ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍; ଲୁଟେରା ଗିରଫ

ଭୁବନେଶ୍ୱର, ୯ା୧୧ : ଇଣ୍ଡୋର ଷ୍ଟାଡିୟମ ନିକଟରୁ ମହିଳାଙ୍କ ବେକରୁ ବାଇକରେ ଆସି ଝାମ୍ପିନେଲେ ସୁନା ଚେନ୍ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଖାରବେଳନଗର ଥାନା ଅଧିନ ସତ୍ୟନଗର ଦୁର୍ଗା ମଣ୍ଡପ ଅଞ୍ଚଳର ଫିରୋଜ୍ ମଲ୍ଲୀକ୍ ।
ସୂଚନା ଯୋଗ୍ୟଯେ, ଗତ ୨ ତାରିଖ ଦିନ ଅଭିଯୋଗକାରିଣୀ ନିଜ ଝିଅ ସହ ଇଣ୍ଡୋର ଷ୍ଟାଡିୟମ ଅଭିମୁଖେ ଫେରୁଥିବା ବେଳେ, ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ନିକଟରେ ଅଭିଯୁକ୍ତ ଏବଂ ତାର ସହଯୋଗୀ ପଛପଟୁ ଏକ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଏତିକି ବେଳେ ଅଭିଯୋଗକାରିଣୀ ତାଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସଫଳ ହୋଇପାରିନଥିଲେ । ପରେ ସେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଅନ୍ୟ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଚଳାଇଛି ପୁଲିସ ।