ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ତିଗିରିଆ: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଷ୍ଣୁପୁରର ଦୁଇ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୧୦ ମସିହାରେ ପ୍ରଧାନଶିକ୍ଷକ ଭାବେ ଅବସର ନେଇଥିବା ପ୍ରଫୁଲ କୁମାର ମହାରଣା ଏବଂ ଗତ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ପ୍ରଭାକର ବେହେରାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ସହଶିକ୍ଷାଧିକାରୀ ତଥା ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ମାଧବଚନ୍ଦ୍ର ଦେଉରୀ ଯୋଗ ଦେଇ ଶିକ୍ଷକ ନୀତି ଆଦର୍ଶକୁ ଛାତ୍ରଛାତ୍ରୀମାନେ ଆପଣେଇବା ଏବଂ ତାକୁ କାର୍ଯ୍ୟରେ ଲଗାଇ ପାରିଲେ ହିଁ ଶିକ୍ଷକଙ୍କ ପ୍ରତି ଏହା ହେବ ପକୃତ ସମ୍ମାନ ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତା ଏବଂ ସାଧନକେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ଗୋଛିଙ୍କ ପରିଚାଳନାରେ ମୁଖ୍ୟବକ୍ତା ଭାବେ ସହ ଶିକ୍ଷାଧିକାରୀ ସଂଯୁକ୍ତା ଚୌଧୁରୀ ଏବଂ ସମ୍ମାନିତ ଅତିଥି ଭାବେ ସହଶିକ୍ଷାଧିକାରୀ ସୌଦାମିନୀ ମିଶ୍ର ଯୋଗ ଦେଇଥିଲେ । ଏହା ସହିତ ସମସ୍ତ ସାଧନକେନ୍ଦ୍ର ସଂଯୋଜକ ଚନ୍ଦ୍ରକାନ୍ତ ମିଶ୍ର, ପ୍ରଭାତ କୁମାର ପଣ୍ଡା, ସଚ୍ଚିଦାନନ୍ଦ ରାଉଳ, ଗଙ୍ଗାଧର ସାମଲ ଯୋଗ ଦେଇଥିଲେ । ଏହାସହିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାରିଦ ବରଣ ମହାପାତ୍ର ଓ ସଂପାଦକ ମାୟାଧର ସାହୁ, ଗଦାଧରପୁର କ୍ଲଷ୍ଟର ସମସ୍ତ ପ୍ରଧାନଶିକ୍ଷକ ଦିବାକର ବିଶ୍ୱାଳ, ପ୍ରଦୀପ କୁମାର ରାଉତ, ସ୍ୱର୍ଣ୍ଣମୟୀ ସାହୁ, ବିଶ୍ୱମ୍ବର ସାହୁ, ନିରଞ୍ଜନ ସାହୁ, ଉମାଶଙ୍କର ରାଉତ, ଶ୍ରୀଧର ସାହୁ ପ୍ରମୁଖ ସାମିଲ ହେବା ସହିତ ବିଦାୟୀ ଦୁଇ ପ୍ରଧାନଶିକ୍ଷକଙ୍କ ଗୁଣଗାନ କରିଥିଲେ । ଅତିଥିମାନେ କ୍ଲଷ୍ଟରରେ ନୂଆ କରି ନିଯୁକ୍ତି ପାଇଥିବା ୭ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କ୍ଲଷ୍ଟର ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରଯାଇଥିଲା । ପରେ ଅତିଥିମାନଙ୍କ ଦ୍ୱାରା ଦୁଇ ପ୍ରତିଭାବାନ୍ ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୋହିତ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ପବିତ୍ର କୁମାର ପତି, ଗଣ ବିହାରୀ ବେଜ, ପବିତ୍ର କୁମାର ସ୍ୱାଇଁ ଏବଂ ଶିକ୍ଷାରେ ସହଯୋଗ କରିଥିବା ଶରତ କୁମାର ରାଉତ ସମେତ ପରିଚାଳନା କମିଟି ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।