ଭଦ୍ରକରେ ଅପରେସନ୍ ‘ଲୋଟସ୍’ : ମନମୋହନଙ୍କ ରଣନୀତିରେ ବିଜେଡ଼ି ଛାନିଆ
ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କର ଜିଲ୍ଳା ହେଉଛି ଭଦ୍ରକ । ତେଣୁ ଭଦ୍ରକରେ ବିଜେଡ଼ିକୁ ଖିନଭିନ କରି ବିଜେପିକୁ ମଜବୁତ କରିବା ପାଇଁ ସେ ପଣ କରିଛନ୍ତି । ଭଣ୍ଡାରୀପୋଖରୀ ଓ ଭଦ୍ରକରେ ବିଜେଡ଼ିକୁ ଶକ୍ତ ଝଟକା ଦେବା ପରେ ଏବେ ବାସୁଦେବପୁରରେ ବଡ଼ ଧରଣର ମିଶ୍ରଣ ପର୍ବ କରିଛି ବିଜେପି । ନିକଟରେ ଭଦ୍ରକ ବିଜେଡ଼ିକୁ ଶକ୍ତ ଝଟକା ଲାଗିଥିଲା । ଗୋଟିଏ ଦିନରେ ୪ ବ୍ଳକ ଅଧ୍ୟକ୍ଷଙ୍କ ସମେତ ୫୦ରୁ ଉଦ୍ଧ୍ୱର୍ ସରପଞ୍ଚ ଓ ସମିତିସଭ୍ୟ ବିଜେପିରେ ସାମିଲ୍ ହୋଇଥିଲେ । ବିଶେଷକରି ଭଦ୍ରକର ଟାଣୁଆ ବିଜେଡ଼ି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବି ବିଜେପିରେ ଯୋଗଦେଇଥିଲେ ।
ଅପରପକ୍ଷରେ ବାସୁଦେବପୁରର ଅନେକ ଟାଣୁଆ ବିଜେଡ଼ି ନେତା ଶଙ୍ଖକୁ ବାଏବାଏ କରି ପଦ୍ମ ଧରିଛନ୍ତି । ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥୀ ବଳ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ବ୍ୟତୀତ ଗୋବିନ୍ଦପୁର ପଞ୍ଚାୟତର ସମିତିସଭ୍ୟ ଅର୍ଚ୍ଚନା ଜେନା, ଅସିତ୍ ନାୟକ, ପୂର୍ବତନ ସରପଞ୍ଚ ପୀତବାସ ଖିଲାର, ଆନ୍ଦୋଳ ପଞ୍ଚାୟତର ସରପଞ୍ଚ କାମଦେବ ମଲ୍ଲିକ, ସମିତିସଭ୍ୟ ଶାନ୍ତିବାଳା ନାୟକ, ରଶ୍ମୀ ରଞ୍ଜନ ନାୟକ, ନାଏବ ସରପଞ୍ଚ ସୁଶାନ୍ତ ପରିଡା, ଜଗନ୍ନାଥ ପ୍ରସାଦ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ହରେକୃଷ୍ଣ ଦତ୍ତ, ବିପିନି ମଲ୍ଲିକ, ସମିତି ସଭ୍ୟ ଉର୍ମିଳା ପରିଡା, ନାଏବ ସରପଞ୍ଚ ଯୋଗେନ୍ଦ୍ର ଦାସ, ବିଜେଡି ପୂର୍ବତନ ଯୁବ ସଭାପତି ଅରୁଣ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ମଞ୍ଜୁଲତା ବଳ; ବାସୁଦେବପୁର ମ୍ୟୁନିସିପାଲଟିର କାଉନସିଲର୍ ସୁଚିସ୍ମିତା ଗିରି, ଗରପଦା ଗିରି, ବଂଶୀଧର ବେହେରା, ନିରୋଦ ବେହେରା ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ଏନେଇ ମନମୋହନ କହିଛନ୍ତିଯେ, ଓଡିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ବିଜେପି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ବଢ଼ିଚାଲିଛି । ରାଜ୍ୟରେ ଡବଲ ଇଂଜିନ ସରକାରର ବିକାଶ ମଡେଲ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ଏବେ ବିଜେପି ମୁହାଁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନ ଆହୁରି ଶକ୍ତିଶାଳୀ ହୋଇଛି । ସଶକ୍ତ ସଂଗଠନ ଗଢି ତୋଳିବାର ଦାୟିତ୍ୱ ଆମ ସମସ୍ତଙ୍କର ବୋଲି ମନମୋହନ କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଓ ବାସୁଦେବପୁରର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।