ରାସ୍ତାର ଉନ୍ନତିକରଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର
ବେତନଟୀ : ବେତନଟୀରୁ ମାଣତ୍ରୀ ପର୍ଯ୍ୟନ୍ତ ୧୨ କି.ମି ରାସ୍ତା ଏବଂ ବେତନଟୀରୁ ଦହିକୋଟି, ମେର୍ଦ୍ଦା ଓ ଅଁଳା ପର୍ଯ୍ୟନ୍ତ ୧୮ କି.ମି ରାସ୍ତାର ହେବ ଉନ୍ନତିକରଣ । ଏହି ରାସ୍ତାର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କଲେ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି । ବେତନଟୀରୁ ଦହିକୋଟି, ମେର୍ଦ୍ଦା ଦେଇ ଅଁଳା ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନରୁ ଖରାପ ହୋଇ ପଡିଥିଲା । ଉକ୍ତ ରାସ୍ତା ଦେଇ ବେତନଟୀ ବ୍ଲକ, ଥାନା, ସରକାରୀ କାର୍ଯ୍ୟାଳୟ ତଥା ବଜାରକୁ ବହୁ ଲୋକଙ୍କ ଯିବା ଆସିବା ହେଉଥିବାରୁ ରାସ୍ତାରେ ବହୁ ଜନସମାଗମ ରହିଥାଏ । ମାତ୍ର ରାସ୍ତା ଖରାପ ରହିଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ସେହିଭଳି ଭାବରେ ମାଣତ୍ରୀ ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ରହିଥିବାରୁ ବେତନଟୀରୁ ମାଣତ୍ରୀ ରାସ୍ତାଟିରେ ବହୁ ପର୍ଯ୍ୟଟକଙ୍କର ଯାତାୟାତ ହୋଇଥାଏ । ଏହା ସହିତ ବଡସାହି ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ବେତନଟୀ ଓ ବଡସାହିକୁ ସଂଯୋଗ କରୁଥିବାରୁ ବହୁ ଗୁରୁତ୍ୱ ବହନ କରେ । ତେବେ ଏହି ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଉଭୟ ରାସ୍ତାର ଅତିଶୀଘ୍ର ଉନ୍ନତିକରଣ କରିବା ପାଇଁ ବଡସାହି ବିଧାୟକ ସନାତନ ବିଜୁଳି ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅତିଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।