ଭୂତଳ ଜଳ ପ୍ରଦୂଷଣ ସମସ୍ୟା
ସୌଭାଗ୍ୟ ରଂଜନ ମହାନ୍ତି : ଦେଶର ଭୂତଳ ଜଳ ଓ ଏହାର ଗୁଣବତ୍ତା ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ । କହିବା ଯଥାର୍ଥ ଯେ, ଭୂତଳ ଜଳରେ, ନାଇଟ୍ରେଟ(ଏନଏ୩) ରହିଥିବା କୁହାଯାଇଛି, ଯାହାକି କେବଳ ମଣିଷ ନୁହେଁ, ସମଗ୍ର ଜୀବଜଗତ ପାଇଁ ଅତ୍ୟନ୍ତ ବିପଦଜନକ । ଉଲ୍ଳେଖଯୋଗ୍ୟ ଯେ, ଦେଶର ୭୭୯ଟି ଜିଲ୍ଲା ମଧ୍ୟରୁ ଅର୍ଦ୍ଧାଧିକ ତଥା ୪୪୦ଟି ଜିଲ୍ଲାର ଭୂତଳ ଜଳରେ ନାଇଟ୍ରେଟର ପରିମାଣ ମାତ୍ରାଧିକ ରହିଥିବା ରିପୋର୍ଟରେ କୁହାଯାଇଛି । ତେବେ ଉଦ୍ବେଗଜନକ ପ୍ରସଙ୍ଗ ଏହି ଦେଶରେ ଗୋଟିକ ପରେ ଗୋଟିଏ ଜିଲ୍ଲାରେ ଭୂତଳ ଜଳରେ ବିଷାକ୍ତ ନାଇଟ୍ରେଟ ମାଡି ଚାଲିଛି । ୨୦୧୭ରେ ଦେଶର ୩୫୯ଟି ଜିଲ୍ଲାରେ ଭୂତଳ ନାଇଟ୍ରେଟ ଥିବା ଜଣାଯାଇଥିବାବେଳେ ୨୦୨୩ରେ ଜିଲ୍ଲା ସଂଖ୍ୟା ୪୪୦କୁ ବୃଦ୍ଧି ପାଇଛି । ଏହି ସମସ୍ତ ଜିଲ୍ଲାର ଭୂତଳ ଜଳରେ ପ୍ରତି ଲିଟରରେ ୪୫ ମିଲିଗ୍ରାମ ନାଇଟ୍ରେଟ ରହିଛି, ଯାହାକି ମାତ୍ରାଧିକ । ଏହା ସତ୍ୟ ଯେ, ଜଳରେ ମାତ୍ରାଧିକ ନାଇଟ୍ରେଟର ମାତ୍ରା ବୃଦ୍ଧି ଦୁଇଟି ଉଦ୍ବେଗର କାରଣ । ପ୍ରଥମତଃ ଏହା ମଣିଷର ଶରୀର ଉପରେ ପ୍ରଭାବ ପକାଇଥିବାବେଳେ ପରିବେଶରେ ଗଭୀର ସଂକଟ ସୃଷ୍ଟି କରିଥାଏ । ମଣିଷ ଶରୀରରେ ମୋଥୋମୋଗ୍ଲୋବିନିମିଆ କିମ୍ବା ଲୋହିତ ରକ୍ତ ସେଲଗୁଡିକୁ ହ୍ରାସ କରିଦେଇଥାଏ । ଯାହାଫଳରେ ଶରୀରକୁ ଆବଶ୍ୟକୀୟ ଅମ୍ଲଜାନ ପ୍ରବାହ ହୋଇପାରେ ନାହିଁ । ଏହାବେଳେ ବେଳେ ନବଜାତଙ୍କ ସକାଶେ ବିପଦର କାରଣ ହୋଇଥାଏ । ତେବେ ଏହାଠାରୁ ପରିବେଶ ପ୍ରତି ବିପଦ ଆହୁରି ସାଂଘାତିକ । ଥରେ ଯଦି ଭୂତଳ ଜଳ ବୃଦ୍ଧି ପାଇ ଭୂପୃଷ୍ଠ ଉପର ସମତଳ ସ୍ତରକୁ ନାଇଟ୍ରେଟ୍ ଆସିଯାଏ, ତେବେ ଏହା କେବଳ ପୋଖରୀ ଏବଂ ହ୍ରଦର ଜଳକୁ ବିଷାକ୍ତ କରେ ନାହିଁ ଜୈବିକ ବିବିଧତା ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଉଲ୍ଳେଖଯୋଗ୍ୟ ଯେ, ସିଡିଡବ୍ଲୁବି ଦେଶବ୍ୟାପୀ ୧୫,୨୩୯ ଭୂତଳ ଜଳ ସାମ୍ପୁଲ ପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୯.୮ ପ୍ରତିଶତ ସାମ୍ପୁଲରେ ନାଇଟ୍ରେଟ ଥିବା ଜଣାଯାଇଛି । ପୂର୍ବରୁ ୨୦୧୭ରେ ୧୩,୦୨୮ ସାମ୍ପୁଲ ପରୀକ୍ଷା ହୋଇଥିବାବେଳେ ୨୧.୬ ପ୍ରତିଶତ ସାମ୍ପୁଲରେ ମାତ୍ରାଧିକ ନାଇଟ୍ରେଟ ରହିଥିବା ଜଣାପଡିଥିଲା । ସୁଖର କଥା ବର୍ତ୍ତମାନର ଏବଂ ପୂର୍ବ ପରୀକ୍ଷାର ଅନୁପାତରେ ବିଶେଷ କରି ଫରକ ନଥିବା କୁହାଯାଏ । କିନ୍ତୁ ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡୁର ଭୂତଳ ଜଳରେ ମାତ୍ରାଧିକ ନାଇଟ୍ରେଟ ଥିବା ଜଣାଯାଏ । ରାଜସ୍ଥାନ ଭୂତଳ ଜଳରେ ଜଳର ୪୯ ପ୍ରତିଶତ କର୍ଣ୍ଣାଟକରେ ୪୮ପ୍ରତିଶତ ଓ ତାମିଲନାଡୁର ୩୭ ପ୍ରତିଶତ ସାମ୍ପୁଲରେ ନାଇଟ୍ରେଟ ଦୂଷିତ ପରିମାଣ ସୀମା ଅତିକ୍ରମ କରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ମଧ୍ୟ ଭୂତଳଜଳରେ ସର୍ବାଧିକ ଭାଗ ନାଇଟ୍ରେଟ ରହିଛି । କେନ୍ଦ୍ରୀୟ ଏବଂ ଦକ୍ଷିଣାଞ୍ଚଳରେ ମଧ୍ୟ ଏବେ ଭୂତଳ ଜଳରେ ନାଇଟ୍ରେଟର ମାତ୍ରା ବଢିବାରେ ଲାଗିଛି । କେବଳ ନାଇଟ୍ରେଟ ନୁହେଁ ଭୂତଳ ଜଳରେ ମଧ୍ୟ ଫ୍ଲୋରାଇଡ ଏବଂ ୟୁରାନିୟମର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜସ୍ଥାନ, ହରିଆନା, କର୍ଣ୍ଣାଟକ, ଆନ୍ଧ୍ର ଓ ତେଲେଙ୍ଗାନାରେ ଫ୍ଲୋରାଇଡ ଏବେ ଗୁରୁତର ଉଦ୍ବେଗଜନକ ସ୍ଥିତି ଉତ୍ପନ୍ନ କରିଛି । ଉଲ୍ଳେଖଯୋଗ୍ୟ ଯେ, ଦେଶରେ ଗତ ୨୦୦୯ ମସିହାଠାରୁ ଭୂତଳ ଜଳ ଉତୋଳନ ବୃଦ୍ଧି ପାଇଥିବାବେଳେ ଏହାର ପରିମାଣ ଏବେ ୬୦.୪ ପ୍ରତିଶତ ଅତିକ୍ରମ କରିଛି । ତେବେ ଦେଶର ୭୩ ପ୍ରତିଶତ ବ୍ଲକ ଅଂଚଳରେ ଭୂତଳ ଜଳସ୍ତର ନିରାପଦ ସ୍ତରରେ ରହିଥିବାବେଳେ ବହୁ ଅଂଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସୂଚନା ଦିଆଯାଇପାରେ ଯେ, ନାଇଟ୍ରେଟ (ଏନଓ୩) ଯବକ୍ଷାରଜାନ ଓ ଅମ୍ଲଜାନର ଏକ ରସାୟନିକ ଉପାଦାନ ଯାହା ପ୍ରାକୃତିକ ଉପାୟରେ ମାଟି, ପାଣି, ପବନ ଓ ଖାଦ୍ୟରେ ରହିଥାଏ । ଏହାକୁ ରସାୟନିକ ସାର, ବିସ୍ଫୋରକ, ଔଷଧ, ଫସଲର ଅଭିବୃଦ୍ଧିରେ ବ୍ୟବହାର କରାଯାଇଥାଏ । ନାଇଟ୍ରେଟ ପରିମାଣ ଜଳ ଓ ମାଟିରେ ଅଧିକ ହେଲେ ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ସ୍ଥିତି ଉତ୍ପନ୍ନ କରେ । ସେହିପରି ଫ୍ଲୋରାଇଡ ପରିମାଣ ଅଧିକ ହେଲେ, ଦାନ୍ତ ଓ ହାଡ କ୍ଷୟ କରି ମଣିଷକୁ ପଙ୍ଗୁ କରିଦେଇଥାଏ । ଆମ ରାଜ୍ୟରେ ନାଇଟ୍ରେଟର ସ୍ଥତି ମଧ୍ୟ କିଛି ନୁହେଁ । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୫ଟି ଜିଲ୍ଲାର ଭୂତଳ ଜଳ ବିପଦଜନକ ସ୍ଥିତିରେ ପହଁଚିଥିବା ସିଜିଡବ୍ଲୁବି ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁସାରେ ଅନୁଗୁଳ, ବଲାଙ୍ଗିର, ବରଗଡ, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର, ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରେ ନାଇଟ୍ରେଟ ପରିମାଣ ଅଧିକ ଥିବା ବେଳେ ଅନୁଗୁଳ, ବଲାଙ୍ଗିର, ବରଗଡ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ ଆଦି ୧୦ଟି ଜିଲ୍ଲାରେ ଫୋରାଇଡ୍ ସ୍ଥିତି ଅଧିକ ରହିଛି । ଏହା ନିଃସନେ୍ଦହ ଯେ, ଭୂତଳ ଜଳ ଏବେ ଜହର ପାଲଟିଛି । ଏହାର ପ୍ରତିକାର ପାଇଁ ଏବେଠାରୁ ପଦକ୍ଷେପ ଗ୍ରହଣ କରାନଗଲେ, ପ୍ରକୃତିଦତ ଏହି ସମ୍ପଦ ଜୀବନଦାନ କରିବା ପରିବର୍ତ୍ତେ ବିନାଶର କାରଣ ହେବ ।
ମୋ:୯୪୩୭୯୯୪୩୭୯