ମିଳିତ ଜନ ଶୁଣାଣି ଶିବିର

 ଭଦ୍ରକ : ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଶୁଣାଣି ଶିବିର ବନ୍ତ ବ୍ଲକ୍ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୧୯ଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରୁ ୮୬ଟି ବ୍ୟକ୍ତିଗତ ଓ ୩୨ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ରେଡ଼କ୍ରସ୍ ସମ୍ବନ୍ଧୀୟ ୧ଟି ଅଭିଯୋଗ ଥିଲା । ଉକ୍ତ ଆବେଦନକାରୀଙ୍କୁ ଜିଲ୍ଲା ରେଡ଼କ୍ରସ୍ ପାଣ୍ଠିରୁ ୪୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ୩୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ଆନୁକୂଲ୍ୟରେ ୨ଟି ହ୍ୱିଲ ଚେୟାର ଓ ଗୋଟିଏ ତିନି ଚକିଆ ସାଇକେଲ ବିତରଣ କରାଯାଇଥିଲା । ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଅତିରିକ୍ତ ଏସ୍.ପି. ବାସୁଦେବ ସ୍ୱାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସମାଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ବନ୍ତ ବ୍ଲକ୍ର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଜନାଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଭଦ୍ରକ ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଜନଶୁଣାଣିରେ ବିଭିନ୍ନ ବିଭାଗୀୟ ଅଭିଯୋଗ ସମାଧାନ ନିମନ୍ତେ ଆବଶ୍ୟକ ତଥ୍ୟ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ ।