ଏସ୍ଇବିସିଙ୍କୁ ଶିକ୍ଷାରେ ସଂରକ୍ଷଣ: ଛଦ୍ମ ସର୍ଭେ କରୁଥିଲେ ବିଜେଡି, କଂଗ୍ରେସ: ଧର୍ମେନ୍ଦ୍ର
ଭୁବନେଶ୍ୱର : ଏସଇବିସି ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବାରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ । କୋର୍ଟ କଚେରିର ବାହାନା ଦେଖାଇ ଛଦ୍ମ ସର୍ଭେର ପ୍ରହସନ କରାଯାଇଥିଲା ବୋଲି ଆଜି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୯୦ରୁ ମଣ୍ଡଳ କମିଶନ ଲାଗୁ ହେବା ପରେ ବି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଏପରି ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା । ଦୀର୍ଘ ୩୫ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଏବଂ ବିଜେଡି ଶାସନ ଦାୟିତ୍ୱରେ ଥିଲେ । ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସ୍ୱରୂପ ପାଠପଢା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ କମିଶନର ପରାମର୍ଶ ଥିଲା । ଭାରତବର୍ଷର ଏକମାତ୍ର ରାଜ୍ୟ ଭାବରେ ଓଡ଼ିଶାରେ ଏସଇବିସି ତାଲିକାକୁ କୋର୍ଟ କଚେରିର ବାହାନା ଦେଖାଇ ଗ୍ରହଣ କରାଯାଉ ନ ଥିଲା । କିନ୍ତୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯାଇଛି । ବିଜେପି ସାମାଜିକ ନ୍ୟାୟ ପ୍ରତି ପ୍ରତିଶ୍ରୁତିବଦ୍ଧ । ଏକ ରାଜ୍ୟରେ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିୟମ ପରିଧିରେ ଅଛି । ରାଜ୍ୟରେ ସବୁ ସଂରକ୍ଷଣ ଲାଗୁ ହେବା ପରେ ଆଉ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ବାକି ରହିଥିଲା । ଗତକାଲି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତର ଆସନ ସଂରକ୍ଷଣ ଦେବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁର ଦେଇଛି, ଯାହା ଡବଲ ଇଞ୍ଜିନ ସରକାରର ସାମାଜିକ ନ୍ୟାୟ ପ୍ରତି ଥିବା ପ୍ରତିବଦ୍ଧତାର ଉଦାହରଣ ବୋଲି ଧର୍ମେନ୍ଦ୍ର କହିଛନ୍ତି ।