କେଗାଁରେ ବ୍ଲକ ସ୍ଥାପନ ପାଇଁ ଦାବି

 ଗୋଲାମୁଣ୍ଡା: କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ଦାବି ଜୋର ଧରିଛି । ବର୍ତ୍ତମାନ ରାଜ୍ୟ ସରକାର ଓଡିଶାରେ ବ୍ଲକ ପୁନଃଗଠନ କରାଯିବ ବୋଲି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିବା ପରେ ୧୯୯୩ ମସିହାରୁ କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ଦାବି କରିଆସୁଥିବା ଅଞ୍ଚଳବାସୀ ଗତକାଲି ଭବାନୀପାଟଣା ଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
 ଗୋଲାମୁଣ୍ଡା ବ୍ଲକର କେଗାଁ ଅଞ୍ଚଳ ଏକ ହରିଜନ ଓ ଆଦିବାଶୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳର ଅନେକ ଗ୍ରାମପଞ୍ଚାୟତର ଲୋକେ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକକୁ ଯିବାକୁ ହେଲେ ୪୦ ରୁ ୬୦ କିଲୋମିଟର ପଡୁଛି । କେଗାଁଠାରେ ବ୍ଲକ ସ୍ଥାପନ ପାଇଁ ଭୌଗଳିକ ସ୍ଥିତି ଠିକ ଥିବାବେଳେ ଏଠାରେ ରଜା ରାଜୁଡା ଅମଳରୁ ଥାନା, ଫରେଷ୍ଟ ରେଞ୍ଜ ଅଫିସ, କେନ୍ଦୁଲିଫ ଅଫିସ, ରାଜସ୍ୱ ବିଭାଗ ଅଫିସ, କୃଷି ବିଭାଗ ଅଫିସ ଓ ବର୍ତ୍ତମାନ ସିଆରପିଏଫ କ୍ୟାମ୍ପ, ଅନେକ ବେସରକାରୀ ଅଫିସ, ଉଚ୍ଚବିଦ୍ୟାଳୟ, +୨ ଓ +୩ ମହାବିଦ୍ୟାଳୟ ରହିଛି । କେଗାଁ ଜିଲ୍ଲା ପରିଷଦ ଜୋନରେ ୧୦ ଗୋଟି ଗ୍ରାମପଞ୍ଚାୟତ କେଗାଁ, ସିନାପାଲି, ବୋର୍ଡି, କୁହୁରା, ମହାଲିଙ୍ଗ, ଲେତେର, ନୂଆଗାଁ, ଚହକା, ଉଛୁଲା, ବଡଚେରଗାଁ ଥିବାବେଳେ ଚପ୍ରିଆ, ଖଲିଆପାଲି ଓ ଉଦେଶୃଙ୍ଗ ଗ୍ରାମପଞ୍ଚାୟତ ତଥା ସଦର ବ୍ଲକର ବୋର୍ଡା ଅଞ୍ଚଳର ୪ ଗୋଟି ଗ୍ରାମପଞ୍ଚାୟତ କେଗାଁ ଅତି ନିକଟରେ ଅବସ୍ଥିତ । ଅପରପକ୍ଷରେ ବିଗତ ବର୍ଷମାନଙ୍କରେ ସଦର ବ୍ଲକର କେତେକ ଗ୍ରାମପଞ୍ଚାୟତ ଓ ଦଶପୁର ଜିଲ୍ଲା ପରିଷଦ ଜୋନର କେତେକ ଗ୍ରାମପଞ୍ଚାୟତର ଲୋକେ କେଗାଁଠାରେ ବ୍ଲକ ସ୍ଥାପନ ପାଇଁ ଦାବି କରିଥିବାବେଳେ ବର୍ତ୍ତମାନ ମଧ୍ୟ କେଗାଁଠାରେ ବ୍ଲକ ସ୍ଥାପନ ହେଲେ ଲକ୍ଷାଧିକ ଲୋକେ ଅନେକ ସୁବିଧା ପାଇ ପାରିବେ ବୋଲି ସାଧାରଣରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ଅଞ୍ଚଳବାସୀ ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବାବେଳେ ୨୦୦୦, ୨୦୧୧ ଓ ୨୦୧୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଶାସନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଭେଟି ବ୍ଲକ ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ବିଗତ ବର୍ଷରେ ବ୍ଲକ ସଂପ୍ରସାରଣ ହୋଇ ପରିନଥିବାବେଳେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ବ୍ଲକ ସଂପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ହରିଜନ ଓ ଆଦିବାସୀ ବହୁଳ କେଗାଁ ଅଞ୍ଚଳର ଲୋକେ କେଗାଁଠାରେ ବ୍ଲକ ସ୍ଥାପନ ହେଲେ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ଅଞ୍ଚଳର ଚର୍ଚ୍ଚା ଜୋର ଧରିଛି ।