ଓଡ଼ିଶା ପୁଲିସକୁ ପୁଣି ୧ ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ
ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି । ଏହିକ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ ରିତେଶ ରାୟ ସ୍ୱର୍ଣ୍ଣ ପଦକ ଏବଂ ଅଭିଷେକ ପଟ୍ଟନାୟକ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ୱିତ କରିଛନ୍ତି । ଓଡିଶା ପୋଲିସର କ୍ରୀଡ଼ାବିତମାନେ ଗତ ତିନି ଦିନ ମଧ୍ୟରେ ୬ ଟି ସ୍ୱର୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି । କନଷ୍ଟେବଳ ରିତେଶ ରାୟ କରାଟେ (୮୪ କେଜି) ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ଅଭିଷେକ ପଟ୍ଟନାୟକ କରାଟେ (ପୁରୁଷ) ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଉଭୟଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଉଭୟ ରିତେଶ ଓ ଅଭିଷେକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି ।