ଭରତପୁର ରିପୋର୍ଟ ଦେଲେ ତଦନ୍ତ କମିଶନ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଭରତପୁର ଥାନା ସେନା-ପୋଲିସ ବିବାଦ ମାମଲାର ରିପୋର୍ଟ ଦେଲେ କମିଶନ । ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟିକ କମିଶନ । ମୁଖ୍ୟମନ୍ତ୍ରୀଙ୍କୁ ୨୮୩ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ନ୍ୟାୟିକ କମିଶନ ।ମାମଲାରେ ୪୨ ଜଣ ସାକ୍ଷୀ ସାକ୍ଷ୍ୟ ଦେବାର ଥିଲା, ୩ ଜଣ ଆର୍ମି ଅଫିସର ସାକ୍ଷୀ ଦେଇଛନ୍ତି । ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ସରିଥିଲା । ତେବେ, ସାକ୍ଷୀ ଓ ମୁଖ୍ୟ ଅଭିଯୋଗକାରୀଙ୍କ ବଦଳି ପାଇଁ ତଦନ୍ତରେ ସାମାନ୍ୟ ବିଳମ୍ବ ହୋଇଥିବା ଜଣାପଡ଼ିଛି । ତଦନ୍ତ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆ ଯାଇଥିବାରୁ କମିଶନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭରତପୁର ଥାନା ମାମଲାର ନ୍ୟାୟିକ ତଦନ୍ତ ଲାଗି ସରକାର ୨୦୨୪ ସେପ୍ଟେମ୍ବର ୨୨ରେ ତଦନ୍ତ କମିଶନ ଗଠନ କରିଥିଲେ । ପ୍ରାୟ ୫୨୫ ସତ୍ୟପାଠ ସହ ଏକାଧିକ ବ୍ୟକ୍ତିଙ୍କୁ କମିଶନ ପଚରାଉଚରା କରିଥିଲେ । ୨୦୨୪ ଅକ୍ଟୋବର ୧ରୁ କମିଶନ ତଦନ୍ତ ଆରମ୍ଭ କରିଥିଲେ ।ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୫ ତାରିଖ ରାତିରେ ସେନା ମେଜର ତାଙ୍କ ବାନ୍ଧବୀଙ୍କ ସହ ଫେରୁଥିବା ବେଳେ ବାଟରେ କିଛି ଯୁବକ ତାଙ୍କ ବାନ୍ଧବୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଯାହାକୁ ନେଇ ଭରତପୁର ଥନା ପୋଲିସର ସାହାଯ୍ୟ ମାଗିଥିଲେ ଉଭୟ । କିନ୍ତୁ ସାହାଯ୍ୟ ପରିବର୍ତ୍ତେ ପୋଲିସ ଉଭୟଙ୍କୁ ଶାରିରୀକ ନିର୍ଯାତନା ଦେବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତତ୍କାଳୀନ ଭରତପୁର ଥାନା ଅଧିକାରୀଙ୍କ ସହ ୫ ଜଣଙ୍କୁ ନିଲମ୍ବିତ କରିବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।