ମାର୍ଚ୍ଚ ୫ ନୁହେଁ, ଅପ୍ରେଲ ୨୪
ଭୁବନେଶ୍ୱର : ୨୦୨୦ରୁ ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି । ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ ।
ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଅପ୍ରେଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଲୋକସେବା ଦିବସ ମଧ୍ୟ ଅପ୍ରେଲ ୨୪ ତାରିଖରେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ମାର୍ଚ୍ଚ ୫ ତାରିଖ ହେଉଛି ଓଡିଶାର ମହାନ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହାକୁ ରାଜ୍ୟ ସରକାର ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଦିବସକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ଶଙ୍ଖ ଭବନରେ ବିଜେଡିର ସମନ୍ୱୟ କମିଟ ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସଞ୍ଜୟ କୁମାର ଦାସବର୍ମା ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ । ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବି ବିଜୁବାବୁ କରିଥିଲେ । ତାଙ୍କର ଏହି ଅବଦାନକୁ ସ୍ମରଣୀୟ କରିବା ପାଇଁ ବିଜୁ ବାବୁଙ୍କ ଜନ୍ମଦିନରେ ଅର୍ଥାତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇଆସୁଛି । କିନ୍ତୁ ବିଜେପି ସରକାର ଏନେଇ କିଛି ପଦକ୍ଷେପ ନନେବା ହୀନମନ୍ୟତା ବୋଲି ସେ କହିଛନ୍ତି । ବିଜେଡ଼ି ସରକାରଙ୍କୁ ଘେରିବା ପରେ ସରକାର ଏନେଇ ସ୍ପଷ୍ଟ ନିଦେ୍ର୍ଦଶାନାମା ଜାରି କରିଛନ୍ତି ।