ଅଟୋ ଡ୍ରାଇଭରଙ୍କୁ ଛୁରୀରେ ଆକ୍ରମଣ; ଅଭିଯୁକ୍ତ ଗିରଫ

ଅଟୋ ଡ୍ରାଇଭରଙ୍କୁ ଛୁରୀରେ ଆକ୍ରମଣ; ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୯ା୧୧ : ଭଡା ଯିବାକୁ ମନା କରିବାରୁ ଅଟୋ ଚାଳକଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ଅଜିତ୍ ସ୍ୱାଇଁ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଅଜିତ୍ କୁମାର ସେନ ବାଣୀବିହାର ଅଞ୍ଚଳରେ ଥିବା ବିଶେଶ୍ୱର ବସ୍ତିରେ ରୁହନ୍ତି ଏବଂ ପେଷାରେ ଏକ ଅଟୋ ଚାଳକ । ଗତ ୮ ତାରିଖ ରାତିରେ ଅଭିଯୋଗକାରୀ ଜଣକ କୋଏଲ କ୍ୟାମ୍ପସ ସ୍ଥିତ ବସଷ୍ଟାଣ୍ଡ ନିକଟରେ ପାସେଞ୍ଜରଙ୍କୁ ଅପେକ୍ଷା କରିଥିବା ବେଳେ, ଅଭିଯୁକ୍ତ ସେଠାକୁ ଆସି ଅଟୋରେ ଯିବା ପାଇଁ କହିଥିଲେ । କିନ୍ତୁ ଅଭିଯୋଗକାରୀ ଅଟୋଟି ପୂର୍ବରୁ ଏକ ପାସେଞ୍ଜର ଦ୍ୱାରା ବୁକ୍ ହୋଇଛି ବୋଲି ଦର୍ଶାଇ ତାଙ୍କୁ ନେବା ପାଇଁ ମନା କରିଥିଲେ । ଏଥିରେ ଅଭିଯୁକ୍ତ ଉତକ୍ଷିପ୍ତ ହୋଇ ଏକ ଛୁରୀ ଦେଖାଇ ତାଙ୍କୁ ଡରେଇବା ସହିତ ଅଟୋରେ ଯିବା ପାଇଁ ବାଧ୍ୟ କରିଥିଲେ । ହେଲେ ଅଟୋ ଚାଳକ ଏହାର ବିରୋଧ କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏନେଇ ଅଭିଯୋଗକାରୀ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।