ଭୀମସାର ଓ ଏସସିବି ଛାତ୍ରଙ୍କୁ ଏମକେସିଜି ଛାତ୍ରଙ୍କ ମାଡ଼ ଅଭିଯୋଗ

କଟକ : ଭୀମସାର ଓ ଏସସିବି ଡାକ୍ତରୀ ଛାତ୍ରଙ୍କୁ ଏମକେସିଜି ଛାତ୍ରମାନେ ମାରପିଟ କରିଥିବା ଅଭିଯୋଗ ଆସିଛି । ଏକ ସ୍ପୋର୍ଟସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୀମସାର ଓ ଏସସିବି ଡାକ୍ତରୀଛାତ୍ରମାନେ ବ୍ରହ୍ମପୁର ଯାଇଥିଲେ । ତେବେ ଏମକେସିଜି ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ କରି ଅନେକ ଛାତ୍ରଛାତ୍ରୀ ଫେରିଆସିଥିଲେ । ଏହି ମାରପିଟରେ ଅନେକ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛ । ଏପରିକି ବସ୍‌ର କାଚ ଭାଙ୍ଗିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ମେଡ଼ିକାଲ କଲେଜ ମିଟ ଉତ୍ସବ ପୂର୍ବରୁ ଗଣ୍ଡଗୋଳ ଘଟିଛି । ଆସନ୍ତା ୧୬ରୁ ୧୮ ପର୍ଯ୍ୟନ୍ତ ଏହି ମିଟ ଅନୁଷ୍ଠିତ ହୋଇଥାନ୍ତା । ତେବେ ମିଟ ପୂର୍ବରୁ ମେଡ଼ିକାଲ କଲେଜରେ ଗଣ୍ଡଗୋଳ ହୋଇଛି । ଏହି ମିଟରେ ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଓ ଚିକିତ୍ସାଳୟ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଛାତ୍ରଛାତ୍ରୀମାନେ ଏକ ସ୍ପୋର୍ଟସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏମକେସିଜିକୁ ଯାଇଥିଲେ । ସେଠାରେ ପହଁଚିବା ପରେ ଏମକେସିଜିର କିଛି ଛାତ୍ର ଉଭୟ ଭୀମସାର ଓ ଏସସିବି ଛାତ୍ରମାନଙ୍କ ସହିତ ମାରପିଟ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଉଭୟ ମେଡ଼ିକାଲ କଲେଜର ଅନେକ ଛାତ୍ର ଆହତ ହୋଇଥିବା ନେଇ ସୂଚନା ମିଳିଛି । 

ଏନେଇ ଏମକେସିଜି ମେଡ଼ିକାଲ ଟିମ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ଗଣ୍ଡଗୋଳ ଘଟିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ଏଭଳି ଘଟଣା ପରେ ଏମକେସିଜି ସୁରକ୍ଷିତ ନୁହେଁ ବୋଲି ଭୀମସାରର ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣି ସଂପୃକ୍ତ ସ୍ପୋର୍ଟସ କାର୍ଯ୍ୟକ୍ରମରେ ଯୋଗ ନଦେଇ ଫେରି ଆସିଥିବା ସୂଚନା ମିଳିଛି । ଏ ଘଟଣାକୁ ନେଇ ଏମକେସିଜି ମେଡ଼ିକାଲରେ କାଉନସିଲ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଉଲ୍ଲେଖ୍ୟଯୋଗ୍ୟ ପୂର୍ବରୁ ମଧ୍ୟ ସମ୍ବଲପୁର ଭୀମସାରରେ ବ୍ରହ୍ମପୁର ଏମକେସିଜି ଛାତ୍ରମାନଙ୍କୁ ଆକ୍ରମଣ ହୋଇଥିଲା । ଯେଉଁ ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଥିଲା । ତେବେ କିଛି ବର୍ଷ ପରେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।