ଭିତ୍ତିପ୍ରସ୍ତରକୁ ୪ ମାସ : ଆରମ୍ଭ ହୋଇପାରୁନି ରାସ୍ତା କାମ

 ନାଉଗାଁ : ନାଉଗାଁ ୭/୦୪: ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଅଧିନରେ ଥିବା ନାଉଗାଁ ବ୍ଲକ ଅନ୍ତର୍ଗତ ଦେବିଦୋଳ ସେତୁ ନିକଟରୁ ସୁନ୍ଦରଦା ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାଟି ଦୀର୍ଘବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ତାରେ ରହିଛି । ଉକ୍ତ ରାସ୍ତାଟି ଜଗତସିଂହପୁର ଜିଲ୍ଲାରୁ କଟକ ଜିଲ୍ଲାର ନିଆଳି ବ୍ଲକ୍ ଦେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରାସ୍ତାରେ ପ୍ରତ୍ୟହ ଶତାଧିକ ସଂଖ୍ୟାରେ ଯାନବାହନ ଯାତାୟାତ କରିଥାଏ । ଏଥିସହିତ ଉକ୍ତ ରାସ୍ତାଟି ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତର ମୁଖ୍ୟ ରାସ୍ତା ହୋଇଥିବା କାରଣରୁ ଉକ୍ତ ରାସ୍ତାଟି ଉପରେ ଯାତାୟାତ ପାଇଁ ପଞ୍ଚାୟତର ଗଳଧାରୀ, ଏରଡା, ବଢେଇସାହି, ବାଲିସାହି, ଜୁଆଙ୍ଗ, ସୁନ୍ଦରଦା ଆଦି ଗ୍ରାମର ଲୋକମାନେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଅଟନ୍ତି । ଅନ୍ୟପଟେ ଏହି ରାସ୍ତାକୁ ଲାଗି ନାଉଗାଁ ତହସିଲ ଅଧୀନସ୍ଥ ଗଳାଧରୀ ବାଲି ସୈରାତକୁ ନିଲାମ ଦିଆଯାଇଥିବା ହେତୁ ଏହି ରାସ୍ତାରେ ପ୍ରତ୍ୟହ ଶତାଧିକ ବାଲି ବୋଝେଇ ଭାରୀଯାନ ତଥା ଟ୍ରକ ଓ ହାଇୱା ଯାତାୟାତ କାରଣରୁ ରାସ୍ତାଟି ଫୁଟି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ଅବସ୍ତାରେ ରହିଛି । ଯାହାଫଳରେ ଗ୍ରାମବାସୀ ବର୍ଷ ବର୍ଷ ଧରି ଯାତାୟତରେ ସମସ୍ୟା ଭୋଗୁଥିବା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଗତବର୍ଷ ବିଭାଗ ପକ୍ଷରୁ ଏହି ରାସ୍ତାଟିକୁ ରାସ୍ତା ଓ ଗୃହନିର୍ମାଣ ବିଭାଜନ ଅଧିନରେ ନାଉଗାଁ ବ୍ଲକ ଅନ୍ତର୍ଗତ ପହଙ୍ଗାରୁ ଭାୟା ଦେବିଦୋଳ ଦେଇ ଅରଖକୁଦ ପର୍ଯ୍ୟନ୍ତ ମୋଟ ୬ କିଲୋମିଟରରୁ ଉର୍ଦ୍ଧ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତୀକରଣ ପାଇଁ ୧୧୬୪.୯୮ ଲକ୍ଷ ଟଙ୍କା ବିନିମୟରେ ମନୋଜ ସାହୁ ନାମକ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଗତ ୪ ମାସ ତଳେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଅଦ୍ୟାବଧି ଉକ୍ତ ରାସ୍ତାକାମ କେବଳ ସେହି ଫଳକରେ ସୀମିତ ରହିଛି । ସୂଚନା ଫଳକରେ ରହିଥିବା ରାସ୍ତାର କାର୍ଯ୍ୟାରମ୍ଭ ୨୯/୧୧/୨୦୨୪ ରୁ ଆରମ୍ଭ ହୋଇ ୨୯/୮/୨୦୨୫ ମଧ୍ୟରେ ଶେଷ କରିବାକୁ ନିଦେ୍ର୍ଦଶ ରହିଛି । ଏଥି ମଧ୍ୟରେ ୪ ମାସ ବିତିଲା ପରେବି ରାସ୍ତାକାମ ଆରମ୍ଭ ହୋଇ ନ ଥିବାରୁ ସ୍ଥାନୀୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ଆଗକୁ ବର୍ଷାଦିନ ଆସୁଥିବା ବେଳେ, ଆଉ ଇତି ମଧ୍ୟରେ ରାସ୍ତାକାମ ସରିପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ଠିକାଦାରଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ବେଳେ, ବର୍ତ୍ତମାନ ଏହି ରାସ୍ତାରେ ପ୍ରତ୍ୟହ ଶତାଧିକ ବାଲିବୋଝେଇ ହାଇୱା ଚାଲୁଥିବାରୁ ରାସ୍ତାକାମ କରିହେଉନି, ବର୍ଷାଦିନେ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ସମୟରେ ବାଲିଘାଟ ବନ୍ଦ ରହୁଥିବାରୁ ସେହି ସମୟରେ ରାସ୍ତାକାମ ଆରମ୍ଭ କରାଯିବ ବୋଲି ଉକ୍ତ କାର୍ଯ୍ୟକୁ ବୁଝିଥିବା ଠିକାଦାରଙ୍କ ସହଯୋଗୀ କହିଛନ୍ତି । ସେପଟେ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଫୋନ ଉଠାଉ ନଥିବା ବେଳେ, ଜିଲ୍ଲାପାଳ ଏଥିପ୍ରତି ତୁରନ୍ତ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।