ମଠ ସମ୍ପତ୍ତି ଜବରଦଖଲ, ମହନ୍ତ ପ୍ରଶାସନର ଦ୍ୱାରସ୍ଥ

 କାକଟପୁର : ସାରା ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଓ ତାଙ୍କ ଅଧୀନରେ ଥିବା ମଠର ସମ୍ପତ୍ତି ଏବେ ଅସୁରକ୍ଷିତ ହୋଇପଡିଛି । ଜମି ମାଫିଆ ଓ ଜବରଦଖଲକାରୀ କାହାକୁ ନ ଜଣାଇ ଏହି ମୂଲ୍ୟବାନ୍ ଜମିକୁ ନିଜ ଅକ୍ତିଆରକୁ ନେଇ ହୋଟେଲ, ଢାବା ଏବଂ ବିଭିନ୍ନ ଦୋକାନ ଗୃହ ନିର୍ମାଣ କରି ବେଶ୍ ମୁନାଫା ଉଠାଉଛନ୍ତି । କାକଟପୁର ବସଷ୍ଟାଣ୍ଡ ନିକଟବର୍ତ୍ତୀ ବଲରା  ମୌଜାର ଖାତା ନମ୍ବର ୨୨୫ ପ୍ଲଟ ନମ୍ବର -୩୭୪୩, ଏରିଆ ୪୪ ଡିସିମିଲ ଏବଂ କନ୍ଦଳପୁର ମୌଜର ଖାତା ନଂ ୧୫୫/୧୮, ପ୍ଲଟ ନଂ-୫୭୨ ଏରିଆ-୧ ଏକର ୨୭ ଡିସିମିଲରେ ବିନା ଅନୁମତିରେ ଜବଦଖଲକାରୀ ନିଜ ଅକ୍ତିଆରକୁ ଆଣି ହୋଟେଲ ଓ ନିର୍ମାଣ କରିଛନ୍ତି । ଏହି ଜାଗା ପୁରୀର ହାତୀ ଆଖଡ଼ା ମଠ ଅଧୀନରେ ଥିବାବେଳେ, ଏବେ ମଠ ମହନ୍ତ ସୁଖରାମ ଦାସ ଏହାର ତଦାରଖ କରୁଛନ୍ତି । ମହନ୍ତ ଶ୍ରୀ ଦାସ ବିଭିନ୍ନ ସମୟରେ ଧାର୍ମିକ କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଉଥିବା ବେଳେ, ଜବରଦଖଲକାରୀ ଏହାର ସୁଯୋଗ ଉଠାଉଛନ୍ତି । ଏହି ଜାଗା କାକଟପୁର ବଲରା ଠାରୁ କଲେଜ ଛକ ମଧ୍ୟରେ ରାସ୍ତା ପାର୍ଶ୍ୱରେ ଥିବାରୁ ଏହା ଜମି ମାଫିଙ୍କ ଲୋଭ ବଢ଼ାଇଦେଇଛି । ମଠ ମହନ୍ତ ଶ୍ରୀ ଦାସ ଅଯୋଧ୍ୟା ଗ୍ରସ୍ତରେ ଥିବାବେଳେ,  ଏହି ଖବର ଜାଣି ପୁରୀ ଉପଜିଲ୍ଲାପାଳ, ପୁରୀ ଟାଉନ ଥାନା ଓ କାକଟପୁର ଥାନାକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତିତରେ ଏହି ମଠ ସମ୍ପତ୍ତି ଅକ୍ତିଆରକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବା ବେଳେ ମଠର ଶିଷ୍ୟଙ୍କ ଦ୍ୱାରା ଜବର ଦଖଲ ଉଚ୍ଛେଦ କରିଥିଲେ । ଏବେ ପୁଣି ଜବର ଦଖଲକାରୀ ନିଜର ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ତୁରନ୍ତ ଏ ଦିଗରେ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।