ମହିଳା ଭୋଟ୍ ବ୍ୟାଙ୍କ ଚିନ୍ତା; ବେଲଗାମ ସବସିଡ଼ି
- ମହିଳା ପାଉଛନ୍ତି ୧.୬୮ ଲକ୍ଷ କୋଟିର ନଗଦ
- ସବସିଡ଼ି ଚାପରେ ରାଜ୍ୟମାନଙ୍କ ଅର୍ଥନୀତି ଚେପା
ଭୁବନେଶ୍ୱର : ମହିଳା ଭୋଟ୍ ବ୍ୟାଙ୍କକୁ ଆଖି ଆଗରେ ରଖି ମହିଳାମାନଙ୍କୁ ଲକ୍ଷ ଲକ୍ଷ କୋଟିର ସବସିଡ଼ି ଦିଆଯାଉଛି । ନିଃସର୍ତ୍ତ ଭାବେ ନଗଦ ଟଙ୍କା ପ୍ରଦାନ କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ରାଜ୍ୟଗୁଡ଼ିକ ନିଜ ବଜେଟରେ ଏଥିପାଇଁ ୧ ଲକ୍ଷ ୬୮ ହଜାର ୪୦ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି ।
୧୨ଟି ରାଜ୍ୟରେ ମହିଳାମାନଙ୍କୁ ନଗଦ ଟଙ୍କା ପ୍ରଦାନ ଯୋଜନା ଚାଲିଛି । ତେବେ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଆସାମ ଭଳି ୬ଟି ରାଜ୍ୟରେ ଏଥିପାଇଁ ବିତ୍ତୀୟ ନିଅଣ୍ଟିଆ ସ୍ଥିତି ସୃଷ୍ଟିହୋଇଛି । ଆସାମରେ ଓରୁନୋଦୋଇ ଯୋଜନାରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ମହିଳାଙ୍କୁ ମାସକୁ ୧୨୫୦ ଟଙ୍କା ଦିଆଯାଉଛି । ଏଥିପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଛତିଶଗଡ଼ରେ ମହତରୀ ବନ୍ଦନ ଯୋଜନାରେ ୨୧ ବର୍ଷରୁ ଉଦ୍ଧ୍ୱର୍ ବିବାହିତ ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯାଉଛି । ଯେଉଁଥିପାଇଁ ବାର୍ଷିକ ୫୫ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଦିଲ୍ଲୀରେ ମହିଳା ସମୃଦ୍ଧି ଯୋଜନାରେ ମାସିକ ୨୫ ଶହ ଟଙ୍କା ଦିଆଯାଉଥିବାବେଳେ ସେଥିପାଇଁ ୫୧୧୦ କୋଟି ଖର୍ଚ୍ଚ କରାଯାଉଛି । ଅପରପକ୍ଷରେ ହିମାଚଳପ୍ରଦେଶରେ ଇନ୍ଦିରାଗାନ୍ଧୀ ପ୍ୟାରୀ ବେହନା ସୁଖ ସମ୍ମାନ ନିଧି ଯୋଜନାରେ ୧୮ରୁ ୫୯ ବର୍ଷର ମହିଳାଙ୍କୁ ମାସିକ ୧୫ ଶହ ଟଙ୍କା ହିସାବରେ ୧୩୮ କୋଟିର ବ୍ୟୟବରାଦ କରାଯାଇଛି । ହରିୟାଣାରେ ଲାଡେ଼ା ଲକ୍ଷ୍ମୀ ଯୋଜନାରେ ୧୮ ବର୍ଷରୁ ଉଦ୍ଧ୍ୱର୍ ମହିଳାଙ୍କୁ ମାସିକ ୨୧ ଶହ ଟଙ୍କା ଦିଆଯାଉଥିବାବେଳେ ସେଥିପାଇଁ ୫ ହଜାର କୋଟିର ବ୍ୟୟବରାଦ ହୋଇଛି ।
ଯେତେବେଳେକି ଝାରଖଣ୍ଡରେ ସିଏମ ମୈୟାଁ ସମ୍ମାନ ଯୋଜନାରେ ୧୮ରୁ ୫୦ ବର୍ଷର ମହିଳାଙ୍କୁ ମାସିକ ୨୫ ଶହ ଟଙ୍କା ହିସାବରେ ୧୩୩୬୩ କୋଟି ଟଙ୍କା ଖର୍ଚ୍ଚ ହେଉଛି । କର୍ଣ୍ଣାଟକରେ ଗୃହ ଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ୨ ହଜାର ହିସାବରେ ୨୮୬୦୮ କୋଟି ଟଙ୍କା ଦିଆଯାଉଥିବାବେଳେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ମାଝୀ ଲଡ଼କି ବହନ ଯୋଜନାରେ ୨୧ରୁ ୬୫ ବର୍ଷର ମହିଳାଙ୍କୁ ୧୫ ଶହ ଟଙ୍କା ହିସାବରେ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଲାଡ଼ଲି ବେହେନା ଯୋଜନାରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଏଥିପାଇଁ ୧୮୬୬୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଓଡ଼ିଶାରେ ସୁଭଦ୍ରା ଯୋଜନା ପାଇଁ ବାର୍ଷିକ ୧୦୧୪୫ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯେତେବେଳେକି ତାମିଲନାଡୁରେ ମାଗଲିର ଉରିମାଇ ଥୋଗାଇ ଯୋଜନାରେ ୨୧ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ମାସିକ ୧ ହଜାର ହିସାବରେ ୧୩୮୦୭ କୋଟି ଖର୍ଚ୍ଚ କରାଯାଉଛି । ସେହିପରି ପଶ୍ଚିମବଙ୍ଗରେ ଲକ୍ଷ୍ମୀର ଭଣ୍ଡାର ସ୍କିମ୍ରେ ୨୫ରୁ ୬୦ ବର୍ଷର ମହିଳାଙ୍କୁ ୧ ହଜାରରୁ ୧୨ ଶହ ହିସାବରେ ବାର୍ଷିକ ୨୬ ହଜାର ୭ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।
୨୦୨୩-୨୪ରେ ୨୪ଟି ରାଜ୍ୟ ସବସିଡ଼ି ବାବଦରେ ୩.୧୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ରାଜସ୍ୱ ଟିକସର ପ୍ରାୟ ୯% ଅର୍ଥ ସବସିଡ଼ି ବାବଦରେ ଖର୍ଚ୍ଚ ହୋଇଥିଲା । ବିଶେଷକରି ଶକ୍ତି କ୍ଷେତ୍ରକୁ ପ୍ରାୟ ଅର୍ଦ୍ଧାଧିକ ଅର୍ଥ ସବସିଡ଼ି ବାବଦରେ ଦିଆଯାଇଛି । ପଞ୍ଜାବ ସର୍ବାଧିକ ୨୧%, ତାମିଲନାଡୁ ୧୪% ଓ ରାଜସ୍ଥାନ ୧୪% ଏକ୍ଷେତ୍ରରେ ସର୍ବାଗ୍ରେ ରହିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅର୍ଥ କମିଶନ ସବସିଡ଼ି ଯୋଗୁଁ କିଭଳି ବିତ୍ତୀୟ ସ୍ଥିରତା ପ୍ରଭାବିତ ହେବ ସେନେଇ ସତର୍କ କରିଦେଇଥିଲେବି ରାଜ୍ୟଗୁଡ଼ିକ ସେଥିପ୍ରତି ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି ।