ସୁନ୍ଦରପଦା-ଜଟଣୀ ରାସ୍ତା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ : ନଭେମ୍ବର ଶେଷ ସୁଦ୍ଧା କାମ ସାରିବାକୁ ନିଦେ୍ର୍ଦଶ

 ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିରନ୍ତର ଉଦ୍ୟମ ଫଳରେ ଓଡିଶା ଆଜି ଦ୍ରୁତ ପ୍ରଗତି ପଥରେ ଆଗକୁ ଅଗ୍ରସର ହେଉଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଉନ୍ନତ ଭିତ୍ତିଭୂମି ଓ ସୁଦୃଢ ଯୋଗାଯୋଗ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୁନ୍ଦରପଦା ଠାରୁ ଜଟଣୀ ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ । ସାଧାରଣ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଶୀଘ୍ର ଶେଷ ହୋଇପାରିବ ସେଥିନେଇ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଠିକାସଂସ୍ଥା ଏବଂ ଅଞ୍ଚଳବାସୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।  ମୋଟ ୧୩.୫  କିଲୋମିଟର ଦୀର୍ଘ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଚାରି ଲେନ କରିବା ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥି ସହିତ ନିର୍ମାଣାଧୀନ ରାସ୍ତା ପ୍ରଶସ୍ତିକରଣ ସମୟରେ ଆସୁଥିବା ସମସ୍ୟା ଯେପରିକି ଡ୍ରେନେଜ, ସ୍ୱରେଜ, ଇଲେକଟ୍ରିଫିକେସନ ୟୁଟିଲିଟି ଆଦିର କାର୍ଯ୍ୟ  ଶୀଘ୍ର ଶେଷ କରିବା ନେଇ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସହିତ ମନ୍ତ୍ରୀ ଆଲୋଚନା କରିଥିଲେ । ଏଥି ସହିତ ୨୦୨୫ ନଭେମ୍ବର ଶେଷ ସୁଦ୍ଧା ପୂରା ରାସ୍ତାର ନିର୍ମାଣ ଶେଷ କରିବା ପାଇଁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଦେ୍ର୍ଦଶ ଦେଇଥିଲେ । 
ଏହି ଗସ୍ତ ସମୟରେ ବିଧାୟକ  ବାବୁ ସିଂ, ପୂର୍ବତନ ମନ୍ତ୍ରୀ  ସୁରେଶ କୁମାର  ରାଉତରାୟ, ମୁଖ୍ୟ ଯନ୍ତ୍ରୀ ରାସ୍ତା ୨ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ (ଭୁବନେଶ୍ୱର) ମନୋଜ ମହାନନ୍ଦ, ଅଧ୍ୟକ୍ଷଣ ଯନ୍ତ୍ରୀ ସଚିନ ସାହୁଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ  ଓ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ ।