ମଧ୍ୟାହ୍ନ ଭୋଜନ ହେରଫେର ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର : ଘସିପୁରା ବ୍ଲକ ଅଧିନସ୍ଥ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଦାନ୍ତିଆ ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହେରଫେର ନେଇ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ ବେଳେ ପିଲାଙ୍କ ଉପସ୍ଥାନ ଠାରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ନେଇ ରିପୋର୍ଟ କରାଯାଉଥିବା ଜଣାପଡିଥିଲା । ସେହିପରି ଖାଦ୍ୟ ପ୍ରସ୍ତୁତ ସ୍ଥାନ ଓ ଖାଦ୍ୟ ପରଷିବା ସ୍ଥାନରେ ସ୍ୱଚ୍ଛତାର ଅଭାବ,ଖାଦ୍ୟ ମେନ୍ୟୁ ଅନୁଯାୟୀ ନ ଦେବା ଭଳି ଗୁରୁତର ଅଭିଯୋଗର ତଦନ୍ତ କରାଯାଇଥିଲା । ପିଏମ ପୋଷଣ ଆପ୍‌ରେ ଉପସ୍ଥାନ ଠାରୁ ୬୦ ଜଣ ଛାତ୍ରଛାତ୍ରୀ ଅଧିକ ଥିବା ମଙ୍ଗଳ ସଂପ୍ରସାରଣ ଅଧିକାରୀ ଏବଂ ସିଆର୍‌ସିସି ତଦନ୍ତ କରି ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଆଧାରରେ ପ୍ରଶାସନିକ କାରଣରୁ ଦାନ୍ତିଆ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ଜେନାଙ୍କୁ କେନ୍ଦୁଝର ସଦର ବ୍ଲକ ଜଡିପଦା ହାଇସ୍କୁଲକୁ ଡେପୁଟେସନ କରାଯାଇଛି । ଦାନ୍ତିଆ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜୟ କୁମାର ମୁଖିଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୩୪୯୨ ତା ୧୦/୧୦/୨୦୨୫ରେ ଅବଗତ କରାଯାଇଛି ।