ଭୁଶୁଡ଼ିଲା ବିଦ୍ୟାଳୟ ପାଚେରି

 ପାପଡାହାଣ୍ଡି:  ଅଦିନିଆ ବର୍ଷାରେ ଭାଙ୍ଗିଲା ବିଦ୍ୟାଳୟ ପାଚେରୀ । ନିମ୍ନମାନର କାମ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ପଞ୍ଚାୟତରେ ।
ସୂଚନା ଅନୁଯାୟୀ ବିଗତ ସରକାର ଥିବାବେଳେ ଅନେକ ବିଦ୍ୟାଳୟକୁ ୫ଟି ବିଦ୍ୟାଳୟରେ ରୂପାନ୍ତର କରିଥିଲେ କୋଟି କୋଟି ଟଙ୍କା ବିନିମୟରେ । କିନ୍ତୁ ଉଭୟ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ବିଦ୍ୟାଳୟରେ ନିମ୍ନମାନର କାମ ହୋଇ ବ୍ୟାପକ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଏହି ପଂଚାୟତର ସରକାରୀ ଉଚ୍ଚବିଦ୍ୟାଳୟ ମଧ୍ୟ ରୂପାନ୍ତର ହୋଇଥିଲା । କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ ଟଙ୍କା ହଡପ କରିବା ମନୋବୃତ୍ତି ନେଇ କାମ କରିଥିବାରୁ ଏହି ବିଦ୍ୟାଳୟର ପାଚେରୀ ସାମାନ୍ୟ ବର୍ଷାରେ ଭାଙ୍ଗିଯାଇଛି ବୋଲି ସେମଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଆଖପାଖରେ ଛୋଟ ମୋଟ ଜଙ୍ଗଲ ଥିବାରୁ ଅନେକ ସମୟରେ ଭାଲୁ, ବିଲୁଆ, ହେଟାବାଘ ଇତ୍ୟାଦି ଗ୍ରାମବାସୀଙ୍କ ନଜରରେ ଆସୁଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବିଦ୍ୟାଳୟରେ ଅଧ୍ୟୟନ ସମୟରେ ପିଲାମାନେ ସୁରକ୍ଷିତ ରହିବେ ବୋଲି ଆଶା କରୁଥିବାବେଳେ ଏପଟେ ସୁରକ୍ଷା ବାଡ଼ ହିଁ ଭାଙ୍ଗି ଯାଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉତ୍ତମ ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ଏବଂ ଉଚ୍ଚତର ତଦନ୍ତ ଦାବି କରିବାକୁ ମଧ୍ୟ ଦାବି ହୋଇଛି ।