ମହାପ୍ରଭୁଙ୍କ ମୋଦକ ଚୋରି! ଆଇନ୍ମନ୍ତ୍ରୀଙ୍କ ରିପୋର୍ଟ ତଲବ

ମହାପ୍ରଭୁଙ୍କ ମୋଦକ ଚୋରି! ଆଇନ୍ମନ୍ତ୍ରୀଙ୍କ ରିପୋର୍ଟ ତଲବ

 ପୁରୀ :  ଶ୍ରୀମନ୍ଦିରରେ ଘଟିଛି ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ହୋଇଛି  । ଶ୍ରୀବିଗ୍ରହଙ୍କୁ ଲାଗି ଉଦେ୍ଦଶ୍ୟରେ ଆସିଥିବା ଦଶମୂଳ ମୋଦକରୁ କିଛି ଅଂଶ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମୋଦକ ଚୋରି ହେବା ପରେ ଅନ୍ୟ ମୋଦକ ମାରା ବୋଲି ଗ୍ରହଣ କରାଯିବ । ଏହି ମାରା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଅର୍ପଣ କରାଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର । 
ଅପରପକ୍ଷରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ରିପୋର୍ଟ ତଲବ କରିଛନ୍ତି  । ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ  । ଆହୁରି ତଦନ୍ତ କରାଯିବ, ସିସିଟିଭି ମଧ୍ୟ ଯାଞ୍ଚ ହେବ  । କେହି ଦୋଷୀ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ବୋଲ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି  । ମୋଦକ ଚୋରିକୁ ମଧ୍ୟ ସେ ଅସ୍ୱୀକାର କରିବା ସହ ମୋଦକ ଗଣାଯାଏ ନାହିଁ ବୋଲି ସେ କହିଥିଲେ  । ତେବେ ଏନେଇ ସିସିଟିଭି ଯାଞ୍ଚ କରାଯାଇ ତଦନ୍ତ ହେବବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ  । ପ୍ରଥମେ ଆଇନ୍ ମନ୍ତ୍ରୀ ଏହାକୁ ଅସତ୍ୟ ବୋଲି କହିବା ସହ ବାହାଦୂରୀ ମାରିବାକୁ ଏଭଳି କୁହାଯାଇଛି ବୋଲି କହିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପତ୍ର ଲେଖି ହଳଧର କହିଛନ୍ତିଯେ, ଅନବସର ଏକାଦଶୀ ଦିନ ମହାପ୍ରଭୁଙ୍କୁ ସର୍ବାଙ୍ଗ ପରେ ଦଶମୂଳ ମୋଦକ ସେବାରେ କବିରାଜ ସେବକ ଭକ୍ତମାନେ ମୋଦକ ଆଣି ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ଜମା ଦେଇଥିଲେ । କିନ୍ତୁ ଦୁଃଖର ବିଷୟମହାପ୍ରଭୁଙ୍କ ଭୋଗ ନିମନ୍ତେ ମୋଦକ ମଣତି ନେବା ସମୟରେ ୩୧୩ ମୂର୍ତ୍ତି ଅମୁଣିଆ ମୋଦକରୁ ୭୦ମୂର୍ତ୍ତି ମୋଦକ କମ୍ ଥିଲା । ଏହି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କୁ କିପରି ଅର୍ପଣ କରାଗଲା ବୋଲି ଶ୍ରୀ ଦାସମହାପାତ୍ର ପ୍ରଶ୍ନ କରିଛନ୍ତି । ମୋଦକ ଚୋରି ଘଟଣା ପ୍ରସାରିତ ହେବା ପରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଶ୍ରୀମନ୍ଦିର ଥାନାରେ ଏତଲା ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏତଲାରେ ଉଲ୍ଲେଖ କରାଯାଇଛି ଯେ, ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଗାରଦରୁ ମହାପ୍ରଭୁଙ୍କ ୭୦ଟି ଅହ୍ମୁଣିଆ ମୋଦକ ଚୋରି ହୋଇଛି । ଏହି ଘଟଣା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ଏହାର ତଦନ୍ତ ପାଇଁ ସଂଗଠନ ପକ୍ଷରୁ ଦାବି କରାଯିବା ସଂଗେସଂଗେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ଚିଠି ମାଧ୍ୟମରେ ଏହା ଜଣାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ନିରବ କାହିଁକି ବୋଲି ପ୍ରଶ୍ନ କରାଯାଇଛି ।