ଜୀବନ ଆନନ୍ଦର ମୂଳ ମନ୍ତ୍ର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନ ଆନନ୍ଦର ମୂଳ ମନ୍ତ୍ରଟି କଣ ? ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆଜିକା ଆଧୁନିକ ସମାଜରେ ମଣିଷର ନିଃସଙ୍ଗତା ବଢି ବଢି ଚାଲିଛି । ଜୀବନ ଧାଇଁଚି, ମଣିଷ ବି ତାଳ ଦେଇ ଧାଉଁଚି । ଆମର ଧାଇଁବାର ଗତି ଖାଲି ବଢୁଛି ସିନା ଛିଡୁନି । ଆମ ପାଖରେ ଯାହା, ଯେତକ ଅଛି ସେତକ ଅଣ୍ଟୁନି । କଣ, କଣ ଅଣ୍ଟୁନି- ତାର ତାଲିକା ବଡ ଲମ୍ବା ଆଜ୍ଞା । ନ ଅଣ୍ଟିବା ଭାବରୁ ଜାତ ଲୋଭ । ଲୋଭ ତ ସହଜେ ମଣିଷକୁ ଛାଡନି! ଲୋଭରୁ ପରସ୍ପରକୁ ଠକିବା ଏବଂ ପ୍ରତାରଣା, ମିଛ-ସତ ମାନସିକତାଟିଏ ଗଜୁରି ଉଠେ । ସେତକ କରେ । ସେତକ କଲା ଉତ୍ତାରୁ ହେଲେ ଲୋଭ ସରିଯାଆନ୍ତା କି ହେଲେ ସବୁ ସତ୍ତ୍ୱେ୍ୱ ମଣିଷର ପେଟ ଚାଖଣ୍ଡକ ପୁରେ ନାହିଁ । ପେଟ ଚାଖଣ୍ଡକ ପୁରିଗଲା ଭଳି ଲାଗିଲେ ବି ପୁଣି ଆଉଥରେ ଭୋକ । ସେ ଭୋକରୁ ଆଉଥରେ ଲୋଭ । ଏ ଭୋକ ପେଟର ଭୋକ ନୁହଁ, ଏ ଭୋକ ମନର ଭୋକ ।
ମଣିଷର ଆବଶ୍ୟକତା ପୂରଣ ପାଇଁ ଏ ପୃଥିବୀରେ ସମ୍ବଳର ଅଭାବ ନାହିଁ । କିନ୍ତୁ ଜଣେ ବି ବ୍ୟକ୍ତିର ଲୋଭକୁ ପୂର୍ଣ୍ଣ କରିବା ପାଇଁ ଏଭଳି ଶହେଟା ପୃଥିବୀ ବି ନିଅଣ୍ଟ ପଡିବ ! ତେଣୁ ମଣିଷର ପେଟର ଭୋକ କମିଗଲେ ସୁଦ୍ଧା ମନର ଭୋକ ତ ବଢି ବଢି ଚାଲୁଥାଏ । ଯେତେ ଯାହା କଲେ ବି ଏମିତି ଗୋଟେ ସମୟ ଆସେ ଯେତେବେଳେ ମଣିଷ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଏ । ତାକୁ ସମସ୍ତେ ଛାଡି ଚାଲିଯାଆନ୍ତି । ଏପରିକି ନିଜ ମ ପାଖରେ ଠିଆ ହବାକୁ କାହାରି ବେଳ ନଥାଏ । କଥାଟି ଟିକେ ଖଙ୍ଗିସିଆ ଲାଗିପାରେ, କିନ୍ତୁ ଏଇଟା ହେଉଛି ବାସ୍ତବତା ।
ଜୀବନର ବାସ୍ତବିକତା ହେଉଛି ମଣିଷ ଆସିଛି ଏକା, ଦିନେ ଯିବ ମଧ୍ୟ ଏକା । ଯିଏ ଯେତିକି ଲୋଭ କରି ଅର୍ଜିଛି, ସିଏ ସବୁ କଣ ମୁଣ୍ଡ ତଳେ ନେଇକି ଯାଇଛି ? ଏଇଟା ବି ତ ଜୀବନର ଆଉ ଏକ ସତ୍ୟ । ଜୀବନର ଏହି ଚିରନ୍ତନ ସତ୍ୟକୁ ଉପଲବ୍ଧି କରିନପାରିଲେ ମନୁଷ୍ୟକୁ ବହୁ କଷ୍ଟ ଏବଂ ମାନସିକ ଯନ୍ତ୍ରଣା ସହିବାକୁ ପଡିବ । ମାୟାଠୁ ମୁକୁଳି ନିଜ ମନକୁ ମୁକ୍ତ ଆକାଶର ବିହଙ୍ଗ କରି ଦେଲେ ହିଁ ଜୀବନ ଆନନ୍ଦ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।