ମନ୍ଥରଗତିରେ ଚାଲିଛି ଲୁଣାନଦୀ ତଟ ସୁରକ୍ଷା କାମ

 ନିଶ୍ଚିନ୍ତକୋଇଲି : ନଦୀକୂଳରେ ବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ତତ୍କାଳୀନ ସରକାର ଲୁଣା ନଦୀର ବରପଡାଠାରୁ ସାନଥାକନ ପର୍ଯ୍ୟନ୍ତ ତଟର ସୁରକ୍ଷା ପାଇଁ ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟ ବରାଦ କରାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଓ ମାହାଙ୍ଗାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଫଳରେ ଲୁଣାନଦୀର ବାମପାଶ୍ୱର୍ ତଟର ରକ୍ଷା ହୋଇପାରିଲେ ବୁହାଳ, ସରପଡା, ନିଶ୍ଚିନ୍ତକୋଇଲି, କଟରପଡା, ସୁକରପଡା, ବାଲିଆପଦା ଆଦି ପଞ୍ଚାୟତର ଲୋକମାନଙ୍କର ସୁରକ୍ଷା ସହ ଧନଜୀବନକୁ ସୁରକ୍ଷା ଦିଆଯାଇପାରିବ । ବର୍ଷା ଦିନେ ଲୁଣାନଦୀରେ ବନ୍ୟା ହେତୁ ବିଗତ ଦିନରେ ତିଲକଣା ଓ ବଳରାମପୁର ଆଦି ସ୍ଥାନରେ ଘାଇ ହୋଇ ବହୁ ଧନଜୀବନ କ୍ଷତି ହୋଇଥିବାରୁ ଏହି ସ୍ଥାନଟି ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ବୋଲି ପୂର୍ବତନ ମନ୍ତ୍ରୀ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ପାଖରୁ ଅର୍ଥ ମଞ୍ଜୁର କରାଇ ଜନୈକ ଠିକାଦାରଙ୍କୁ କାର୍ଯ୍ୟଭାର ଦେଇଥିଲେ । ଦାୟିତ୍ୱ ନେଇଥିବା ଠିକାଦାର ସରକାରଙ୍କ ନୀତି ନିୟମାନୁଯାୟୀ ବିପଦପୂର୍ଣ୍ଣ ନଦୀବନ୍ଧରେ ପଥର ନ ପକାଇ ଯେଉଁ ୧୮ଟି ଆଡି ବନ୍ଧରେ ବଡ ପଥର ଦେଇ ଅବଶିଷ୍ଟ ସ୍ଥାନରେ ଛୋଟ ଛୋଟ ପଥର ଖଜିଥିବା ଦେଖିବାକୁ ମିଳିଛି ।  ଏହାଛଡା ବନ୍ଧକଡ ଅତଡାର ତଳ ଅଂଶ ପଥର ପ୍ୟାକିଂର ଆରମ୍ଭରେ ବିପୁଳ ପରିମାଣର ଜଳସ୍ରୋତଥିବାରୁ କେତେ ପଥର ପଡିଲା, କେଉଁ ସାଇଜ୍ର ପଥର ପଡିଲା, ତାହା ସୂଚନା ଫଳକରେ ଦର୍ଶାଯାଇନଥିବା ସହ ପ୍ରାୟ ତା. ୨୬.୧୧. ୨୦୨୩ ରିଖରୁ ଆରମ୍ଭ ହୋଇ ଅଦ୍ୟାବଧି କାମ ସରିନଥିବାରୁ ଆଗାମୀ ବର୍ଷା ଋତୁରେ ଦୀପାଞ୍ଚଳ ପ୍ରତି ଘୋର ବିପଦ ଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଟି କୋଟି ଟଙ୍କା ବିନିମୟରେ ହେଉଥିବା ତଟ ସୁରକ୍ଷା ଓ ପଥରପ୍ୟାକିଂ କାର୍ଯ୍ୟ ପାଖକୁ ବିଭାଗୀୟ ଉଚ୍ଚ ପଦାଧିକାରୀ ଆସୁନଥିବା ପରିତାପର ବିଷୟ ବୋଲି ବିଭିନ୍ନ ସ୍ତରରେ ଆଲୋଚନା ହେଉଛି । ବେଳ ହୁଁ ସାବଧାନ ହୋଇ ଏହି କାର୍ଯ୍ୟର ସଦୁପଯୋଗ କରାନଗଲେ ଲୁଣାନଦୀ କୂଳରେ ଥିବା ଶତାଧିକ ଗ୍ରାମର ଲକ୍ଷାଧିକ ଲୋକଙ୍କର ଧନଜୀବନ କ୍ଷତି ହେବାର ସମ୍ଭାବନାକୁ ଏଡାଇ ହେବ ନାହିଁ ।