ୍ରକାରେ ଉପଲବଧ ହୁଏ, ଯଥା- ମଣ୍ଡଳ, ଅନୁବାକ୍ ଓ ସୂକ୍ତ ତଥା ଅଷ୍ଟକ, ଅଧ୍ୟାୟ ଓ ସୂକ୍ତ । ଋକ୍ବେଦ ୧୦ ଗୋଟି ମଣ୍ଡଳରେ ବିଭକ୍ତ । ପ୍ରତ୍ୟେକ ମଣ୍ଡଳର ଉପବିଭାଗକୁ ଅନୁବାକ୍ ଓ ଅନୁବାକ୍ର ବିଭାଗକୁ ସୂକ୍ତ କୁହାଯାଏ । ଅଷ୍ଟକମାନଙ୍କର ସଂଖ୍ୟା ଆଠ । ପ୍ରତ୍ୟେକ ଅଷ୍ଟକରେ ଆଠଟି କରି ଅଧ୍ୟାୟ ରହିଛି । ଋକ୍ବେଦରେ ମୋଟ ୬୪ଟି ଅଧ୍ୟାୟ ଅଛି । ଅଧ୍ୟାୟମାନଙ୍କ ଭିତରେ ସୂକ୍ତ ରହିଛି । ଏହି ଦୁଇବିଭାଗ ଅର୍ଥାତ ମଣ୍ଡଳ ଓ ଅଷ୍ଟକ ମଧ୍ୟରେ ପ୍ରଥମ ବିଭାଗ ମଣ୍ଡଳ ଐତିହାସିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ।ଏହି ମଣ୍ଡଳମାନଙ୍କ ମଧ୍ୟରୁ ପ୍ରଥମ ଓ ଦଶମ ମଣ୍ଡଳରେ ଭିନ୍ନ ଭିନ୍ନ ଋଷିମାନଙ୍କ ଦ୍ୱାରା ଦୃଷ୍ଟ ମନ୍ତ୍ରମାନ ରହିଛି । ନବମ ମଣ୍ଡଳରେ କେବଳ ସୋମବିଷୟକ ମନ୍ତ୍ର ଅଛି । ଦ୍ୱିତୀୟ ମଣ୍ଡଳ ଠାରୁ ଅଷ୍ଟମ ମଣ୍ଡଳ ପର୍ଯ୍ୟନ୍ତ ଋଷିମାନଙ୍କର ନାମ କ୍ରମଶଃ ଗୃତ୍ସମଦ, ବିଶ୍ୱାମିତ୍ର, ବାମଦେବ, ଅତି୍ର, ଭାରଦ୍ୱାଜ, ବଶିଷ୍ଟ ଓ କଣ୍ୱ । ଏହି ଋଷିମାନେ ମନ୍ତ୍ରମାନଙ୍କର ଦ୍ରଷ୍ଟା, ମାତ୍ର ରଚୟିତା ନୁହନ୍ତି ।
ଋଗବେଦର ଆଧ୍ୟାତ୍ମିକ ତତ୍ତ୍ୱର ବିବେଚନ ଶ୍ରୋତାମାନଙ୍କ ନିକଟରେ ମୁଁ ସାବଲୀଳ ଧାରାରେ ପରିବେଷଣ କରିଥିଲି । ମୁଁ ସୂଚନା ପ୍ରଦାନ ପୂର୍ବକ କହିଥିଲି ଯେ ଦେବତା ସ୍ତ୍ରୁତି ହିଁ ବେଦମାନଙ୍କର ପ୍ରଧାନ ବିଷୟ । ନିରୁକ୍ତକାର ଯାସ୍ମ ସ୍ଥାନ ଦୃଷ୍ଟିରେ ଦେବତାମାନଙ୍କୁ ତିନିଶ୍ରେଣୀରେ ବିଭାଗ କରି ଅଛନ୍ତି, ଯଥା- ପୃଥ୍ୱୀସ୍ଥାନ ଅନ୍ତରୀକ୍ଷ ସ୍ଥାନ ଓ ଦୁ୍ୟସ୍ଥାନ । ପୃଥ୍ୱୀସ୍ଥାନ ଦେବତାମାନଙ୍କ ମଧ୍ୟରେ ଅଗ୍ନିର ସ୍ଥାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ । ଅନ୍ତରୀକ୍ଷ ସ୍ଥାନ ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର ଓ ଦୁ୍ୟସ୍ଥାନ ଦେବତାମାନଙ୍କ ମଧ୍ୟରେ ସୂର୍ଯ୍ୟ, ସବିତା ଓ ବିଷ୍ଣୁ ଆଦି ସୋ÷ର ଦେବତାମାନଙ୍କ ସ୍ଥାନ ମହତ୍ତ୍ୱପୂର୍ଣ୍ଣ । ଅଗ୍ନି ପ୍ରାଣୀମାନଙ୍କର ହିତକାରୀ । ପ୍ରାଚୀନ ଓ ଆର୍ବାଚୀନ ଋଷି ଅଗ୍ନିଙ୍କର ସ୍ତୁତି କରିଛନ୍ତି । ତାଙ୍କ କୃପାରୁ ପ୍ରାଣୀଗଣ ଧନ, ଅନ୍ନ, ପୁତ୍ର, ପୋ÷ତ୍ର ତଥା ସମୃଦ୍ଧି ଲାଭ କରନ୍ତି । ବୈଦିକ ଦେବତାମାନଙ୍କ ମଧ୍ୟରେ ବରୁଣଙ୍କର ସ୍ଥାନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ସେ ବିଶ୍ୱକ୍ଚକ୍ଷୁ ଅର୍ଥାତ୍ ସର୍ବତ୍ର ଦୃଷ୍ଟି ରଖିବା ଦେବତା, ଧୃତ ବ୍ରତ ଅର୍ଥାତ୍ ନିୟମଧାରଣକାରୀ, ସୁତ୍ରଡୁ ବା ଶୋଭନବର୍ମା ଓ ସମ୍ରାଟ୍ ବା ସମ୍ୟକ୍ ରୂପେ ପ୍ରକାଶିତ ତଥା ଶାସନ କରିବା ଦେବତା ବୋଲି ବର୍ଣ୍ଣନା କରାଯାଇଛି । ବରୁଣ ଶୁଭାଶୁଭ କର୍ମର ଦ୍ରଷ୍ଟା ଓ କର୍ମର ଫଳଦାତା ବୋଲି କୁହାଯାଇଛି । ଇନ୍ଦ୍ର ସକଳ ବୀର ଯୋଦ୍ଧାମାନଙ୍କୁ ସମରାଙ୍ଗଣରେ ବିଜୟ ପ୍ରଦାନକାରୀ ଦେବତା । ସେ ବଜ୍ରଧାରୀ ଏବଂ ଏହି ବଜ୍ରରେ ବୃତାଦି ଅନେକ ରାକ୍ଷସଙ୍କୁ ବାଧ୍ୟ କରିଥିଲେ ଓ ଶତ୍ରୁମାନଙ୍କର ଅନେକ ନଗର ଚ୍ଛିନ୍ନ ଭିନ୍ନ କରି ପକାଇଥିଲେ । ଇନ୍ଦ୍ରଙ୍କ ଅନୁଗ୍ରହରେ ଆର୍ଯ୍ୟମାନେ କୃ୍ଷ୍ଣବର୍ଣ୍ଣର ଦସୁ୍ୟମାନଙ୍କୁ ପର୍ବତମାନଙ୍କ ଭିତରକୁ ଘଉଡାଇ ଦେଇଥିଲେ ଓ ବୃତ୍ରାସୁର ଦ୍ୱାରା ଅବରୁଦ୍ଧ ହୋଇଥିବା ଗାଈମାନଙ୍କ ଉଦ୍ଧାର କରିଥିଲେ । ଇନ୍ଦ୍ର ହେଉଛନ୍ତି ବୃଷ୍ଟିର ଦେବତା । ବିଷ୍ଣୁ ଆକାଶଗାମୀ ସନ୍ତତ କ୍ରିୟାଶୀଳ ସୂର୍ଯ୍ୟଙ୍କ ପ୍ରତୀକ । ବିଷ୍ଣୁ ପାଦରେ ଏହି ପୃଥ୍ୱୀକୁ ମାଗି ନେଇଥିଲେ । ଏହି କାରଣରୁ ତାଙ୍କ ନାମ ଉଚାଗାୟ ଓ ଉରିକ୍ରମ ହୋଇଅଛି । ତୃତୀୟ ଲୋକରେ ଯେଉଁ ସ୍ଥାନରେ ତାଙ୍କର ତୃତୀୟ ପାଦବିନ୍ୟାସ କରାଯାଇଛି, ସେଠାରେ ‘ମଧୁ’ କୂପ ରହିଛି । ସେହି ସ୍ଥାନରେ ଶୀଘ୍ର ଗାମିନୀ ଭୂରିଶୃଙ୍ଗ ଗାଈମାନେ ଯିବା ଆସିବା କରୁଅଛନ୍ତି ।
ଯତ୍ର ଗାବୋ ଭୁରିଶୃଙ୍ଗାଃ ଆୟାସଃ (ଋଗ୍ବେଦ ୧ ।୧୫୪ ।୬)
ବୃହତ୍ ବ୍ରହ୍ମସଂହିତାର କଥନ ଅନୁଯାୟୀ ବୈଷ୍ଣବମାନଙ୍କର ଗୋଲୋକର କଳ୍ପନାର ଆଧାର ଏହି ମନ୍ତ୍ର ଅଟେ । ଭଗବାନଙ୍କର ପରମ ପଦର ନାମ ଏହି ଗୋଲୋକ ଅଟେ । ଗୋଲୋକରେ ସୂର୍ଯ୍ୟଙ୍କର ନିରବିଚ୍ଛିନ୍ନ ପ୍ରସାର ଅଛି । ସବିତୃଦେବ ସୁପ୍ତ ପ୍ରାଣୀମାନଙ୍କ ମଧ୍ୟରେ ଜୀବନ ସଞ୍ଚାର କରି ପୁଣି ପ୍ରବୃତ୍ତ କରାନ୍ତି । ପୂଷା ବାଟ ଭୁଲିଯାଇଥିବା ଲୋକଙ୍କୁ ମାର୍ଗ ବିତାଇଥାନ୍ତି । ତାଙ୍କ ରଥକୁ ଛେଳିମାନେ ଟାଣନ୍ତି ଓ ତାଙ୍କ ହାତରେ ଚାବୁକ୍ ଥାଏ । ସେ ମୃତ ପ୍ରାଣୀମାନଙ୍କୁ ପିତୃମାନଙ୍କ ନିକଟକୁ ନେଇଯାଆନ୍ତି । ମିତ୍ର ମାନବକଲ୍ୟାଣକାରୀ । କେବଳ ଦେବତା ନୁହନ୍ତି । ଦେବୀମାନଙ୍କର କମନୀୟ କଳ୍ପନା ଋଗବେଦରେ ଦୃଷ୍ଟିଗୋଚର ହୁଏ । ଦେବୀ ଉଷା ‘ଦ୍ୟୋଃ’ ଆକାଶର ପୁତ୍ରୀ ଓ ସମସ୍ତଙ୍କ ଠାରୁ ସୁନ୍ଦରୀ । ସେ ହେଉଛନ୍ତି ତମୋମୟୀ ରଜନୀଙ୍କର ରମଣୀୟ ରୂପଧାରିଣୀ ଭଗିନୀ । ସେ ବହୁ ପୁରାତନ ମଧ୍ୟ ଯୁବତୀ ଅଟନ୍ତି । ଋଗ୍ବେଦର ମନ୍ତ୍ରମାନଙ୍କରେ ସବୁଠାରୁ ଅତିଶୟ ସ୍ଥଳର କମନୀୟ କଳ୍ପନାଯୁକ୍ତ ମନ୍ତ୍ର ଉଷାଦେବୀଙ୍କ ସ୍ତୁତିରେ ପ୍ରଯୁକ୍ତି ହୋଇଛି ।
ବୈଦିକ ଆର୍ଯ୍ୟମାନେ ବିଭିନ୍ନ ପ୍ରାକୃତିକ ଲୀଳା ସୁଗମ ଉପାୟରେ ବୁଝିବା ପାଇଁ ଭିନ୍ନ ଭିନ୍ନ ଦେବଦେବୀଙ୍କର କଳ୍ପନା କରିଥିଲେ । ସେମାନଙ୍କର ବିଶ୍ୱାସ ରହିଥିଲା ଯେ ଏହି ବିଶ୍ୱ ଦେବଦେବୀଙ୍କ କ୍ରୀଡା ନିକେତନ ଏବଂ ଏହି ଦେବଦେବୀଙ୍କ ଅନୁଗ୍ରହରୁ ସକଳ କାର୍ଯ୍ୟ ସଂପନ୍ନ ହୁଏ । ପାଶ୍ଚାତ୍ୟ ବିଦ୍ୱାନମାନେ ମତ ଦିଅନ୍ତି ଯେ ବୈଦିକ ଦେବତାଗଣ ଭୋ÷ତିକ ଜଗତର ପ୍ରାକୃତିକ ଦୃଶ୍ୟମାନଙ୍କର ଅଧିଷ୍ଠାତା । ଋକବେଦ ରଚନା ପ୍ରାରମ୍ଭରେ ବହୁ ଦେବତାଙ୍କ ସତ୍ତା ସ୍ୱୀକୃତ ହୋଇଥିଲା । କାଳାନ୍ତରରେ ସେମାନେ ଏକେଶ୍ୱରବାଦକୁ ସ୍ୱୀକାର କଲେ ଏବଂ ପରବର୍ତ୍ତୀ କାଳରେ ସର୍ବେଶ୍ୱରବାଦର କଳ୍ପନା ହେଲା । ସର୍ବେଶ୍ୱର ବାଦର କଳ୍ପନା ପୁରୁଷ ସୂକ୍ତରେ ଅଛି, ଯାହାକି ପାଶ୍ଚାତ୍ୟମାନଙ୍କ ମତରେ ଅର୍ବାଚୀନ । କିନ୍ତୁ ସେମାନଙ୍କ ବୈଦିକ ଦେବତାବାଦର ଉତ୍ପତ୍ତି ଓ ବିକାଶକ୍ରମ ସଂପୂର୍ଣ୍ଣ ନିରାଧାର । ବୈଦିକ ଦେବତା ତତ୍ତ୍ୱ ବିଷୟରେ ଅଜ୍ଞାନର ଏହାହିଁ ପରିଣାମ । ବେଦର ସ୍ୱାଧ୍ୟାୟ ବିଭିନ୍ନ ଭାଷ୍ୟ ଅଧ୍ୟୟନ କଲେ ପାଶ୍ଚାତ୍ୟ ବିଦ୍ୱାନଙ୍କ ମତ ଭୁଲ ବୋଲି ହୃଦବୋଧ ହୁଏ । ମହର୍ଷିମାନଙ୍କର ଦେବତା କଳ୍ପନା ଭୋ÷ତିକ ନଥିଲା ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨