ମହିଳାଙ୍କୁ ଝାମ୍ପି ନେଲା କୁମ୍ଭୀର
ବରୀ/ବିଞ୍ଝାରପୁର : ସୋମବାର ଅପରାହ୍ନରେ ବାସନ ଓ ଲୁଗାପଟା ଧରି ଖରସ୍ରୋତା ନଦୀକୁ ଯାଇଥିବା ଜନୈକା ମହିଳାଙ୍କୁ କୁମ୍ଭୀର ଝାମ୍ପି ନେବା ଘଟଣା ନଦୀକୂଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ପୁଲିସ, ଦମକଳ ବାହିନୀ ଏବଂ ବନ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ମିଳିପାରିନି । ଖବର ମତେ ଆଜି ବରୀ ବ୍ଲକ ଅଧିନ ବୋଦୁଅ ପଞ୍ଚାୟତ କାନ୍ତିଆ ମହଲା ସାହିର ଶୁକଦେବ ମହଲାଙ୍କ ସ୍ତ୍ରୀ ସୌଦାମିନୀ (୫୩) ନଦୀକୁ ବାସନ ଓ ଲୁଗା ପଟା ନଦୀ ଛନ୍ଦାରେ ଧୋଉଥିବା ସମୟରେ ଖରସ୍ରୋତରେ ଛକି ରହିଥିବା କୁମ୍ଭୀର ତାଙ୍କୁ ନଦୀ ଗର୍ଭକୁ କାମୁଡି ଟାଣି ନେଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇବା ପରେ ଗ୍ରାମବାସୀ ନଦୀକୂଳରେ ପହଁଚି ସୌଦାମିନୀଙ୍କୁ କୁମ୍ଭୀର ଗିଳିଧରି ପାଣି ଭିତରକୁ ନେଇଯାଉଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବିଂଝାରପୁର ପୁଲିସ ଓ ଦମକଳ ବାହିନୀ ପହଁଚି ଖୋଜାଖୋଜି କରିଥିଲେ ହେଁ କିଛି ଟେର୍ ପାଇନଥିଲେ । ସନ୍ଧ୍ୟାରେ କଟକ ବନବିଭାଗର ସହକାରୀ ବନ ସଂରକ୍ଷକ ସନ୍ତୋଷ କୁମାର ପତି ଘଟଣାସ୍ଥଳରେ ପହଁଚି ସୌଦାମିନୀଙ୍କ ପରିବାର ନିକଟରେ ପହଁଚି ସମବେଦନା ଜଣାଇବା ସହିତ ଅନୁକମ୍ପା କାଗଜପତ୍ର ନେଇଥିଲେ । ଖରସ୍ରୋତାରେ ଏବେ ବନ୍ୟା ପାଣି ଥିବା ହେତୁ ଅନେକ କୁମ୍ଭୀର ଦେଖା ଦେଇଛନ୍ତି । ବାରମ୍ବାର ଖରସ୍ରୋତାରେ ଏଭଳି କୁମ୍ଭୀର ଆତଙ୍କ ଦେଖାଦେଉଥିବା ବେଳେ ବନବିଭାଗ ପକ୍ଷରୁ କେବଳ ନଦୀରେ କୁମ୍ଭୀର ଅଛି କେହି ଯାଆନ୍ତୁ ନାହିଁର ଏକ ପୋଷ୍ଟର ଲଗାଇ ଚୁପ ବସିଯାଇଛି । ନଦୀ କୂଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।