ମହାପ୍ରଭୁଙ୍କ ଶୀତବସ୍ତ୍ର
ପୁଷ୍ପମିତ୍ର ମହାପାତ୍ର : ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଲୋକ ଦେବତା । ତାଙ୍କ ଦୈନିକ ନୀତିକାନ୍ତି, ପୂଜା ପଦ୍ଧତି ଠାରୁ ମହାପ୍ରସାଦ, ବିଶ୍ରାମ, ପୋଷାକ ପରିପାଟ୍ଟୀ ସବୁ ଠିକ ମାନବୀୟ ବ୍ୟବସ୍ଥା ପରି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଏଯାବତ୍ ଜାଣି ଆସିଥିବା ପରମ୍ପରା ଓ ଲୋକ ବିଶ୍ୱାସ ଅନୁଯାୟୀ ମହାପ୍ରଭୁ ଶୀତୁଆ ମାର୍ଗଶୀର ମାସରେ ତାଙ୍କ ନୀତିକାନ୍ତି ବ୍ୟବସ୍ଥା ଅନୁଯାୟୀ ଶୀତବସ୍ତ୍ର ପରିଧାନ ବେଳେ ଶୀତ ସହ ସର୍ତ୍ତ ରଖିଥାନ୍ତି ଯେ ସଂସାରରେ ଯେପରି ସେ ଲୋକଙ୍କୁ ଅଧିକ କଷ୍ଟ ଦେବ ନାହିଁ । ବାସ୍ତବିକ ମହାପ୍ରଭୁଙ୍କ ଆମ ମାନଙ୍କ ପ୍ରତି କେତେ ଯେ ଭଲପାଇବା ଓ କରୁଣା ତଥା କୃପା ବାସ ଏତିକିରୁ ଯଥେଷ୍ଟ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଯେଉଁ ବସ୍ତ୍ର ପରିଧାନ ବ୍ୟବସ୍ଥା ରହିଛି ତା'ଭିତରେ ରହିଛି ଯେତିକି ପବିତ୍ରତା ସେତିକି ବିଚିତ୍ରତା କିନ୍ତୁ ଏହି ବସ୍ତ୍ରର ସମ୍ଭାର ଗୁଡ଼ିକ ଅତ୍ୟନ୍ତ ବୈଶିଷ୍ଟ୍ୟପୂର୍ଣ୍ଣ । ମହାପ୍ରଭୁଙ୍କର ପ୍ରଥମ ବେଶ ହୋଇଥାଏ ମଙ୍ଗଳ ଆଳତୀ ପରେ । ଶ୍ରୀଜୀଉଙ୍କ ରାତିର ବଡ଼ ସିଂହାର ବେଶ ଉଲାଗି ହୋଇଥାଏ ଏବଂ ଠିକ ଆମ ମାନଙ୍କ ସକାଳର ଦୈନିକ ମୁହଁଧୁଆ, ଦାନ୍ତଘଷା ଆଦି କର୍ମ ପରେ ତାଙ୍କର ପ୍ରଥମ ବେଶଟି ହେଉଛି ତଡ଼ପ ଉତ୍ତରୀ ବେଶ । ସ୍ୱତ୍ତ୍ୱଲିପିରେ ତଡ଼ପର ଅର୍ଥ ଶ୍ରୀମନ୍ଦିରର ଭାଷା ବ୍ୟବସ୍ଥାରେ ଗାମୁଛାକୁ ବୁଝାଏ ଆଉ ଆମେ ବ୍ୟବହାର କରୁଥିବା ଚାଦର ପରି ଅଙ୍ଗବସ୍ତ୍ର ହେଉଛି ମହାପ୍ରଭୁଙ୍କ ଉତ୍ତରୀ । ବାସ୍ତବିକ ଟିକିଏ ନିରିଖେଇ ଦେଖିଲେ ଜଣାପଡେ଼ ଯେ ଆମ୍ଭ ମାନଙ୍କ ଜୀବନ ଚଳଣିରେ ଯେପରି ବେଶ ବ୍ୟବସ୍ଥା ସବୁ ରହିଛି ମହାପ୍ରଭୁଙ୍କର ମଧ୍ୟ ଠିକ ସେହିପରି । ଦିନର ବିଭିନ୍ନ ସମୟରେ ପାଟ୍ଟବସ୍ତ୍ର ସହିତ ବିଭିନ୍ନ ପୁଷ୍ପ ଅଳଙ୍କାରରେ ଭୂଷିତ ହୋଇ ଅଗଣିତ ଭକ୍ତଜନଙ୍କୁ ଦର୍ଶନ ଦେଇଥାନ୍ତି । ମହାପ୍ରଭୁଙ୍କ ପାଟ୍ଟବସ୍ତ୍ର ହେଉଛି ପବିତ୍ର ଗୀତଗୋବିନ୍ଦ ଖଣ୍ଡୁଆ ।
ମହାପ୍ରଭୁ ମଧ୍ୟ ଠିକ ଆମ ମାନଙ୍କ ପରି ଶୀତ ପ୍ରକୋପରୁ ଉପଶମ ପାଇବା ପାଇଁ ଶୀତବସ୍ତ୍ର ପିନ୍ଧିଥାନ୍ତି । ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଓଢ଼ଣ ଷଷ୍ଠୀ ଠାରୁ ଓଢ଼ଣ ଷଷ୍ଠୀ ଯାହାକୁ କେହି କେହି ପ୍ରାବରଣ ଷଷ୍ଠୀ ମଧ୍ୟ କହିଥାନ୍ତି, ଏହି ଦିନରୁ ମହାପ୍ରଭୁଙ୍କ ଶୀତବସ୍ତ୍ର ପରିଧାନ ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିର ଭାଷାରେ ଏହା ହେଉଛି "ଘୋଡ଼ଲାଗି ଉତ୍ସବ' । ତେବେ ମହାପ୍ରଭୁଙ୍କ ବସ୍ତ୍ର ସମର୍ପଣ ପୂର୍ବରୁ ଅର୍ଥାତ୍ ପଞ୍ଚମୀ ରାତିରେ ବ୍ରାହ୍ମଣଙ୍କ ଦ୍ୱାରା ଏହି ବସ୍ତ୍ର ସମୂହର ଅଧିବାସ ହୋଇଥାଏ । ମାଦଳା ପାଞ୍ଜି ଓ ସ୍ୱତ୍ତ୍ୱଲିପିର ତଥ୍ୟ ଅନୁଯାୟୀ "ଦ୍ୟୁତାନସ୍ତୁ' ମନ୍ତ୍ରରେ ଶ୍ରୀବିଗ୍ରହଙ୍କୁ ଆଚ୍ଛାଦାନ କରିବାର ପରମ୍ପରା ରହିଛି । ଓଢ଼ଣ ଷଷ୍ଠୀ ଠାରୁ ମହାପ୍ରଭୁ ଗଡ଼ା ବା ସୂତାବସ୍ତ୍ର, ଖଣ୍ଡୁଆ ପାଟ, ମଖମଲ୍ଲୀ ଘୋଡ଼ ବସ୍ତ୍ର, ଶିରଆବରଣ, ମଫଲର ଓ ଟୋପର ଆଦି ପରିଧାନ କରିଥାନ୍ତି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଏହି ଘୋଡ଼ଲାଗି ନୀତି ଅନ୍ୟତମ । ପରମ୍ପରା ମୁତାବକ ପଞ୍ଚମୀ ତିଥିରେ ଶ୍ରୀଜୀଉଙ୍କ ବିଶେଷ ନୀତି ଭାବରେ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ ମଦନମୋହନ, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗ ମଣ୍ଡପ ଘରେ ଅଧିବାସ କରାଯାଇଛି । ଏହା ପୂର୍ବରୁ ଭୋଗ ମଣ୍ଡପ ଘର ଧୋ ପଖାଳ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ । ବଡ଼ ସିଂହାର ଭୋଗ ସରି ଶ୍ରୀଜୀଉଙ୍କ ମଇଲମ ବଢ଼ିବା ପରେ ମହାସ୍ନାନ ବଢ଼ିଥାଏ ।
ମାର୍ଗଶୀର ମାସର ଏହି ଓଢ଼ଣ ଷଷ୍ଠୀ ପରଠାରୁ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏକ କୌତୁହଳପ୍ରଦ ବସ୍ତ୍ର ପରିଧାନ ବ୍ୟବସ୍ଥା ରହିଛି ଯାହା ସମ୍ପର୍କରେ ଅନେକ ଜାଣିନଥିବେ । ଆମେ ଯେପରି ନିତିଦିନିଆ ପୋଷାକ ପରିଧାନ ବ୍ୟବସ୍ଥାରେ ଶୀତ କମ ଅନୁଭବ କଲା ପରଠାରୁ ହାଲକା ବସ୍ତ୍ର ପିନ୍ଧିଥାଉ ଠିକ ସେହିପରି ମହାପ୍ରଭୁଙ୍କର ମଧ୍ୟ ସ୍ୱତନ୍ତ୍ର ଏକ ବସ୍ତ୍ର ରହିଛି ଯେଉଁଥିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ଅବସ୍ଥାରେ ଆବୃତ୍ତ ହୋଇନଥାଏ । ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ପରମ୍ପରା ମୁତାବକ ଶ୍ରୀଜୀଉଙ୍କ ଏହି ବସ୍ତ୍ର ପରିଧାନ ପରମ୍ପରା ଆବହମାନ ସମୟରୁ ରହିଆସିଛି । ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଏହି ଜାମା ପରିଧାନ ବ୍ୟବସ୍ଥାକୁ ଠିଆ ଘୋଡ଼ ଭାବେ ବର୍ଣ୍ଣନା କରାଯାଇଛି । ସବୁଠାରୁ ମଜାଦାର କଥା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅଗ୍ରଜ ପ୍ରଭୁ ବଳଭଦ୍ର ଫ୍ରକ୍ ଦିଶୁଥିବା ପରି ଜାମା ପରିଧାନ କରିଥାନ୍ତି ଓ ଦେବୀ ସୁଭଦ୍ରା ଘେର ହୋଇଥିବା କୁଞ୍ଚବସ୍ତ୍ର ପରିଧାନ କରିଥାନ୍ତି । ମହାପ୍ରଭୁଙ୍କ ସମସ୍ତ ଚଳଣି, ରୀତିନୀତି, ପୂଜା ପଦ୍ଧତି ସମ୍ପୂର୍ଣ୍ଣ ପରମ୍ପରା ଅନୁଯାୟୀ ହୋଇଥାଏ । ମହାପ୍ରଭୁଙ୍କ ଏହି ଅନନ୍ୟ ଜାମା ଓ ଶୀତବସ୍ତ୍ର ପରିଧାନ ପୂର୍ବକ ସୌନ୍ଦର୍ଯ୍ୟମୟ କାନ୍ତୀ ବାସ୍ତବିକ ଅଗଣିତ ଭକ୍ତଜନଙ୍କୁ ଦର୍ଶନ ସମୟରେ ଅହେତୁକ ଆନନ୍ଦ ଓ କୃପା ପ୍ରଦାନ କରିଥାଏ ।
ମୋ : ୯୪୩୭୨୨୫୬୮୯
Samir Kumar Rout