ମାରୱାଡ଼ି ଯୁବ ମଞ୍ଚର ପ୍ରାଥମିକତା ଗୋ-ସେବା

ଭୁବନେଶ୍ୱର  : ମାରୱାଡ଼ି ଯୁବ ମଞ୍ଚ ଭୁବନେଶ୍ୱର ଶାଖାର ବାର୍ଷିକ ସାଧାରଣ ବୈଠକ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଲା ଫିଏଷ୍ଟା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୫-୨୬ ବର୍ଷ ଲାଗି ଯୁବ ସମାଜସେବୀ ଗୀତାଞ୍ଜଳି କେଜରିୱାଲ ମଞ୍ଚର ୨୬ ତମ ସଭାନେତ୍ରୀ ବା ଅଧ୍ୟକ୍ଷାରୂପେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିଭଳି ଜଗମୋହନ ପେରିୱାଲ ନୂଆ ସମ୍ପାଦକରୂପେ ଶପଥ ନେଇଛନ୍ତି । ବୈଠକରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚର ଅଧ୍ୟକ୍ଷ ଅଜୟ ଶର୍ମା ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଦସ୍ୟା ତଥା ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀଙ୍କ ସମେତ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଞ୍ଚର ଉପାଧ୍ୟକ୍ଷ ଅରୁଣ ଅଗ୍ରୱାଲ ଯୋଗଦେଇଥିଲେ । ଏହି ସଭାରେ ୩୦୦ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ । ଆଉ ଗୀତାଞ୍ଜଳି ଏବଂ ପରାଗଙ୍କର ଶପଥପାଠ କରାଇଥିଲେ ପୂର୍ବତନ ଅଖିଳ ଭାରତୀୟ ମାରୁଆଡ଼ି ଯୁବ ମଞ୍ଚର ଉପସଭାପତି ଅକ୍ଷୟ ଖଣ୍ଡେଲୱାଲ୍ । ତେବେ ଜଣେ ମହିଳାଭାବେ ମାରୱାଡ଼ି ଯୁବ ମଞ୍ଚ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ହେବାରେ ଗୀତାଞ୍ଜଳି କେଜରିୱାଲ ହେଉଛନ୍ତି ତୃତୀୟ । ଅନ୍ୟପଟେ ଅଧ୍ୟକ୍ଷାଭାବେ ଶପଥ ନେଉ ନେଉ ଗୀତାଞ୍ଜଳି ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ତାହା ବଖାଣିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଗୋ-ସେବାକୁ ମାରୱାଡ଼ି ଯୁବ ମଞ୍ଚ ପ୍ରାଥମିକତା ଦେଇଆସୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଗୀତାଞ୍ଜଳି ।