ନାବାଳିକାଙ୍କୁ କୁକର୍ମ! ନକଲି ଡାକ୍ତର ଗିରଫ
ବ୍ରହ୍ମପୁର: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ବାଜପେୟୀ ଆରୋଗ୍ୟଧାମ ମାଲିକ ଡ଼ା.ଭବାନୀ ଶଙ୍କର ଦାଶଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି । ମିଳିଥିବା ସୂଚନାଅନୁଯାୟୀ, ମାଗଣାରେ ବିଏସସି ନର୍ସିଂ ପାଠ ପଢାଇବାକୁ କହି ଭବାନୀ ପୀଡ଼ିତାଙ୍କ ପରିବାରବର୍ଗଙ୍କ ବିଶ୍ୱାସ ଭାଜନ ହୋଇଥିଲା । ଭବାନୀଙ୍କ କଥାରେ ବିଶ୍ୱାସ କରି ନାବାଳିକାକୁ ପରିବାର ଲୋକ ଛାଡିଥିଲେ । ଏହା ପୂର୍ବରୁ ପୀଡ଼ିତାଙ୍କ ମା’ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ । ବାଜପେୟୀ ଆରୋଗ୍ୟଧାମର ମାଲିକ ଜଣେ ଉତ୍ତମ ବ୍ୟକ୍ତି ବୋଲି ପୀଡ଼ିତାଙ୍କ ମାଆଙ୍କୁ ଅଙ୍ଗନାବାଡ଼ି କର୍ମୀ କହିଥିଲେ । କୋର୍ଟପେଟା ଛକରେ ଥିବା ରାଜାରାଣୀ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ବାଜପେୟୀ ଆରୋଗ୍ୟଧାମରେ ପୀଡିତାଙ୍କ ମାଆ ଦେଖା କରିଥିଲେ । ପୀଡ଼ିତାଙ୍କୁ ସେଠାରେ ଛାଡି ଆସିଥିଲେ । ପରେ ସନ୍ଧ୍ୟା ୭ଟା ସମୟରେ ସେହି ଆପାର୍ଟମେଣ୍ଟର ତୃତୀୟ ମହଲାରେ ୩୦୨ ନମ୍ବର ରୁମରେ ପୀଡ଼ିତାଙ୍କୁ ନିଶା ପାଣି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ସେଠାରୁ ଆସି ସମ୍ପର୍କୀୟ ମାଉସୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଗତକାଲି ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ କରି ଗିରଫ କରିଛି । ଦୁଇଜଣ ମହିଳା ଭବାନୀଙ୍କୁ ଏଥିରେ ସହଯୋଗ କରିଥିଲେ । ଜଣେ ପରିଚିତ କରାଇଥିବାବେଳେ ଆଉ ଜଣେ ପାଣି ପିଇବାକୁ ଦେଇଥିଲେ । ଭବାନୀଙ୍କ ହୋମିଓ ପାଥିକ ଡାକ୍ତରୀ ସାର୍ଟିଫିକେଟ ନକଲି ଥିବା ପୁଲିସ ଜାଣିବାକୁ ପାଇଛି । ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।