‘ଲୋକଙ୍କୁ ସୁବିଧାରେ ସେବା ଯୋଗାଇବା ଆମ ଲକ୍ଷ୍ୟ’
ସ୍ପେଶାଲ ସର୍କିଟ୍ ହାଉସ୍ର ନୂଆ ଆନେକ୍ସ ବିଲ୍ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍ର ନୂଆ ଆନେକ୍ସ ବିଲ୍ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟଯେ, ସ୍ପେଶାଲ ସର୍କିଟ୍ ହାଉସ୍ ବିଲ୍ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ । ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ୪ ମହଲା ବିଶିଷ୍ଟ ଏହି ବିଲ୍ଡିଙ୍ଗଟି ପ୍ରାୟ ୩,୬୭୨ ବର୍ଗ ମିଟର ଅଞ୍ଚଳରେ ୧୮ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ । ଏହି ଅବସରରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କଟକର ନୂତନ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଯେଉଁମାନେ ଜମିଜମା କାମରେ ତହସିଲ ଓ ସବ୍-ରେଜିଷ୍ଟର ଅଫିସକୁ ଆସିବେ, ସେମାନେ ସୁବିଧାରେ ସମସ୍ତ ସେବା ପାଇପାରିବେ । ଏହାଦ୍ୱାରା ଲୋକଙ୍କ ସମସ୍ୟା ଅଫିସରେ ସୁବିଧାରେ ସମାଧାନ ହୋଇପାରିବ । ସେମାନଙ୍କୁ ଆଉ ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ।
ଆମର ମୂଳଲକ୍ଷ୍ୟ ହେଉଛି ସବୁ କ୍ଷେତ୍ରରେ ଲୋକଙ୍କୁ ସହଜରେ ଓ ସୁବିଧାରେ ବିଭିନ୍ନ ସରକାରୀ ସେବା ଯୋଗାଇଦେବା । ଏହାଦ୍ୱାରା ଲୋକଙ୍କ ଇଜ୍ ଅଫ୍ ଲିଭିଙ୍ଗ୍ରେ ଉନ୍ନତି ଆସିପାରିବ । ଏହି ଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଜାରିରହିବ । ଜମିଜମା ସଂକ୍ରାନ୍ତରେ ତହସିଲ ଅଫିସଗୁଡିକ ଏକ ୱାନ ଷ୍ଟପ ସଲ୍ୟୁସନ ଭଳି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେଯେ, ରାଜ୍ୟର ସବୁ ତହସିଲରେ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୧ରେ ୧୩ ଜିଲ୍ଲାର ୪୪ ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟର ଉଦ୍ଘାଟନ କରାଯାଇଛି । ପ୍ରାୟ ୫୬ଟି ତହସିଲ ଛାଡି ସବୁ ତହସିଲ ସବ୍-ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇଛି । ଏଗୁଡିକ ମଧ୍ୟ ଖୁବ୍ଶୀଘ୍ର ଖୋଲାଯିବ । ଏହାର ନୂଆ ଅଫିସ୍ ବିଲଡିଙ୍ଗ ମଧ୍ୟ କରାଯିବ । ଜମିଜମା ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ବିଷୟ ନେଇ ଅଧିକାଂଶ ବ୍ୟବସ୍ଥାକୁ ଆମେ ଡିଜିଟାଲ ମାଧ୍ୟମରେ କରୁଛୁ । ଟେକ୍ନୋଲୋଜି ବ୍ୟବହାର କରି ରାଜସ୍ୱ ସେବାକୁ ମଧ୍ୟସ୍ଥି ମୁକ୍ତ ଓ ଦୁର୍ନୀତି ମୁକ୍ତ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଷ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ସେଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ ।