ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରାକ୍ଟର

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟ ତିନିଆମ୍ବ ଛକରେ ବୁଧବାର ସକାଳ ପ୍ରାୟ ସାଢେ ୮ଟାରେ ସ୍କୁଲ ମିନି ବସ୍‌କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଛି। ଫଳରେ ସିଦ୍ଧେଶ୍ୱର ଗ୍ରାମର ବସ୍‌ ଚାଳକ ସମୀର ରଣା (୨୫) ଗୁରୁତର ଆହତ ହୋଇଛନ୍ତି। ସ୍କୁଲ ମିନି ବସ୍‌ରେ ଥିବା ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡିଛି। ସକାଳେ ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ ସ୍କୁଲ ବସ୍‌ ନଂ.( ଓଆର୦୭ କ୍ୟୁ – ୪୮୦୫)ଗୋକର୍ଣ୍ଣପୁରରୁ ଛାତ୍ରୀଛାତ୍ରଙ୍କୁ ନେଇ କେଦାରପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଜେ -୯୦୩୦) ଦ୍ରୁତଗତିରେ ଆସି ବସ୍‌କୁ ଧକ୍କା ଦେଇଥିଲା। ବସ୍‌ର ସାମ୍ନାଭାଗ ଭାଙ୍ଗି ରୁଜି ଯାଇଛି। ଚାଳକ ସମୀର ଡ୍ରାଇଭର ସିଟରେ ଚାପି ହୋଇ ରହିଥିଲେ। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହାୟତାରେ ଚାଳକ ସମୀରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଉଭୟ ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି। ଖବର ପାଇ ବହୁ ସଂଖ୍ୟକ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ଶିଶୁମାନଙ୍କୁ ଘରକୁ ନେଇଥିବା ଜଣାପଡିଛି।ଦୁର୍ଘଟଣାରେ କୌଣସି ଛାତ୍ରୀଛାତ୍ର ଆହାତ ହୋଇନଥିବା ସ୍କୁଲ କର୍ତ୍ତୃପକ୍ଷ ଜଣାଇଛନ୍ତି।