ସକ୍ରିୟ ପଥର ମାଫିଆ : ଲଣ୍ଡା ହେଉଛି ପାହାଡ

 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଥିବା ପାହାଡ଼କୁ ମାଫିଆମାନେ ଲଣ୍ଡା କରି ଚାଲିଛନ୍ତି । ଏହି ସବୁ ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ ହେଉଛି । ଗଞ୍ଜାମ ଜିଲ୍ଲାର ଅଧିକାଂଶ ପାହାଡ଼ ଅଞ୍ଚଳରେ ଜାତୀୟ ପକ୍ଷୀ ମୟୁର ସାଙ୍ଗକୁ ବିଭିନ୍ନ ପ୍ରକାର ବିରଳ ପକ୍ଷୀ କେଉଁ ଆଦିମ କାଳରୁ ରହି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର କେବଳ ୧୦ ପ୍ରତିଶତ ପାହାଡ଼କୁ ଲିଜ୍ରେ ଦିଆଯାଇଛି, ଯାହା ସରକାରୀ କାଗଜ କଲମରୁ ଜଣାଯାଏ । ବାକି ୯୦ ପ୍ରତିଶତ ପାହାଡ଼ ନେତା, ବାବୁ ଓ ମାଫିଆମାନେ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଥିବା  ଅଭିଯୋଗ ହେଉଛି । 
ପ୍ରକାଶ ଯେ, କନିସୀ, କୁକୁଡାଖଣ୍ଡି, ଦିଗପହଣ୍ଡି ତହସିଲ ଅଞ୍ଚଳରେ ବ୍ୟାପକ ଖଣିମାଫିଆ ସକ୍ରିୟ ଥିବା ଅଭିଯୋଗ ହେଉଛି । ପଥର ମାଫିଆମାନେ ରାଜସ୍ୱ ବିଭାଗକୁ ସ୍ୱଳ୍ପ ଟଙ୍କାର ରାଜସ୍ୱ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ସରକାରୀ ନିୟମକୁ ଫୁ’ କରି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ବଡ଼ ବଡ଼ ଗର୍ତ୍ତ କରି ସେଥିରେ ବାରୁଦ ଓ ଜିଲୋଟିନ ବ୍ୟବହାର କରି ଫୁଟା ଯାଉଛି । ପୋଲିସ ପ୍ରଶାସନ ଏବଂ ତହସିଲଦାରଙ୍କୁ ହାତ ବାରିଶ କରି ମାଫିଆମାନେ ପାହାଡ଼ ସଫା କରିବାରେ ଲାଗି ପଡିଛନ୍ତି । ପାହାଡ଼ ଫୁଟେଇବା ନିକଟରେ ଥିବା ଚାଷ ଜମିରେ ଉର୍ବରତା ନଷ୍ଟ ହେବା ସହ ଗ୍ରାମରେ ଥିବା ଗୃହ ଗୁଡ଼ିକରେ ଫାଟ ସୃଷ୍ଟି ହେଉଛି । ପାହାଡ଼ ଫୁଟେଇବା ସମୟରେ ପଶୁପକ୍ଷୀ ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାରେ ଖଣି ମନ୍ତ୍ରୀ ଥାଇ ବି ବିଭିନ୍ନ ପ୍ରକାର ଲଘୁ ଖଣିଜ ଦ୍ରବ୍ୟ ବେଧଡ଼କ ଲୁଟ ହେଉଥିବା ଅଭିଯୋଗ ହେଉଛି । ନେତା ଠାରୁ ମନ୍ତ୍ରୀ ଓ ବାବୁମାନଙ୍କୁ ସାଇଲେନ୍ସ ପ୍ଲିଜ କରଯାଉଥିବା ଯୋଗୁଁ ଏହି ବେଆଇନ କାର୍ଯ୍ୟ ହେଉଥିବା ଚର୍ଚ୍ଚା ହେଉଛି । କୁକୁଡାଖଣ୍ଡି ତହସିଲ ଏବଂ କନିସି ତହସିଲ ଅଞ୍ଚଳରେ ଅନେକ ବେନାମୀ କ୍ରସର ରହିଛି । ଏଠାରେ ପଥର ମାଫିଆ ଏବଂ ତହସିଲଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଲୁଟ୍ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଡିନାମାଇଟ ବିସ୍ଫୋରଣ ଫଳରେ ଥିବା ନିକଟରେ ଥିବା ଗରିବ ଲୋକଙ୍କ ଘର ଫାଟି ବା ସହିତ ନିକଟରେ ଥିବା ଚାଷ ଜମି ବି କ୍ଷତି ହେଉଛି ଏବଂ ମାଟିରେ ଥିବା ଉର୍ବରତା ନଷ୍ଟ ହେଉଛି ବୋଲି ଚାଷୀ ଅଭିଯୋଗ କରୁଛନ୍ତି । କିନ୍ତୁ ତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ନାଲି ଆଖି ଦେଖାଇ ମାରି ଦେବାର ଧମକ ଦେଉଛନ୍ତି ମାଫିଆ ବୋଲି ସେ ଅଭିଯୋଗ କରୁଛନ୍ତି । କିଛି ବାହାର କମ୍ପାନୀ ମଧ୍ୟ କାମର ଆଳ ଦେଖାଇ ଗୋଟିଏ ଗୋଟିଏ କ୍ରସର ଖୋଲି ରାଜସ୍ୱ ଠକୁଥିବା ବି ଅଭିଯୋଗ ହେଉଛି । ସ୍ଥାନୀୟ ପ୍ରଶାସନ ମୋଟା ଅଙ୍କର ବଟି ନେଇ ଏମାନଙ୍କୁ ସାହାଯ୍ୟ କରୁଛି । ଖଣି ବିଭାଗ ଓ ତସିଲଦାରଙ୍କ ମିଲି ଭଗତରେ  ଦୁର୍ନୀତି ଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଦୀପ ତଳ ଅନ୍ଧାର ପରି ଖୋଦ ଖଣି ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଦୁର୍ନୀତି  ଚାଲିଛି । ତେଣୁ ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।