ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସରଗରମ ନୂଆପଡା ରାଜନୀତିି


ନୂଆପଡ଼ାରୁ ପରମେଶ୍ୱର ବାରିକ
 
ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଯୋଗଦାନ ଓ ମଙ୍ଗଳବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଗସ୍ତ ପରେ ନୂଆପଡ଼ା ରାଜନୀତି ସରଗରମ ହୋଇ ଉଠିଛି । ଆଗକୁ ଉପନିର୍ବାଚନ ରହିଥିବାବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସରେ କଣ ଭଙ୍ଗାଗଢ଼ା ହେବ, ରାଜନୀତିର ହାୱା କେଉଁ ଆଡ଼କୁ ବହିବ, ସେ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାଜେନ୍ଦ୍ରଙ୍କ ପନôୀ କଳ୍ପନା ଓ ପୁଅ ଜୟ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ବିଜେପି ସଭାପିତି ମନମୋହନ ସାମଲଙ୍କ ଗସ୍ତ ପରେ ନୂଆପଡ଼ା ରାଜନୀତିର ନୂଆ ସମୀକରଣ ଉପରେ ଚର୍ଚ୍ଚା ଜୋର ଧରିଛି । ରାଜେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଜଣେ ଭଲ ବନ୍ଧୁ ଥିଲେ ।  ୨୦୦୪ରୁ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଥିଲା । ତାଙ୍କ ସହ ୩ଥର ବିଧାୟକ ନିର୍ବାଚିତ ହୋଇ ବିଧାନସଭାରେ ଏକା ସାଙ୍ଗରେ ଲୋକଙ୍କ ପାଇଁ କାମ କରିଥିଲେ । ତେଣୁ ବନ୍ଧୁତା ନିଭାଇବା ସହ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟପକ୍ଷେ ବିଜେଡ଼ି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଯେମିତି ସମ୍ମାନ ଦେବା କଥା ତାହା ଦେଇନଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବା ପରେ ସମ୍ମୁଖରେ ଏକ ଚୌକିରେ ବସିଥିଲେ । ଏହି ସମୟରେ କେତେକ ନେତା ଟୁପୁରୁ ଫୁସୁରୁ କରିଥିଲେ । ସଭାସ୍ଥଳକୁ ସାଧାରଣ ଜନତାଙ୍କ ଆପତ୍ତି ଓ ଅଭିଯୋଗର ଦାବିପତ୍ର ଦେବାକୁ ଆସିଥିଲେ । ଏପରିକି ଲୋକେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ । ସେହି ସମୟରେ ଜୟ ଢୋଲକିଆ ଧନ୍ୟବାଦ ଦେଉଥିଲେ । ସେତିକି ବେଳେ ଜଣେ ବିଜେଡ଼ି ନେତା ମାଇକ ଧରି ଶ୍ରଦ୍ଧାଞ୍ଜଳି ସଭାରେ ଲୋକ କୌଣସି ଦାବିପତ୍ର ନ ଦେବାକୁ କହିଥିଲେ । ଯାହାକି ସାଧାରଣ ଜନତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅସନ୍ତୁଷ୍ଟ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିବାରେ କୌଣସି ସରକାରୀ କିମ୍ବା ଦଳୀୟ କାର୍ଯ୍ୟକ୍ରମ ନଥିଲା । କିନ୍ତୁ ସ୍ଥାନୀୟ ସର୍କିଟ ହାଉସକୁ ମୁଖ୍ୟମନ୍ତ୍ରୀ ଆସି ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଦଳୀୟ ସଂଗଠନ ଉପରେ ଆଲୋଚନା କରିଥିଲେ । ଜିଲ୍ଲାର ଅନ୍ୟ କେତେକ ଶୀର୍ଷ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିବା ଚର୍ଚ୍ଚା ହେଉଛି । ଆସନ୍ତା ଉପନିର୍ବାଚନ ଲାଗି ସଂଗଠନକୁ ସୁଦୃଢ କରିବାକୁ ସେଠାରେ ଗୁପ୍ତ ମନ୍ତ୍ରଣା କରିଥିବା ପ୍ରକାଶ । ଏବେ ଉପନିର୍ବାଚନ ପାଇଁ ବିଜେପିରେ ଟିକଟ କସରତ ଆରମ୍ଭ ହୋଇଛି  । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଟିକଟ ଆଶାୟୀଙ୍କ ଭିଡ଼ ଜମିଥିଲା । ଅନ୍ୟପକ୍ଷେ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନକୁ ନେଇ ବିଜେପି, ବିଜେଡ଼ି ଓ କଂଗ୍ରେସ ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଜେପି ଟିକଟ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଓ ଆଲୋଚନା ହେଉଛି । ରାଜେନ୍ଦ୍ରଙ୍କ ପୁଅ ଜୟଙ୍କୁ ବିଜେପିରେ ମିଶାଇବା ସହ ଟିକଟ ଦେବାକୁ ଦଳ ଉଦ୍ୟମ ଚଳାଉଥିବା ଲୋକେ ଚର୍ଚ୍ଚା କରୁଛନ୍ତି । ଏମିତି ହେଲେ ଆଗକୁ ରାଜନୈତିକ ପାଣିପାଗ ପରିବର୍ତ୍ତନ ହେବାର ବହୁ ଆଶଙ୍କା ରହିଥିବା ଆଲୋଚନା ହେଉଛି ।