ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ: ମୋଦି

ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ: ମୋଦି

ନୂଆଦିଲ୍ଲୀ : ଜାତୀୟ ଷ୍ଟାର୍ଟଅପ୍‌ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ଅଭିଯାନର ଦଶ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମସ୍ତେ ଏକ ବିଶେଷ ଅବସରରେ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳନ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି । ଏକ ନୂତନ ଓ ବିକାଶଶୀଳ ଭାରତର ଭବିଷ୍ୟତ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା ଏବଂ ଉଦ୍ଭାବକ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, କିଛି ସମୟ ପୂର୍ବରୁ ସେ କୃଷି, ଫିନଟେକ୍‌, ପରିବହନ, ସ୍ୱାସ୍ଥ୍ୟ ଏବଂ ସ୍ଥାୟିତ୍ୱ କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଚିନ୍ତାଧାରା ତାଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ଆତ୍ମବିଶ୍ୱାସ ଓ ମହତ୍ତ୍ୱାକାଂକ୍ଷା ଦ୍ୱାରା ଆହୁରି ପ୍ରଭାବିତ ହୋଇଥିବା ମୋଦି କହିଥିଲେ । ଷ୍ଟାର୍ଟଅପ୍‌ ଇଣ୍ଡିଆ ୧୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ବୋଲି ମନେ ପକାଇ ମୋଦି ଏହି ପଦକ୍ଷେପର ଅଭିବୃଦ୍ଧିରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଯୁବପିଢ଼ିଙ୍କୁ ଭେଟି ଖୁସି ହୋଇଥିବା କହିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭାରତର ଯୁବପିଢ଼ି ପ୍ରକୃତ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଉଛନ୍ତି । ମୋଦି ନୂତନ ସ୍ୱପ୍ନ ଦେଖିବାର ସାହସ ଦେଖାଇଥିବା ଯୁବ ଉଦ୍ଭାବକଙ୍କୁ ପ୍ରଶଂସା କରିଥିଲେ ।


   ସେ ଗୁରୁତ୍ୱାରୋପ କରି କହିଥିଲେ, ଆଜି ଷ୍ଟାର୍ଟଅପ୍‌ ଇଣ୍ଡିଆର ଦଶ ବର୍ଷର ମାଇଲଖୁଣ୍ଟ ଏବଂ ଏହି ଯାତ୍ରା କେବଳ ଏକ ସରକାରୀ ଯୋଜନାର ସଫଳତା କାହାଣୀ ନୁହେଁ ବରଂ ଲକ୍ଷ ଲକ୍ଷ ସ୍ୱପ୍ନ ଏବଂ ଅଗଣିତ କଳ୍ପନାର ସାକାରର ଯାତ୍ରା । ଦଶ ବର୍ଷ ପୂର୍ବେ ବ୍ୟକ୍ତିଗତ ପ୍ରୟାସ ଓ ନବସୃଜନ ପାଇଁ ବହୁତ କମ୍‌ ସୁଯୋଗ ଥିଲା, କିନ୍ତୁ ସେହି ପରିସ୍ଥିତିକୁ ଚ୍ୟାଲେଞ୍ଜ କରାଯାଇଥିଲା ଏବଂ ଷ୍ଟାର୍ଟଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହା ଯୁବପିଢ଼ିଙ୍କୁ ଏକ ଖୋଲା ଆକାଶ ଦେଇଥିଲା ଓ ଆଜି ଏହାର ଫଳାଫଳ ଦେଶ ସମ୍ମୁଖରେ ଅଛି । ମାତ୍ର ୧୦ ବର୍ଷ ମଧ୍ୟରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ମିଶନ ଏକ ବିପ୍ଳବରେ ପରିଣତ ହୋଇଛି । ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ । ସେ କହିଥିଲେ ଦଶ ବର୍ଷ ପୂର୍ବେ ଦେଶରେ ୫୦୦ ରୁ କମ୍‌ ଷ୍ଟାର୍ଟଅପ୍‌ ଥିଲେ, ଆଜି ଏହି ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି । ୨୦୧୪ ରେ ଭାରତରେ କେବଳ ଚାରୋଟି ୟୁନିକର୍ଣ୍ଣ ଥିଲା, ଆଜି ପ୍ରାୟ ୧୨୫ ସକ୍ରିୟ ୟୁନିକର୍ଣ୍ଣ ଅଛନ୍ତି ଏବଂ ବିଶ୍ୱ ଏହି ସଫଳତାର କାହାଣୀକୁ ଆଶ୍ଚର୍ଯ୍ୟର ସହିତ ଦେଖୁଛି । ଆଗାମୀ ସମୟରେ, ଯେତେବେଳେ ଭାରତର ଷ୍ଟାର୍ଟଅପ୍‌ ଯାତ୍ରା ବିଷୟରେ ଆଲୋଚନା କରାଯିବ ଆଜି ଏଠାରେ ଉପସ୍ଥିତ ଅନେକ ଯୁବକଯୁବତୀ ଆଦର୍ଶ ଉଦାହରଣ ପାଲଟିଯାଇଥିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ।  ସେ କହିଥିଲେ କେବଳ ୨୦୨୫ ମସିହାରେ ପ୍ରାୟ ୪୪,୦୦୦ ନୂତନ ଷ୍ଟାର୍ଟଅପ୍‌ ପଞ୍ଜିକୃତ ହୋଇଛି, ଯାହା ଷ୍ଟାର୍ଟଅପ୍‌ ଇଣ୍ଡିଆ ଆରମ୍ଭ ହେବା ପରଠାରୁ କୌଣସି ଗୋଟିଏ ବର୍ଷରେ ସର୍ବାଧିକ ବୃଦ୍ଧି । 


   ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ଝିଅମାନେ ଏହି ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୪୫ ପ୍ରତିଶତରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍‌ଗୁଡ଼ିକର ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ କିମ୍ବା ଅଂଶୀଦାର ଅଛନ୍ତି । ମହିଳାମାନଙ୍କ ନେତୃତ୍ୱରେ ଷ୍ଟାର୍ଟଅପ୍‌ ପାଣ୍ଠିରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇକୋସିଷ୍ଟମ ପାଲଟିଛି । ଏହି ସମାବେଶୀ ଗତି ଭାରତର ସମ୍ଭାବନାକୁ ଆହୁରି ମଜଭୁୁତ କରୁଛି । ମହାକାଶ କ୍ଷେତ୍ର, ଯାହା ପୂର୍ବରୁ ଘରୋଇ ଅଂଶଗ୍ରହଣ ପାଇଁ ବନ୍ଦ ଥିଲା, ଏବେ ଖୋଲାଯାଇଛି, ପ୍ରାୟ ୨୦୦ ଷ୍ଟାର୍ଟଅପ୍‌ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଛନ୍ତି । ସେହିପରି ଡ୍ରୋନ୍‌ କ୍ଷେତ୍ରରେ ପୁରୁଣା ନିୟମ ଭାରତକୁ ଦୀର୍ଘ ସମୟ ଧରି ପଛରେ ପକାଇଥିଲା, କିନ୍ତୁ ସଂସ୍କାର ଓ ଉଦ୍ଭାବକଙ୍କ ଉପରେ ବିଶ୍ୱାସ ପରିସ୍ଥିତିକୁ ପରିବର୍ତ୍ତନ କରିଛି ।