ସିଏସ୍ସି ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ : ସିଏସ୍ସି ଯୋଜନା ଡିଜିଟାଲ୍ ଇଣ୍ଡିଆର ମୂଳଦୁଆ
ଭୁବନେଶ୍ୱର : ସିଏସସି ଯୋଜନା ଡିଜିଟାଲ୍ ଇଣ୍ଡିଆର ଏକ ମୂଳଦୁଆ ପାଲଟିଛି । ସରକାରୀ ସେବାକୁ ସୁବିଧାରେ ଏବଂ ନିରପେକ୍ଷ ଭାବେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ କମନ୍ ସର୍ଭିସ ସେଣ୍ଟର (ସିଏସସି) ଏକ ପ୍ରମୁଖ ମାଧ୍ୟମ ହୋଇଛି । ଶନିବାର ଭୁବନେଶ୍ୱରରେ ‘କମନ୍ ସର୍ଭିସ ସେଣ୍ଟର୍’ର ୧୬ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଆଜି ଗାଁରୁ ସହର ପର୍ଯ୍ୟନ୍ତ ସାଧାରଣ ସେବା କେନ୍ଦ୍ର ଗୁଡ଼ିକ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିଛି । ଲୋକମାନେ ଏହି ସେବା ଦ୍ୱାରା ବିଶେଷ ଉପକୃତ ହେଉଛନ୍ତି । ଏଭଳି ବ୍ୟବସ୍ଥାକୁ ୧୬ ବର୍ଷ ପୂରଣ ହେବା ଅବସରରେ ସିଏସସି ସେଣ୍ଟର ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସିଏସସି ମାଧ୍ୟମରେ ବିଗତ ୧୧ ବର୍ଷରେ ୪୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଏକ ବଡ଼ ଉପଲବ୍ଧି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ହିତାଧିକାରୀଙ୍କୁ ପହଞ୍ଚାଇବାରେ ସିଏସସି ସେଣ୍ଟରର ବଡ ଭୂମିକା ରହିଛି । ସୁଭଦ୍ରା ଯୋଜନା ସମେତ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଲାଭ, ବ୍ୟାଙ୍କିଙ୍ଗ ସେବା, ଆଧାର ସେବା, ଶିକ୍ଷା ସେବା, ଡିଜିଟାଲ ସାକ୍ଷରତା, ଟେଲିମେଡିସିନ୍, ବୀମା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଅତ୍ୟାବଶ୍ୟକ ସରକାରୀ ସେବା ପ୍ରଦାନ ଏବଂ ସମ୍ପ୍ରଦାୟକୁ ସଶକ୍ତ କରି ଡିଜିଟାଲ ଅନ୍ତର୍ଭୁକ୍ତିକୁ ପ୍ରୋସôାହିତ କରିବାରେ ସିଏସସି ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଓଡିଶାରେ ସମସ୍ତ ୩୦ଟି ଜିଲ୍ଲାରେ ୩୫,୦୦୦ରୁ ଅଧିକ ସକ୍ରିୟ ସିଏସସି କେନ୍ଦ୍ର ଡିଜିଟାଲ୍ ସଶକ୍ତିକରଣକୁ ଆଗେଇ ନେଉଛନ୍ତି । ଏଆଇ ଏବଂ ଟେକ୍ନୋଲୋଜିର ଉପଯୋଗ କରିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।