ଜଳିଗଲା ବସ : ୧୫ ଜୀବନ୍ତ ଦଗ୍ଧ

ଜଳିଗଲା ବସ : ୧୫ ଜୀବନ୍ତ ଦଗ୍ଧ

ଜୟପୁର : ଜୈସଲମେରରୁ ଯୋଧପୁର ଯାଉଥିବା ଏକ ଘରୋଇ ବସ୍‌ରେ ନିଆଁ ଲାଗିଯିବାରୁ ୧୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅନ୍ୟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସରକାରୀ ସୂତ୍ର ଅନୁଯାୟୀ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଛି, ଯଦିଓ ଅଣସରକାରୀ ଆକଳନ ଅନୁଯାୟୀ ମୃତାହତଙ୍କ ସଂଖ୍ୟା ବହୁତ ଅଧିକ ହୋଇପାରେ । ମହିଳା ଓ ପିଲାଙ୍କ ସମେତ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବସଟି ଦୈନନ୍ଦିନ କାର୍ଯ୍ୟସୂଚୀ ଅନୁଯାୟୀ ଜୈସଲମେରରୁ ବାହାରିଥିଲା ।  ମରୁଭୂମି ସହରରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଯୁଦ୍ଧ ସଂଗ୍ରହାଳୟ ନିକଟରେ ପହଞ୍ଚିଥିଲା ।

ସେତେବେଳେ ଏହାର ପଛ ଭାଗରେ ନିଆଁ ଲାଗି ଯାଇଥିଲା । ଯଦିଓ ଗାଡ଼ି ଭିତରେ ସର୍ଟସର୍କିଟ୍‌ ହୋଇଥିବା ସନ୍ଦେହ କରାଯାଉଛି, ଅଗ୍ନିକାଣ୍ଡର ସଠିକ୍‌ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାଟି ସେନା କ୍ଷେତ୍ର ନିକଟରେ ଘଟିଥିବାରୁ ସେନା କର୍ମଚାରୀମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ପ୍ରଥମେ ସେନା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଓ ପରେ ଜୟସଲମେରକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଯୋଧପୁରକୁ ପଠାଯାଇଥିଲା । ଦୁର୍ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ଜୟସଲମେରର ଜବାହାର ହସ୍ପିଟାଲ ବାହାରେ ପ୍ରବଳ ଭିଡ଼ ଜମିଥିଲା । ପୌର ପରିଷଦର ସହାୟକ ଅଗ୍ନିଶମ ଅଧିକାରୀ କୃଷ୍ଣପାଲ ସିଂହ ରାଠୋର କହିଛନ୍ତି ଯେ ଅଗ୍ନିଶମ ବାହିନୀ ପହଞ୍ଚିବା ସମୟରେ ବସ୍‌ ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ଯାଇଥିଲା । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କଲେକ୍ଟର ଓ ପୁଲିସ ଅଧିକ୍ଷକଙ୍କ ସହ କଥା ହୋଇଛନ୍ତି, ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ଏବଂ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।