ମଧୁ ବାରେଣୀ ସ୍ନାନରେ ବୁଡ ଦେଲେ ଶ୍ରଦ୍ଧାଳୁ
ବାଲିଚନ୍ଦ୍ରପୁର: ବଡଚଣା ବ୍ଲକ ଖଡଗପୁର ଓ ରଇପୁର ବିରୂପା ଗେଙ୍ଗୁଟି କେଲୁଅ ନଦୀର ସଂଗମ ସ୍ଥଳରେ ଆୟୋଜିତ ମଧୁ ବାରେଣୀ ସ୍ନାନରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ ପକାଇ ଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ହରିହାଟ ପଡିଆ ସ୍ଥିତ ବ୍ରହ୍ମ ଅବଧୂତ ମଠର ମଠାଧିଶ ହରିହର ଦାସ ଓ ବହୁ ସାଧୁସନ୍ଥ ମାଳିକା, ଶିବକକଲ୍ପ, ଚକଡା ମଡାଣ ପୁରାଣ ଆଧାରରେ ଚୈତ୍ର ଶୁକ୍ଲ ତୃତୀୟା ତିଥିରେ ମୀନ ସନି ଚଳନ ଯୋଗରେ ଏହି ମଧୁ ବାରେଣୀ ସ୍ନାନ ନିମନ୍ତେ ସ୍ଥାନ ଚିହ୍ନଟ କରିଥିଲେ । ଅଲଭ୍ୟ ସ୍ନାନ ଯୋଗରେ ବିରୂପା, ଗେଙ୍ଗୁଟି, କେଲୁଅ ନଦୀର ସଂଗମ ସ୍ଥାନରେ ବୁଡ ଦେବା ପାଇଁ ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ପ୍ରତୁ୍ୟଷରୁ ମହିଳା ୧୦୮ଜଳ ପୂର୍ଣ୍ଣ କଳସୀ ଧାରଣ କରି ସଂଗମ ସ୍ଥଳ ସ୍ଥିତ ଯଞ୍ଜ ମଣ୍ଡପରେ ପହଁଚିଥିଲେ । ପରେ ସ୍ଥାନୀୟ ମନ୍ଦିରର ଆଜ୍ଞାମାଳ ଅଣାଯାଇ ସ୍ନାନ ଘାଟରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ କରାଯାଇଥିଲା । ପରେ ତ୍ରିବେଣୀ ସଂଗମର ଉଭୟ ଖଡଗପୁର ଓ ରଇପୁର ଘାଟରେ ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ବୁଡ ପକାଉଥିବା ଶ୍ରଦ୍ଧାଳୁ ମାନଙ୍କ ଠାରେ ବେଶ୍ ଉତ୍ସାହ ପ୍ରକାଶ ପାଉଥିବାର ଦେଖିବାକୁ ମିଳିଥିଲା । ଜନାକିର୍ଣ ସ୍ଥଲରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଯାଜପୁର ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତୀକଣ୍ଠ କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଣେ ଡିଏସପି ପାଂଚ ଜଣ ଆରକ୍ଷୀ ନିରକ୍ଷକ ଦଶ ଜଣ ସହକାରୀ ଆରକ୍ଷୀ ନିରକ୍ଷକ ଓ ଦୁଇ ପ୍ଲାଟୁନ ସୁରକ୍ଷା ବଳ ନିୟୋଜିତ ହୋଇଥିବା କଥା ଶ୍ରୀକାନୁନଗୋ ପ୍ରକାଶ କରିଛନ୍ତି । ଖଡଗପୁର ଗ୍ରାମ ସଂଜୟ କୁମାର ଖୁଂଟିଆଙ୍କ ନେତୃତ୍ୱରେର ପ୍ରଗତି ଯୁବକ ସଂଘର ସଦସ୍ୟ ତଥା ଆଖପାଖ ଗ୍ରାମର ଗ୍ରାମବାସୀ ମାନେ ଆଜିର କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଯଥାସାଧ୍ୟ ଚେଷ୍ଟିତ ଥିବାର ଦେଖିବାକୁ ମିଳିଥିଲା । ଆୟୋଜକ କମିଟିର ମୁଖ୍ୟ ବାବା ହରିହର ଦାସଙ୍କ ସମେତ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ଶରତ କୁମାର ସାହୁ, ପ୍ରଦୀପ କୁମାର ସାହୁ, ଶରତ ଜେନା ପ୍ରମୁଖ ସ୍ନାନ ସ୍ଥଳରେ ଉପସ୍ଥିତ ରହିଥିଲେ ।