ଅଗ୍ନିକନ୍ୟା ସରଳା ଦେବୀ

ହିମାଂଶୁ ଶେଖର ଆଚାର୍ଯ୍ୟ :
ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ  ଅନେକ ଲୁହ ଓ ଲହୁର କଥା କହେ ।  ୧୮୫୭ ମସିହା ସିପାହୀ ବିଦ୍ରୋହ ଠାରୁ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନ ପର୍ଯ୍ୟନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ବହୁ ବିପ୍ଳବୀ ଅଭୂତପୂର୍ବ ଆତ୍ମୋତ୍ସର୍ଗ ଓ ଦେଶପ୍ରେମର ବିରଳ ଦୃଷ୍ଟାନ୍ତ ରଖି ଯାଇଛନ୍ତି । ସେମାନଙ୍କ ସେହି ତ୍ୟାଗ ଚିରଦିନ ସ୍ମରଣୀୟ ହୋଇ ରହିବ । ଏହି ସ୍ୱାଧୀନତା ଆନେ୍ଦାଳନରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ଜାତୀୟ ଆନେ୍ଦାଳନରେ ଜଗତସିଂହପୁର ଭୂମିକା ବି କୌଣସି ଗୁଣରେ କମ୍ ନ ଥିଲା । ଏହି ମାଟିର ସୁଯୋଗ୍ୟ ସନ୍ତାନ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭାଗିରଥୀ ମହାପାତ୍ର, ନିତ୍ୟାନନ୍ଦ କାନୁନ୍ଗୋ,ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀ, ନାରାୟଣ ବୀରବର ସାମନ୍ତ,  ଗୌରାଙ୍ଗ ଚରଣ ଦାସ, ହରେକୃଷ୍ଣ ବିଶ୍ୱାଳ, ଜାତୀୟ କବି ବୀରକିଶୋର ଦାସ ଓ ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ବିଶେଷକରି ଜଗତସିଂହପୁର ଯେଉଁ ମହୀୟସୀ ମହିଳାମାନେ ସେସମୟର ସାମାଜିକ ଲକ୍ଷ୍ମଣରେଖାକୁ ଅତିକ୍ରମ କରି ସ୍ୱାଧୀନତା ଆନେ୍ଦାଳନର ଯଜ୍ଞବେଦୀରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରେ ଅଗ୍ନିକନ୍ୟା ସରଳା ଦେବୀ ଥିଲେ ଅଗ୍ରଗଣ୍ୟା । 
୧୯୦୪ ମସିହା ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ନରିଲୋ ଗ୍ରାମରେ ପିତା ବାସୁଦେବ କାନୁନ୍ଗୋ ଓ ମାତା ପଦ୍ମାବତୀଙ୍କ କୋଳମଣ୍ଡନ କରିଥିଲେ ସରଳା ଦେବୀ । ମାତ୍ର ତାଙ୍କ ପାଳକ ପିତା ଥିଲେ ବାସୁଦେବଙ୍କ ସାନ ଭାଇ ବାଳମୁକୁନ୍ଦ, ଯେକି ତତ୍କାଳୀନ ବ୍ରିଟିଶ୍ ଶାସନର ଥିଲେ ଜଣେ ଡେପୁଟି କଲେକ୍ଟର । ସରଳା ଦେବୀଙ୍କ ବିଦ୍ରୋହୀ ମନୋଭାବର ସୂଚନା ମିଳିଥିଲା ତାଙ୍କ କୈଶୋର ଜୀବନରୁ । ୧୯୧୮ ମସିହାରେ ମାତ୍ର ୧୪ ବର୍ଷ ବୟସରେ ଜଗତସିଂହପୁର ଚାଟ୍ରା ଗ୍ରାମର ବିଶିଷ୍ଟ ଜମିଦାର ଚୌଧୁରୀ ଦୁର୍ଗା ଚରଣ ମହାପାତ୍ରଙ୍କ ବଧୂ ହୋଇ ସାରିଲା ପରେ ବି ସେ ଘରର ଚାରିକାନ୍ଥ ଭିତରେ ଓଢଣା ପକାଇ ଚୁପ୍ଚାପ୍ ବସି ରହିବାକୁ ପସନ୍ଦ କରିନଥିଲେ । ୧୯୧୯ ମସିହାରେ ଜାଲିଆନାୱାଲାବାଗ୍ର ନରସଂହାର, ଗାନ୍ଧିଜୀଙ୍କ ଅହିଂସା ଆନେ୍ଦାଳନ ଓ ସତ୍ୟାଗ୍ରହ ସରଳାଙ୍କ ମନ ଭିତରେ ସୃଷ୍ଟିକଲା ଗଭୀର ଆଲୋଡନ । ସାମନ୍ତୀୟ ଅବଗୁଣ୍ଠନ ହଟାଇ, ଦାମ୍ପତ୍ୟ ପ୍ରେମର ସୁଖକୁ ଏଡାଇ ସରଳାଙ୍କ ପ୍ରାଣରେ ଅଙ୍କୁରିତ ହେଲା ଦେଶପ୍ରେମ ଭାବ । ଅବଶ୍ୟ ସ୍ୱାମୀ ଭାଗିରଥୀ ମହାପାତ୍ର ସରଳାଙ୍କ ଉଚ୍ଚାକାଂକ୍ଷାକୁ ସାକାର କରିବା ପାଇଁ ସୃଷ୍ଟି କରିଥଲେ ପର୍ଯ୍ୟାପ୍ତ ସୁଯୋଗ ଓ ବଢାଇଥିଲେ ସହଯୋଗର ହାତ । ୧୯୨୧ ମସିହାରେ ମହାତ୍ମାଗାନ୍ଧୀ ଅସହଯୋଗ ଆନେ୍ଦାଳନର ଡାକରା ଦେଲେ ଏବଂ ଏହି ଆନେ୍ଦାଳନକୁ ଓଡିଶାରେ ଆଗେଇ ନେବାକୁ ମହାତ୍ମାଗାନ୍ଧୀ ଓଡିଶା ଆସିଥାନ୍ତି । ମାହିଳାମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ କରିବା ଥିଲା ଏହି ଆଗମନର ମୂଳ ଲକ୍ଷ୍ୟ । ତାଙ୍କ ଉଦ୍ୟମ ଓ ପ୍ରେରଣାର ଫଳ ସ୍ୱରୂପ ୪୦ ଜଣ ମହିଳା ସେଦିନ ସଭାରେ ଯୋଗ ଦେଇଥିଲେ । ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ଥିଲା ସେଦିନ କାଠଯୋଡି ବାଲିରେ ଅନୁଷ୍ଠିତ ସେହି ସମାବେଶରେ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣକୁ ଓଡିଆରେ ଭାଷାନ୍ତର କରି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ  କରିଦେଇଥିଲେ ସରଳା ଦେବୀ ।
୧୯୩୦ ମସିହାର ଐତିହାସିକ ଲବଣ ସତ୍ୟାଗ୍ରହରେ ସରଳାଙ୍କର ଅବଦାନ ବି କିଛି କମ୍ ନଥିଲା । ସେତେବେଳେ ଓଡିଶାରେ ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡିଠାରେ ଲୁଣ ମରାହେବା ପାଇଁ ସ୍ଥିର ହୋଇଥାଏ । ପୋଲିସ୍ର ଦମନ ଲୀଳାକୁ ଖାତିର ନକରି ସତ୍ୟାଗ୍ରହୀମାନେ ଇଞ୍ଚୁଡି ଅଭିମୁଖେ ଯାତ୍ରା କରିଥିଲେ । ସରଳା ଦେବୀ କେବଳ ଏଥିରେ ସାମିଲ ହୋଇନଥିଲେ ବରଂ ତାଙ୍କ ଦୃଢ ନେତୃତ୍ୱ ଯୋଗୁଁ ଅନେକ ନାରୀ ଏଥିରେ ଯୋଗ ଦେଇଥିଲେ । ସେହିପରି ଗଞ୍ଜାମର ହୁମାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇ ସେ ଗିରଫ ହେଲେ ଓ ତାଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ଭେଲୋରରେ ବନ୍ଦୀ କରି ରଖାଯାଇଥିଲା । କ୍ରମଶଃ ସରଳା ଦେବୀଙ୍କ ପ୍ରତି ବଢିଲା ସମବେଦନା ଓ ସମର୍ଥନ । ସେହିପରି ଓଡିଶାରେ ନାରୀମୁକ୍ତି ଆନେ୍ଦାଳନର ଇତିହାସ ସରଳାଙ୍କ ବିନା ଲେଖିବା ଅସମ୍ଭବ । ସେ ଥିଲେ ତାର ପ୍ରମାଣ । ସେ କହୁିଥିଲେ ନାରୀ ଜାଗିଲେ ପରିବାର ଜାଗିବ ଓ ପରିବାର ଜାଗିଲେ ଦେଶ ଜାଗିବ । ସେଥିପାଇଁ କୁନ୍ତଳା କୁମାରୀ ସାବତ, ବସନ୍ତ କୁମାର ଦେବୀ, ସରୋଜିନୀ ଚୌଧୁରୀ, କୋକିଳା ଦେବୀ ଓ ଜାହ୍ନବୀ ଦେବୀ ସହ ମିଶି ସେ ଗଠନ କରିଥିଲେ “ନିଖିଳ ଉକ୍ରଳ ନାରୀ ପରିଷଦ” । ସଭାସମିତିରେ ତାଙ୍କର ଅଗ୍ନିବର୍ଷୀ ଓ ସାରଗର୍ଭକ ଭାଷଣ ସମସ୍ତଙ୍କ ମନରେ ଅପୂର୍ବ ଶିହରଣ ସୃଷ୍ଟି କରିଥିଲା ।
୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ବିପୁଳ ଜନ ସମର୍ଥନ ଲାଭକରି ସରଳା ଦେବୀ ମହିଳା ବିଧାୟିକା ରୂପେ ନିର୍ବାଚିତ ହେଲେ । ଜଣେ ବିଧାୟିକା ଭାବରେ ତାଙ୍କର କାର୍ଯ୍ୟକୁଶଳତା ତାଙ୍କୁ ଚିରଦିନ ଅବିସ୍ମରଣୀୟ କରି ରଖିବ । ବିଧାନସଭାରେ ପ୍ରାଥମିକ ଶିକ୍ଷା, ନାରୀଶିକ୍ଷା, କୃଷକ ଓ ଶ୍ରମିକ ଥଇଥାନ, ମହାଜନୀ କାରବାରର ବିରୋଧ, ଯୌତୁକ ପ୍ରଥା ଉଚ୍ଛେଦ ଆଦି ବିଷୟରେ ସେ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ । ଯୌତୁକ ବିରୋଧୀ ବିଲ୍ ଆଣି ସେ ଗୋଟିଏ ନୂଆ ପରମ୍ପରା ସୃଷ୍ଟି କରିଥିଲେ । ବିଧାୟିକା ଥିବା ସମୟରେ ସେ ଗୋଟିଏ ଦିନ ପାଇଁ ବାଚସ୍ପତି ଦାୟିତ୍ୱ ନେଇଥିଲେ । ସେଦିନ ସେ ବିଧାନସଭାର ପରମ୍ପରା ଭଙ୍ଗକରି ସେ ଘୋଷଣା କରିଥିଲେ - “ମୁଁ ଇଚ୍ଛା କରୁଛି ଯେ ଆଜି ଏ ସଭାରେ ସମସ୍ତ କାର୍ଯ୍ୟ ଓ ମାନ୍ୟବର ସଭ୍ୟମାନଙ୍କର ବକ୍ତବ୍ୟ ସବୁ ଓଡିଆ ଭାଷାରେ ହେଉ । ପୂର୍ବରୁ ଇଂରାଜୀ ଭାଷାରେ ଏ କାର୍ଯ୍ୟ ହେବାର ଯେଉଁ ପରମ୍ପରା ବଳବତ୍ତର ରହିଛି, ମୁଁ ତାକୁ ଆଜି ଭଙ୍ଗ କରୁଛି ।” 
ସମାଜ ସେବା, ଅହିଂସା ସଂଗ୍ରାମ, ସତ୍ୟାଗ୍ରହ ଓ ରାଜନୈତିକ ଜୀବନବୋଧ ଭିତରେ ସାହିତ୍ୟ ସାଧନା ଥିଲା ସରଳାଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ । ସରଳାଙ୍କ ଲାଗି ସାହିତ୍ୟ ଏକ ସୌଖୀନ ବିଳାସ ନୁହେଁ, ଥିଲା ସଂଗ୍ରାମର ଆଉ ଏକ ସୀମାନ୍ତ । ସାହିତ୍ୟର ବିଭିନ୍ନ ବିଭାଗ - ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ, ଜୀବନୀ, ନାଟକ, ପ୍ରବନ୍ଧ ଏବଂ ସମାଲୋଚନା ପ୍ରଭୃତିରେ ସେ ହାତଦେଇ ଅସାମାନ୍ୟ ସଫଳତା ଅର୍ଜନ କରିଥିଲେ । କିନ୍ତୁ ନିବନ୍ଧ ରଚନାରେ ସେ ଥିଲେ ସିଦ୍ଧହସ୍ତ । ବିଶ୍ୱ ବିପ୍ଳବୀ, ଉକ୍ରଳର ନାରୀ ସମସ୍ୟା, ନାରୀର ଦାବି ଓ ଭାରତୀୟ ମହିଳା ପ୍ରସଙ୍ଗ ନିବନ୍ଧଗୁଡିକ ତାଙ୍କ ପ୍ରଶସ୍ତ ଅଧ୍ୟୟନ ଓ ଶାଣିତ ବିଶ୍ଳେଷଣର ଗୋଟିଏ ଗୋଟିଏ ନମୁନା । ସେମିତି ନାରୀର ଦାବି ନିବନ୍ଧଟି ନାରୀ ସ୍ୱାଧୀନତାର ଆଦ୍ୟ ଇସ୍ତାହାର କହିଲେ ଭୁଲ ହେବନାହିଁ । ସାହିତ୍ୟ ସମାଲୋଚନା କ୍ଷେତ୍ରରେ ତାଙ୍କ ଦକ୍ଷତାକୁ ପ୍ରମାଣିତ କରେ ସମାଲୋଚନା ମୂଳକ ପ୍ରବନ୍ଧ “ସାରଳା ମହାଭାରତରେ ନାରୀ ଚିତ୍ର” ଓ “କୁନ୍ତଳା କୁମାରୀଙ୍କ ନାରୀ ପ୍ରତିଭା” ଗ୍ରନ୍ଥଦ୍ୱୟ । ଜଣେ ଲେଖିକା ଭାବରେ ନାଟକ ରଚନା କରି ସରଳା ଦେବୀ ନିଜପାଇଁ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ଏହାର ପ୍ରମାଣ ହେଉଛି ‘ସ୍ୱପ୍ନବାସବଦତ୍ତା’ ଅନୁବାଦ ସହିତ ଐତିହାସିକ ନାଟକ ‘ଭୀମା ଭୂୟାଁ’ ଓ ମାନସିକ ନାଟକ ‘ଯାଯାବର’ । ସେହିପରି ଗଳ୍ପ ଓ ଉପନ୍ୟାସ ରଚନାରେ ସରଳା ତାଙ୍କ କଥା ଶୈଳୀର ଚମକ୍ରାରିତା ପ୍ରଦର୍ଶନ କରିଛନ୍ତି । 
ସରଳା ଦେବୀ ଆଜି ଆମ ଗହଣରେ ନାହାଁନ୍ତି । ହେଲେ ଓଡିଶାର ରାଜନୀତି, ସମାଜ ସେବା, ସ୍ୱାଧୀନତା ସଂଗ୍ରାମ, ସାହିତ୍ୟ, ସଂସ୍କୃତି ଓ ସଂଗଠନ କ୍ଷେତ୍ରରେ ଯେଉଁ ସ୍ୱାକ୍ଷର ଛାଡିଯାଇଛନ୍ତି ତାହା ଚିରଦିନ ଆମକୁ ଅନୁପ୍ରାଣିତ କରୁଥିବ ଏଥିରେ ସନେ୍ଦହ ନାହିଁ ।
  ଜଗତସିଂହପୁର
  ମୋ - ୯୩୩୭୨୨୧୯୨୪