୪ର୍ଥ ଟି-୨୦ : ପୁଣି ଅଷ୍ଟ୍ରେଲିଆକୁ ହରାଇଲା ଭାରତ

୪ର୍ଥ ଟି-୨୦ : ପୁଣି ଅଷ୍ଟ୍ରେଲିଆକୁ ହରାଇଲା ଭାରତ

କୁଇନ୍ସଲାଣ୍ଡ : ବୋରଲଙ୍କ ଶାଣିତ ବୋଲିଂ । ମାଟି କାମୁଡିଲା ଘରୋଇ ଟିମ୍‌ କଙ୍ଗାରୁ । ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ହରାଇଛି । ଏହି ବିଜୟ ସହ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୬୭ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭର ଖେଳି ମାତ୍ର ୧୧୯ ରନ୍‌ କରି ଅଲ ଆଉଟ ହୋଇଯାଇଛି ।

      ୧୬୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ୍‌ ମାର୍ଶ ଓ ମାଥ୍ୟୁ ସର୍ଟ ୩୭ ରନ ଯୋଡିଥିଲେ । ସର୍ଟ(୨୫ ରନ)ଙ୍କୁ ଆଉଟ୍‌ କରି ଅକ୍ଷର ପଟେଲ୍‌ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ମିଚେଲ ମାର୍ଶ ବଡ ସଟ ଖେଳି ରନ ଗତି ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ । ହେଲେ ଶିବମ ଦୁବେଙ୍କ ବଲ୍‌ରେ ମିଚେଲ ମାର୍ଶ(୩୦) ୱିକେଟ୍‌ ଯାଇଥିଲା । ଏହାପରେ ଆଷ୍ଟ୍ରେଲିଆର କୌଣସି ବ୍ୟାଟର ୨୦ ରନ୍‌ ବି କରିପାରି ନଥିଲେ । ଦଳ ପକ୍ଷରୁ ଜସ ଇଂଲିସ ୧୨ ରନ୍‌, ଟିମ ଡେଭିଡ୍‌ ୧୪, ଜସ ଫିଲିପ ୧୦,ମାର୍କସ ଷ୍ଟୋଇନିସ ୧୭ ରନ୍‌ କରିଥିଲେ । ମାକ୍ସୱେଲ୍‌ ମଧ୍ୟ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ।

      ଭାରତ ପକ୍ଷରୁ ସମସ୍ତ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଆଜି ସମସ୍ତଙ୍କୁ ୱିକେଟ ନେବାରେ ସଫଳତା ମିଳିଥିଲା । ତେବେ ୱାଶିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଶିବମ ଦୁବେ, ଅକ୍ଷର ପଟେଲ ଦୁଇଟି ଲେଖାଏ ୱିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍‌ ପ୍ରଥମ ୱିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଶର୍ମା ୨୮ ରନ ଓ ଗିଲ୍‌ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍‌ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ୱିକେଟ ନେଇଥିଲେ ।