ମାର୍କେଟରେ ଅଗ୍ନିକାଣ୍ଡ, ୫ ଦୋକାନ ପାଉଁଶ ସ୍ଥାୟୀ ପିଣ୍ଡି ନିର୍ମାଣ ଦାବି କଲା ପାରାଦୀପ ପୋର୍ଟ ବଣିକ ସଂଘ
ପାରାଦୀପ : ପାରାଦୀପର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ବଡପଡିଆରେ ଥିବା ଅସ୍ଥାୟୀ ପରିବା ମାର୍କେଟ୍ରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ଟି ଦୋକାନ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ପାରାଦୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଅଗ୍ନିକାଣ୍ଡ ଯୋଗୁଁ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା କୁହାଯାଉଛି । ପାରାଦୀପ ବନ୍ଦର ତରଫରୁ ପରିବା ଦୋକାନ ପାଇଁ ବ୍ୟବସାୟୀ ମାନଙ୍କୁ ଅସ୍ଥାୟୀ ପିଣ୍ଡି ଯୋଗାଇ ଦିଆଯାଇଥିବା ବେଳେ ଉକ୍ତ ବ୍ୟବସାୟୀ ମାନେ ପଲିଥିନ ଓ ପାଲ ବାନ୍ଧି ପରିବା ବ୍ୟବସାୟ କରି ଆସୁଛନ୍ତି । ଅଗ୍ନିକାଣ୍ଡରେ ପରିବା ବ୍ୟବସାୟୀ ବାବୁନି ସାହୁ, ଚାବୁନି ସାହୁ, ଜୟଦେବ ମହାପାତ୍ର, ମଣ୍ଟୁ ନାୟକ, ସୁରେନ୍ଦ୍ର ସାହୁଙ୍କ ଦୋକାନ ସମ୍ପୂର୍ଣ ପୋଡି ଯାଇଛି, ଦୋକାନରେ ଥିବା ପନିପରିବା, କ୍ୟାସ ବକ୍ସ, ଇଲେକଟ୍ରୋନିକ୍ସ କମ୍ପୁ୍ୟଟର କଣ୍ଟା, ପରିବା, ଫ୍ୟାନ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଖବର ପାଇ ପାରାଦୀପ ପୋର୍ଟ ବଣିକ ସଂଘର ଉପଦେଷ୍ଟା ପ୍ରକାଶ ତ୍ରିପାଠି, ସଭାପତି କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, ସଂପାଦକ ଅମିୟ ପାଣି, କାର୍ଯ୍ୟକାରୀ ସଭାପତି ଗୋଲେଖ ସାହୁ, ଉପ ସଭାପତି ପ୍ରୀତି ରଞ୍ଜନ ମହାପାତ୍ର ପ୍ରମୁଖ ସ୍ଥିତି ସମୀକ୍ଷା କରି ଉକ୍ତ ମାର୍କେଟ ରେ ସ୍ଥାୟୀ ପିଣ୍ଡି ନିର୍ମାଣ ପାଇଁ ବନ୍ଦର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ବ୍ୟବସାୟୀ ମାନଙ୍କୁ ସମ୍ ବେଦନା ଜଣାଇବା ସହିତ ସରକାରଙ୍କ ନିୟମାନୁଯାୟୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।