ମାନବବାଦର ଜୟଯାତ୍ରା
ଆଜି ବିଶ୍ୱରେ ମାନବିକ ଅଧିକାର ହେଉଛି ଏକ ବହୁ ଚର୍ଚ୍ଚିତ ପ୍ରସଙ୍ଗ । ଜାତିସଂଘ ସମତେ ପୃଥିବୀର ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଏ ଦିଗରେ ସଚେତନତା ପ୍ରକାଶ କରି ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ଯାହା ମାନବବାଦର ଜୟଯାତ୍ରା କ୍ଷେତ୍ରରେ ଏକ ଶୁଭ ସୂଚନା ବୋଲି ମନେହୁଏ । ଫରାସୀ ଦାର୍ଶନିକ ଜିନ୍ ଜାକୁସ ରୁଷୋ ୧୭୬୨ ରେ କହିଥିଲେ ସ୍ୱାଧୀନ ଭାବରେ ମନୁଷ୍ୟ ଜନ୍ମ ହୋଇଥିଲେ ମଧ୍ୟ ସର୍ବତ୍ର ସେ ବନ୍ଧନଯୁକ୍ତ ଅଟେ । ତାକୁ କେତେଗୁଡିଏ ରାଷ୍ଟ୍ରୀୟ ଶୃଙ୍ଖଳାର ଅଧୀନ ହେବାକୁ ପଡିଥାଏ । ତେଣୁ ସ୍ୱାଧୀନତା ଓ ମାନବିକ ଅଧିକାର ଏକାକଥା ନୁହେଁ, ପ୍ରକୃତ ପକ୍ଷେ ରାଷ୍ଟ୍ର ଅନ୍ତର୍ଗତ ଜଣେ ସର୍ବନିମ୍ନ ନାଗରିକର ବ୍ୟକ୍ତିଗତ ସ୍ୱୀକୃତି ଓ ତା’ର ମର୍ଯ୍ୟାଦା ସୁରକ୍ଷା ହେଉଛି ପ୍ରକୃତ ମାନବିକ ଅଧିକାର । ଅତୀତର ରାଜତନ୍ତ୍ରର ସ୍ୱାର୍ଥସର୍ବଶ୍ୱ ନୀତିକୁ ଉଚ୍ଛେଦ କରି ଗଣତନ୍ତ୍ରର ବିକାଶ ଫଳରେ ରାଜନୀତିକ ଜଗତରୁ ଏହି ଏକଛତ୍ରବାଦୀ ଦର୍ଶନ ଲୋପ ପାଇଛି । ଭାଷା, ଜାତି, ଲିଙ୍ଗ ନିର୍ବି÷÷ଶେଷରେ ଆମେ ମୈାଳିକ ଅଧିକାର ପାଇବାକୁ ହକଦାର । ପ୍ରତ୍ୟେକ ମାନବ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅଧିକାର ପାଇବା ପାଇଁ ଚେଷ୍ଟିତ ହେବା ଦରକାର ।
ଆଜିର ଆଧୁନିକ ଯୁଗରେ ଗଣତନ୍ତ୍ରର ପ୍ରସାର ଓ ଶିକ୍ଷା, ସଂସ୍କୃତିର ବିକାଶ ଫଳରେ ପ୍ରତ୍ୟେକ ବ୍ୟକ୍ତିଠାରେ ଏକ ଆତ୍ମ ସଚେତନ ଭାବ ଜାଗ୍ରତ ହୋଇଛି । ଏହି ଆତ୍ମସଚେତନ ଭାବଟି ହେଉଛି ଅଧିକାର ସଚେତନତା ଏବଂ ଆତ୍ମମର୍ଯ୍ୟାଦା ସଚେତନା । ଜଣେ ଦରିଦ୍ର ଭୂମିହୀନ ଶ୍ରମିକ ମଧ୍ୟ ଆଜି ନିଜର ଆତ୍ମମର୍ଯ୍ୟାଦା ତଥା ମୈାଳିକ ଅଧିକାର ବିଷୟରେ ସଚେତନ ଅଟେ । ଏହା ସତ୍ତ୍ୱେ ମାନବ ସମାଜ ଉପରେ ବିଭିନ୍ନ ପ୍ରକାର ଅନ୍ୟାୟ ଅତ୍ୟାଚାର ହେବାରେ ଲାଗିଛି । ଆଇନ କାନୁନର ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ତ୍ୱେ ମାନବିକ ଅଧିକାର ଯେ ମାନବିକ ଅଧିକାର ଯେ ସୁରକ୍ଷିତ ହୋଇପାରିଛି, ସେ କଥା କହିହେବ ନାହିଁ । ଶୋଷଣ, କଷଣ, ବେକାରୀ, ଅଶିକ୍ଷା, ନାରୀ ନିର୍ଯାତନା, ଉଚ୍ଚ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ଦ୍ୱାରା ସରକାରୀ ତଥା ଦେବ ସମ୍ପତ୍ତି ହଡପ ତଥା ଜବର ଦଖଲ ତାର କାୟା ବିସ୍ତାର କରି ଚାଲିଛି । ରାଜତନ୍ତ୍ରର ବିଲୋପ ଘଟିଥିଲେ ମଧ୍ୟ ଗଣତାନ୍ତିକ ଏକଛତ୍ରବାଦ ଭାରତକୁ ଏବେ ଗ୍ରାସ କରିଛି । ସାଧାରଣ ନିରୀହ ଲୋକ ସତ କହିବାକୁ ସାହସ କରି ପାରୁନାହାଁନ୍ତି ; ସମ୍ଭ୍ରାନ୍ତ ଓ ପଦସ୍ଥ ବ୍ୟକ୍ତି ତଥା ନିଜକୁ ବୁଦ୍ଧିଜୀବୀ ବୋଲାଉଥିବା ଲୋକମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଏବେ ମଧ୍ୟ ନିର୍ଯାତନା ଭୋଗିବାକୁ ପଡ଼ୁଛି । ଦେଶରେ କଳାଧନ, କଳା କାରବାର ଦିନକୁ ଦିନ ବୃ୍ଦ୍ଧିପାଉଛି । ରାଜନୈତିକ ବ୍ୟକ୍ତିମାନେ ନିଜ ଦେଶର ସମ୍ପତ୍ତିକୁ ବିଭିନ୍ନ କମ୍ପାନୀର ମାଲିକମାନଙ୍କୁ ଟେକି ଦେଇ ସମଗ୍ର ମାନବ ଜାତିକୁ ଗୋତିଶ୍ରମିକ କରିବାରେ ଲାଗିଛନ୍ତି । ସମାଜବାଦ ଆମ ସମ୍ବିଧାନର ଆଦର୍ଶ ହୋଇଥିଲେ ମଧ୍ୟ ସ୍ୱାଧୀନତା ପରେ ପୁଂଜିପତି ମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜନେତାମାନଙ୍କ ଦୁର୍ନୀତି ଦିନକୁ ଦିନ, ଆମ ସମାଜକୁ ଏଭଳି ଗ୍ରାସ କରିଛି ଯେ ମାନବ ତାର ମାନବିକ ଅଧିକାରକୁ ଭୁଲିଯାଇଛି । ହଜାର ହଜାର ନିରୀହ ଲୋକଙ୍କୁ ସନ୍ତ୍ରାସବାଦୀମାନେ ହତ୍ୟାକଲାବେଳେ ମାନବିକ ଅଧିକାର ପ୍ରସଙ୍ଗଟି ଉଠୁନାହିଁ ; ଅଥଚ ସନ୍ତ୍ରାସବାଦୀମାନଙ୍କ ପ୍ରତି ବା ତାଙ୍କ ପରିବାରବର୍ଗଙ୍କ ପ୍ରତି ପୋଲିସ କର୍ମଚାରୀ କଠୋର ଆଚରଣ କଲେ ମାନବିକ ଅଧିକାର ଉଲ୍ଲଂଘନ ହେଲା ବୋଲି ନ୍ୟସ୍ତ ସ୍ୱାର୍ଥ ରାଜନୀତିକ ଲୋକମାନେ ଚିକ୍ରାର କରୁଛନ୍ତି । ତେଣୁ ଲୋକମାନେ ସର୍ବନିମ୍ନ ମୈାଳିକ ସୁବିଧା ସୁଯୋଗ ହାସଲ କରିବା ସହ ଶୋଷଣରୁ ମୁକ୍ତ ହୋଇପାରିଲେ ସମାଜରେ ଶାନ୍ତି ବିରାଜମାନ ହେବ । ଅନୁକୂଳ ସାମାଜିକ ପରିବେଶ ନ ପାଇଲେ ମାନବର ଉନ୍ମେଷମୁଖୀ ପ୍ରତିଭାର ବିକାଶ ସମ୍ଭବପର ନୁହେଁ । ମାନବ ନିଜକୁ ସୁରକ୍ଷିତ ମଣିଲେ ସବୁ କାମକୁ ସୁଚାରୁ ଭାବରେ କରି ପାରିବ । ତେଣୁ ଏକ ସୁନ୍ଦର ବିଶ୍ୱ ଗଠନ ନିମନ୍ତେ ମାନବିକ ଅଧିକାରର ସୁରକ୍ଷା ଉପରେ ପ୍ରାଥମିକତା ଦେବାକୁ ହିଁ ପଡିବ ।
ଉମାଶଙ୍କର ପ୍ରସାଦ, ଖୋର୍ଦ୍ଧା