କିରାଣୀ ଓ ଅତିଥି ଶିକ୍ଷକଙ୍କ ବିବାଦ : ବିଦ୍ୟାଳୟରେ ପଡ଼ିଲା ତାଲା
ଯାଜପୁର ଟାଉନ : କିରାଣୀ ଓ ଅତିଥି ଶିକ୍ଷକଙ୍କ ବିବାଦରୁବିଦ୍ୟାଳୟରେ ପଡ଼ିଲା ତାଲା । ଏଭଳି ଅଭାବନୀୟ ଦୃଶ୍ୟ ଯାଜପୁର ବ୍ଲକ ବଡ଼ସୁଆର ପଞ୍ଚାୟତ ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ଅତିଥି ଶିକ୍ଷକ ଡ.ଆଶୁତୋଷ ବଳ ଘରକୁ ଫେରିବା ରାସ୍ତାରେ ଉକ୍ତ ବିଦ୍ୟାଳୟର କିରାଣୀ ମଞ୍ଜୁଲତା ବେହୁରିଆଙ୍କ ସ୍ୱାମୀ ଓ ପୁଅଙ୍କ ମଧ୍ୟରେ ମାର୍କଣ୍ଡପୁର ଛକ ନିକଟରେ ପାଟିତୁଣ୍ଡ ହୋଇଥିଲା। ଏନେଇ କିରାଣୀ ମଞ୍ଜୁଲତା ଯାଜପୁର ଟାଉନ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପକ୍ଷରେ ଅତିଥି ଶିକ୍ଷକ ଆଶୁତୋଷ ମଧ୍ୟ ସଂପୃକ୍ତ କିରାଣୀଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ। ସକାଳୁୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ବିଦ୍ୟାଳୟରେ ତାଲା ପଡ଼ିଥିବା ଦେଖି ଘରକୁ ଫେରି ଯାଇଥିଲେ। ପୁଲିସ ଘଟଣାକୁ ଗୁରୁତର ସହ ନେଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା। ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଶିକ୍ଷା ବିଭାଗର କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଁଚି ଆଲୋଚନା କରି ତାଲାକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଅଧିକାରୀଗଣ ପରିଚାଳନା କମିଟି ଓ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ଆଗକୁ ଯେପରି ପରିସ୍ଥିତି ଜଟିଳନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଏସମ୍ପର୍କରେ ଯାଜପୁର ଟାଉନ ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରେ ଦୁଇଜଣଙ୍କ ଅଭିଯୋଗକୁ ଭିତି କରି ପୃଥକ୍ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ କରାଯାଇ ଦୁଇଜଣଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଉଛି ବୋଲି ସୂଚନା ଦେଇଥିଲେ ।