ଅପହରଣର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ ଲକ୍ଷ ଟଙ୍କା ଅର୍ଥ ରାଶି ଘୋଷଣା 

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ସ୍ଥିତ ଗ୍ରେୱାଲ କମ୍ପାନୀର ଉପସଭାପତି ନିମାନନ୍ଦ ପ୍ରଧାନଙ୍କୁ ଗତ ୧୨ ତାରିଖ ସନ୍ଧ୍ୟାରେ ଅପହରଣ ହୋଇଥିଲା । ଅପହରଣକାରୀ ତାଙ୍କୁ ମୁଣ୍ଡଜାମିନ ରଖି ୨ କୋଟି ଟଙ୍କା ଦାବି କରିଥିଲେ । ପରେ ୬୦ ଲକ୍ଷ ଟଙ୍କା ପାଇବା ପରେ ୧ସପ୍ତାହ ପରେ ତାଙ୍କୁ ଛାଡିଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରି ୭ଜଣ ଅଭିଯୁକ୍ତଙ୍କୁ ୨୧ ତାରିଖ ଦିନ ଗିରଫ କରି ସେମାନଙ୍କ ଠାରୁ ୫୦ ଲକ୍ଷ ୯୦ ହଜାର ଟଙ୍କା ଜବତ୍ କରିଥିଲା । ଏହି ଅପହରଣର ମୁଖ୍ୟ ଅଭିଯୁକ୍ତ ଝାଡଖଣ୍ଡର କୁଖ୍ୟାତ ଅପରାଧି ବାବୁ ଖାଁ ଓରଫ ସାଦାବ ଖାଁ(୪୦) କୌଶଳକ୍ରମେ ଚମ୍ପଟ ମାରିଥିଲା । ଗିରଫ ୭ଜଣଙ୍କ ମଧ୍ୟରୁ ସଦାବ ଖାଁର ଭଉଣୀ ଫାରହା ପରବିନ ରହିଛି । ନିମାନନ୍ଦ ପ୍ରଧାନଙ୍କ ପରିବାର ଲୋକଙ୍କ ଠାରୁ ସାଦାବ ଖାଁ ଟଙ୍କା ନେବା ପରେ ଭଉଣୀ ନିକଟରେ ରଖିଥିଲା । ସଦାବ ଖାଁ ନାମରେ ଓଡିଶା ଏବଂ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ୭ଟି ମାମଲା ରହିଛି । ଅପହରଣ ଏବଂ ହତ୍ୟା ଭଳି ସଙ୍ଗିନ ମାମଲା ସାଦାବ ଖାଁ ନାମରେ ରହିଛି । ସେ ଏକ ଗ୍ୟାଙ୍ଗ କରି ଦୀର୍ଘ ବର୍ଷ ଧରି ଅପରାଧ କରି ଆସୁଥିଲା । ୨୦୨୦ ମସିହା ନଭେମ୍ବର ମାସ ପ୍ରଥମ ସପ୍ତାହରେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ବୀରମିତ୍ରପୁର ଅଂଚଳରେ ଜଣେ ବ୍ୟବସାୟୀଙ୍କୁ ଅପହରଣ କରି ମୁଣ୍ଡଜାମିନ ରଖି ୧କୋଟିି ଟଙ୍କା ଦାବି କରିଥିଲା । ୮୦ଲକ୍ଷ ଟଙ୍କା ପାଇବା ପରେ ବ୍ୟବସାୟୀଙ୍କୁ ମୁକ୍ତି କରିଥିଲା । ସାଦାବ ଖାଁ କୁ ଧରିବା ପାଇଁ କେନ୍ଦୁଝର ପୁଲିସ ଦକ୍ଷ ପୁଲିସ ଅଧିକାରୀଙ୍କୁ ନେଇ ୨ ଟିମରେ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଝାଡଖଣ୍ଡ ରାଜ୍ୟର ଚାଇଁବସା, ରାଂଚି, ଚକ୍ରଧରପୁର, ଜାମସେଦପୁର, ଜାମଦା, ନୂଆମୁଣ୍ଡି ଆଦି ବିଭିନ୍ନ ସ୍ଥାନର ଛକ ବଜାର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରି ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡିଛି । ସାଦାବ ଖାଁକୁ ଧରିବାରେ ସୂଚନା ଦେଲେ ପୁଲିସ ପକ୍ଷରୁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସାଦାବ ଖାଁ ମୋବାଇଲ ଫୋନ ବ୍ୟବହାର କରୁନଥିବା ବେଳେ ପୁଲିସକୁ ଚକମା ଦେଇ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି । ଶେଷଥର ପାଇଁ ପୁଲିସ ତାକୁ ଚାଇଁବସାରେ ଠାବ କରିଥିଲା । ସାଦାବ ଖାଁ ତାର ପତ୍ନୀ ଓ ୨ ବର୍ଷର ଶିଶୁପୁତ୍ରକୁ ଧରି ଏକ ବ୍ୟାଟେରୀ ଚାଳିତ ଅଟୋ ରିକ୍ସାରେ ଚାଇଁବସାରୁ ଯିବାର ସିସିଟିଭିରେ ଚିହ୍ନଟ ହୋଇଥିଲା । ଏହାପରେ ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି ।