ହିମାଳୟର ଚେତାବନୀ

ସୌଭାଗ୍ୟ ରଞ୍ଜନ ମହାନ୍ତି : ହିମାଳୟ ପାଦଦେଶରେ ଅବସ୍ଥିତ ରାଜ୍ୟଗୁଡିକରେ ଏବେ ଯେଉଁଭଳି ଭାବେ ବାରମ୍ବାର ବାଦଲଫଟା ବର୍ଷା ଓ ଭୂସ୍ଖଳନ ଏବଂ ବନ୍ୟାର ପ୍ରକୋପ ସୃଷ୍ଟି ହୋଇଛି ବୋଲି ତାହାକୁ ପାର୍ବତ୍ୟାଞ୍ଚଳର ଚେତବାନୀ ବୋଲି କୁହାଯାଇପାରିବ । ଚଳିତ ମୌସୁମୀ ଋତୁରେ ହିମାଳୟ ପାଦଦେଶରେ ଅବସ୍ଥିତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ-କାଶ୍ମୀରରେ ୧୪ଥର ବାଦଲଫଟା ସହ ଆକସ୍ମିକ ବନ୍ୟା, ଭୂସ୍ଖଳନ ଜନଜୀବନକୁ ପ୍ରଭାବିତ କରିଛି । ବାଦଲଫଟା ବର୍ଷା, ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ହିମାଳୟ ରାଜ୍ୟଗୁଡିକରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିଲାବେଳେ ହଜାର ହଜାର କୋଟି ଟଙ୍କାର ସମ୍ପତି କ୍ଷତିଗ୍ରସ୍ତ ହୋଇଛି । ବଡ ବଡ କୋଠା ଭୁଶୁଡି ପଡିବା ସହ ରାସ୍ତାଘାଟ ଧୋଇଯାଇଛି ।

ନିକଟରେ ଜାମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷାରେ ୫୦ରୁ ଊଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବହୁ ବୈଷ୍ଣୋଦେବୀ ଶ୍ରଦ୍ଧାଳୁ ଅନ୍ତର୍ଭୁକ୍ତ ଥିବା କୁହାଯାଇଛି । ଆକସ୍ମିକ ବନ୍ୟା ସେମାନଙ୍କୁ ଭସାଇ ନେବା ସହ ପଥରଖଣ୍ଡ ତଳେ ପୋତି ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । କିଛି ସପ୍ତାହ ପୂର୍ବେ ଜାମ୍ମୁ ଅଂଚଳରେ ବନ୍ୟାର ବିଭୀଷିକା ସୃଷ୍ଟି କରିଛି । ପଂଜାବରେ ହଜାର ହଜାର ଗ୍ରାମ ବନ୍ୟା ଜଳ ଘେରରେ ରହିଥିବାବେଳେ ଚାଷଜମି ଗୁଡିକ ଜଳପ୍ଳାବିତ ହୋଇଯାଇଥିଲା । ଯମୁନା, ସିନ୍ଧୁ ଓ ସତଲେଜ୍‌ ନଦୀରେ ବନ୍ୟାରେ ଜନଜୀବନ ଠପ୍‌ ହୋଇଯାଇଥିଲା । କେବଳ ଏତିକି ଦିଲ୍ଲୀରେ ପ୍ରବଳ ବର୍ଷାରେ ରାସ୍ତାଘାଟଗୁଡିକ ବୁଡି ଯାଇଥିଲା । ଯମୁନା ନଦୀର ଜଳପତନ ବୃଦ୍ଧି କରିଥିଲା । ଚଳିତ ବର୍ଷ ଦକ୍ଷୀଣ ପଶ୍ଚିମ ମୌସୁମି କେବଳ ହିମାଳୟ ରାଜ୍ୟଗୁଡିକରେ ନୁହେଁ, ସମଗ୍ର ଉତ୍ତର ଭାରତୀୟ ଅଂଚଳରେ ବର୍ଷାର ତାଣ୍ଡବ ରଚିଛି ।   ବାଦଲଫଟା ତଥା ଅପ୍ରତ୍ୟାଶିତ ବର୍ଷା ଏବେ ଜନଜୀବନ ପାଇଁ ବିପର୍ଯ୍ୟାୟର କାରଣ ହୋଇଛି । ଏହା ନିଃସନ୍ଦେହ ଯେ, ପ୍ରକୃତି ଉପରେ ମଣିଷର ଅତ୍ୟାଚାର ଯେତିକି ଯେତିକି ବଢିଚାଲିଛି, ପ୍ରକୃତିର ପ୍ରକୋପ ସେତିକି ସେତିକି ଉଗ୍ର ହେବାରେ ଲାଗିଛି । ହିମାଳୟ ରାଜ୍ୟଗୁଡିକରେ ମାତ୍ର ମାସକ ମଧ୍ୟରେ ଯେଉଁଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟଣାମାନ ଘଟିଛି, ଏହା ହେଉଛି, ତାର ଜ୍ୱଳନ୍ତ ଉଦାହରଣ । ପାର୍ବତ୍ୟାଚଂଳରେ ବାରମ୍ବାର ନିର୍ମାଣ କାର୍ଯ୍ୟ, ପଥର ଖଣ୍ଡକୁ ବିସ୍ଫୋରଣ ଦ୍ୱାରା ଫୁଟାଇବା, ଖନନ, ଆଖିବୁଜା ଗଛ କଟା ଆଦି ହିମାଳୟ ପାଦଦେଶରେ ବସବାସ କରୁଥିବା ଜନସାଧାରଣଙ୍କୁ ଅସୁରକ୍ଷିତ କରିଦେଇଛି ।  

ଲୋକସଭାରେ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଥିଲେ ଯେ, ଦେଶରେ ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଂଚଳ ମଧ୍ୟରେ ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ହେଉଛି ଅନ୍ୟତମ। ଜାମ୍ମୁ-କାଶ୍ମୀରର ୧୨ପ୍ରତିଶତ ଅଂଚଳ ଅତିମାତ୍ରାରେ ସହଜରେ ପ୍ରଭାବିତ ହୋଇଥିବା ବର୍ଗ ଅନ୍ତର୍ଭୁକ୍ତ । ନିକଟରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଡିଏସଆଇ) ହିମାଳୟ ଅଂଚଳରେ ସହଜରେ ପ୍ରଭାବିତ ହୋଇପାରୁଥିବା ଭୂସ୍ଖଳନ ଇଲାକାର ସର୍ଭେ ସମ୍ପୂର୍ଣ୍ଣ କରିଛି । ହିମାଳୟ ଅଂଚଳରେ ଜୈବିକ ବିବିଧତାର କ୍ରମାଗତ କ୍ଷୟ ଯୋଗୁଁ ଏବେ ଏହି ଅଂଚଳଗୁଡିକ ଇକୋ-ସେନସିଟିଭ୍‌ ଜୋନ ହୋଇଯାଇଛି । ବୈଜ୍ଞାନିକମାନଙ୍କ କଡା ଚେତାବନୀ ସତ୍ତେ୍ୱ ଜଙ୍ଗଲ କ୍ଲିଅରାନ୍ସ, ରାସ୍ତା ନିର୍ମାଣ, ବିଭିନ୍ନ ପ୍ରକଳ୍ପ ନିର୍ମାଣ  ପରିବେଶକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ବହୁ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ପ୍ରବଳ, ଅତିପ୍ରବଳ, ବାଦଲପଟା ବର୍ଷା, ଅକସ୍ମିକ ବନ୍ୟା, ଭସ୍ଖଳନ ଏବଂ ମାଟି ଦବିବା । ସେହି ନଦୀ ଅବବାହିକାରେ ନୂଆ ନୂଆ ଜନବସତିମାନ ଗଢି ଉଠିବା ଯୋଗୁଁ ନଦୀର ଗତିପଥ ସଂକୁଚିତ ହେବା ଯୋଗୁଁ ବନ୍ୟା ତାଣ୍ଡବ ସୃଷ୍ଟି କରୁଛି ।

ଉଲ୍ଳେଖଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ଏବେ ବିଭିନ୍ନ ପ୍ରାକୃତିକ ଧାରା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଘଟିବା ସହ ବନ୍ୟା, ବାତ୍ୟା, ମରୁଡି, ଭୂସ୍ଖଳନ, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟଣା ବଢିବାରେ ଲାଗିଛି । ପଶ୍ଚିମଘାଟ  ପାର୍ବତ୍ୟମାଳାରେ ଜଳବାୟୁ ପରିବର୍ତ୍ତନ ଗତ ଏକ ଦଶନ୍ଧି ତଳେ ଦେଖିବାକୁ ମିଳିଥିଲା ବୋଧହୁଏ ଏହାର ପରିଣତିକୁ କେହି ଭୁଲି ନଥିଲେ । ଉଲ୍ଳେଖଯୋଗ୍ୟ ଯେ, ଭୂମଧ୍ୟ ସାଗରରେ ସାଧାରଣତଃ ଶୀତ ଓ ବସନ୍ତ ଋତୁରେ ଲଘୁଚାପମାନ ସୃଷ୍ଟି ହୋଇଥାଏ । ମାତ୍ର ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏବେ ଏହା ଗ୍ରୀଷ୍ମ ଓ ମୌସୁମି ଋତୁରେ ସୃଷ୍ଟି ହୋଇ ଏସିଆ ଓ ଉତ୍ତର ଭାରତୀୟ ଅଂଚଳରେ ପ୍ରବେଶ କରିଛି । ଉତ୍ତର ଭାରତୀୟ ଅଂଚଳରେ ଏହାର ପ୍ରବେଶ ଦକ୍ଷିଣ-ପଶ୍ଚିମ ମୌସୁମିକୁ ଉଗ୍ର କରିବା ସହ ଜଳପ୍ରଳୟ ଏବଂ ବାଦଲଫଟା ବର୍ଷାର କାରଣ ହୋଇଛି । ବୈଜ୍ଞାନିକ, ପରିବେଶବିତ୍‌ ଏବଂ ପାଣିପାଗ ବିଶାରଦମାନଙ୍କ ଚେତାବନୀକୁ ଦୃଷ୍ଟିରେ ରଖି ହିମାଳୟ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାର, ନୀତିନିର୍ଦ୍ଧାରକ ଏବଂ ଯୋଜନା ନିର୍ଦ୍ଧାରକମାନେ କାର୍ଯ୍ୟ କରିବା ଜରୁରି । ଅନ୍ୟଥା ଦେବଭୂମି ଅସୁରକ୍ଷିତ ହୋଇପଡିବା ସାର ହେବ ।


ମୋ:୭୯୭୮୬୬୬୪୦୩